ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଶୁଭାରମ୍ଭ: ବ୍ରହ୍ମପୁରରୁ ତାମିଲନାଡ଼ୁ ଯାତ୍ରା କଲେ ୫ଟି ଜିଲ୍ଲାର ଯାତ୍ରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଚଳିତବର୍ଷର ତୀର୍ଥଯାତ୍ରା ଆଜି ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭିଡ଼ଓ କନଫରେନ୍ସିଂ ମାଧ୍ୟମରେ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଆଜି ଦକ୍ଷିଣ ଓଡ଼ିଶାର ୫ ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ମୋଟ ୯୫୨ ଜଣ ମହିଳା ଏବଂ ପୁରୁଷ ଯାତ୍ରୀ ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ତାମିଲନାଡ଼ୁ ଅଭିମୂଖେ ତୀର୍ଥଯାତ୍ରାରେ ବାହାରିଛନ୍ତି । ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲାର ୫୬୭ ଜଣ, ଗଜପି ଜିଲ୍ଲାର ୮୩ ଜଣ, କନ୍ଧମାଳର ୭୨ ଜଣ, ବୌଦ୍ଧ ଜିଲ୍ଲାର ୬୩ ଜଣ, ନୟାଗଡ଼ ଜିଲ୍ଲାର ୧୩୯ ଜଣ ଯାତ୍ରୀ ରହିଛନ୍ତି । ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ମୋଟ ୨୮ ଜଣ ଏସକର୍ଟ ଅଫିସର୍ ରହିଛନ୍ତି । ସେହିଭଳି ଏହି ଯାତ୍ରୀଙ୍କ ନିମନ୍ତେ ୯୭୦ ଟି ସିଟ୍ ସଂରକ୍ଷିତ ରଖାଯାଇଥିବା ସୂଚନା ମିଳିଛି । ଏହି ଯାତ୍ରୀମାନେ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୬ ଦିନ ପାଇଁ ଯାତ୍ରା କରିଛନ୍ତି । ଏହି ସମୟରେ ତାମିଲନାଡ଼ୁର ବିଭିନ୍ନ ତୀର୍ଥସ୍ଥଳ ବୁଲିବା କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ ଯାତ୍ରୀଙ୍କ ସୁରକ୍ଷା, ଚିକିତ୍ସା, ରହିବା, ଖାଦ୍ୟ, ପରିମଳ ବ୍ୟବସ୍ଥା ଆଦି ସମସ୍ତ ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି । ଆଜି ଏହି ତୀର୍ଥଯାତ୍ରାର ଶୁଭାରମ୍ଭ ସମୟରେ ବ୍ରହ୍ମପୁର ରେଳ ଷ୍ଟେସନରେ ବ୍ରହ୍ମପୁର ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତି ସିଂ ରାଠୋର୍, ଛତ୍ରପୁର ବିଧାୟକ ଡ଼ା.ପ୍ରିୟାଂଶୁ ପ୍ରଧାନ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ପାଇକାରୀ ଭଣ୍ଡାର ସଭାପତି ସୁଧୀର କୁମାର ରାଉତ, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ମେୟର୍ କେ.ମାଧବୀ, ପୂର୍ବତନ ଡ଼େପୁଟି ମେୟର୍ ଜ୍ୟୋସ୍ନାରାଣୀ ନାୟକ, ରାଜ୍ୟ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ଓଟିଡ଼ିସି ଡ଼ିଭିଜନାଲ୍ ମ୍ୟାନେଜର୍ ପି.କେ ଚାନ୍ଦ, ରେଳ ପର୍ଯ୍ୟଟନ ବିଭାଗର ରତିକାନ୍ତ ପଟ୍ଟନାୟକ, ଡ଼ିସିଏମ୍ ଦୁର୍ଗା ପ୍ରସନ୍ନ ଜେନା, ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀ ସନାତନ ନାୟକ ପ୍ରମୁଖ ଉପସ୍ଥିତ ରହି ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଏବଂ ଖୁସିରେ ଯାତ୍ରା କରି ଫେରିବା ନିମନ୍ତେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା