


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଧବାର ଦିନ ଠାରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ଆଜି ମଧ୍ୟ ଜାରି ରହିଛି ଓ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଯାଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ମହାନଗରର ୧୧ତମ ଗଳିରୁ ୧୪ତମ ଗଳିର ମୁଖ୍ୟରାସ୍ତାରେ ପ୍ରାୟ ୨ଫୁଟରୁ ଉର୍ଦ୍ଧ୍ଵ ଉଚ୍ଚତାରେ ବର୍ଷା ଜଳ ଜମି ରହିବା ସହ ନୀଳାଞ୍ଚଳ ନଗର ଗାନ୍ଧିନଗର ଲକ୍ଷ୍ମୀନୃସିଂହ ସାହି ଘର ଭିତରକୁ ବର୍ଷାଜଳ ପ୍ରବେଶ କରିଥିବା ଦେଖା ଦେଇଛି । ଏହାସହ ଗଜପତି ନଗର, ଲାଞ୍ଜିପଲ୍ଲୀର ଚନ୍ଦନ ନଗର, ଚାଣକ୍ୟ ନଗର, ଖୋଦାସିଙ୍ଗିର କଳିଙ୍ଗ ନଗର, ପ୍ରେମ ନଗର, ଗାନ୍ଧୀ ନଗର ମୁଖ୍ୟରାସ୍ତା ଓ ଆସ୍କା ରୋଡ଼ର ଅନେକ ଅଞ୍ଚଳ ଲୋଚାପଡ଼ା ମୁଖ୍ୟରାସ୍ତା, ସେଲଟେକ୍ସ ଛକ ରାସ୍ତା ମଧ୍ୟ ଜଳମଗ୍ନ ହୋଇଛି । ଲଘୁଚାପ ଜନିତ ବର୍ଷା ନେଇ ପୂର୍ବ ସୂଚନା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଡ୍ରେନେଜ ସଫେଇ ଓ ଡ୍ରେନେଜ ଗୁଡିକର ପୁନରୁଦ୍ଧାର କାର୍ଯ୍ୟରେ ବ୍ରହ୍ମପୁର ମହାନଗର ନିଗମର ଅବହେଳା ହୋଇଥିବା ଅଭିଯୋଗ ହୋଇଛି । ଏଥିଯୋଗୁଁ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା





