ଛତ୍ରପୁର (ସମୃଦ୍ଧ ଓଡିଶା) ବରଦାନ ସାଜିଲା ପ୍ଲାଜମା ଥେରାପି । ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ନେଇଥିବା ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଥେରାପି ନେଇଥିବା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ଡାକ୍ତରଙ୍କ ଅତୁଳନୀୟ ଅବଦାନ ଓ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇଥିବାରୁ ଏନେଇ ଡାକ୍ତରଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଯାଇଛି । ଗଞ୍ଜାମରେ ଅନ୍ୟ କିଛି କରୋନା ଆକ୍ରାନ୍ତଙ୍କୁ ବି ପ୍ଲାଜମା ଥେରାପି ଦିଆଯାଇଛି । ଜିଲ୍ଲାରେ ଏବେ ୨୯୧ ଜଣ ପ୍ଲାଜମା ଦାନ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର ଏମାନଙ୍କଠୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାପୂର୍ବରୁ କଟକର ଜଣେ ଆକ୍ରାନ୍ତ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା