ବର୍ଷା ପରେ ସୁବର୍ଣ୍ଣରେଖା ଫୁଲୁଛି : ବହୁ ଗ୍ରାମ ଜଳମଗ୍ନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୭୨ ଘଣ୍ଟା ମଧ୍ୟରେ ଜଳେଶ୍ୱର ଅଞ୍ଚଳରେ ୩୦୦ ମିମି ବର୍ଷା ହୋଇଥିବାରୁ ବିଭିନ୍ନ ଗ୍ରାମ ଗୁଡିକ ପାଣି ଘେରରେ ରହିଛି । ଗାଁ ଦାଣ୍ଡରେ ସୁଅ ଛୁଟୁଥିବା ବେଳେ ସୁବର୍ଣ୍ଣରେଖା ଫୁଲୁଛି । ଗର୍ଭଣା ସଂକ୍ରାନ୍ତିକୁ ଧାନ ବାହାରୁଥିବା ବେଳେ ଏବେ ଧାନଗଛ ବୁଡି ରହିଥିବାରୁ ଧାନକେଣ୍ଡାରେ ପାଣିପଶି କ୍ଷତି ଘଟାଇବ ବୋଲି ସାଧାରଣରେ ଆଲୋଚନା ଚାଲିଛି । ଗତ ୧୬ ତାରିଖରୁ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବାରୁ ଅଦ୍ୟାବଧି ଜଳେଶ୍ୱର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ତଳି ଅଞ୍ଚଳରେ ପାଣିସ୍ତର ବଢିବାରେ ଲାଗିଛି । ପଶ୍ଚିମବଙ୍ଗ ଅଞ୍ଚଳର ଉଦ୍‌ବୃତ୍ତ ବର୍ଷାପାଣି ଗଡିଆସି ପରିସ୍ଥିତିକୁ ଅଧିକ ଜଟିଳ କରୁଛି । ଓଡିଶା, ପଶ୍ଚିମବଙ୍ଗ ସୀମାରେ କୌଣସି ବନ୍ଧ ନଥିବାରୁ ନହରା ଖାଳ, ନାମ୍ପୋ ଖାଳ, ଗୋପ ଖାଳ, ୬୦ନଂ ଜାତୀୟ ରାଜପଥ ଓ ରେଳ ଧାରଣା ନିକଟରେ ଥିବା ନୟନଯୋରୀ ଦ୍ୱାରା ପଶ୍ଚିମବଙ୍ଗର ବର୍ଷାପାଣି ଜଳେଶ୍ୱରରେ ପ୍ରବେଶ କରିଛି । ତେଣୁ ଜଳେଶ୍ୱର ମ୍ୟୁନିସିପାଲଟି, ଆରୁହା, କମାରଶାଳିଆ, ଶାହାପୁର, ସମ୍ପତ୍ତିଆ, ଖାଲିନା, ଇକିଡା, ନାମ୍ପୋ, ଖୁଲୁଡା, ଜଳକାପଡିଆ, ଆମ୍ବଡିହା, ପଶ୍ଚିମବାର୍ଡ, ଝାଡପିମ୍ପଳ, ବାଇଗଣବାଡିଆ, ଆକନା, ଖାନପୁର, ନଛିମପୁର, ବୈରାଟଆଡି ଇତ୍ୟାଦି ଗାଁ ଦାଣ୍ଡ ବୁଡି ପାଣିର ସୁଅ ଛୁଟୁଛି । ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ଗୁଡିକ ପାଣିରେ ବୁଡି ରହିଛି । ଗରିବ ଲୋକଙ୍କ ଘରେ ପାଣି ପଶିଛି । କଚାଘରେ ପାଣି ପଶିବାରୁ ବହୁ ବାସଗୃହ ଉଣାଅଧିକେ କ୍ଷତି ଘଟିଛି । ଗତ ସୋମବାର କାର୍ତ୍ତିକ ମାସ ସଂକ୍ରାନ୍ତି ଥିବାରୁ ଧାନକେଣ୍ଡା ଗର୍ଭରୁ ବାହାରିବାକୁ ଥିବା ବେଳେ ସେଥିରେ ପାଣି ପଶି ଅଗାଡି ହେବାର ସମ୍ଭାବନା ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ଧରି ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଆଜି ସଂଧ୍ୟାରେ ନଦୀର ରାଜଘାଟ ଠାରେ ଜଳପତ୍ତନ ୭.୩୦ଥିବାବେଳେ ଏହା ଆସ୍ତେଆସ୍ତେ ବୃଦ୍ଧି ପାଇବାରେ ଲାଗିଛି । ଉପରମୁଣ୍ଡର ଜାମସେଦପୁର, ଜାମଶୋଳାଘାଟ, ଫେକଘାଟ, ଘାଟଶିଳା, ଗୋପିବଲ୍ଲଭପୁର, ମୋରି ଓ ଆଦିତ୍ୟପୁରରେ ବର୍ଷା ହୋଇଥିବାରୁ ଏହି ପାଣି ନିଷ୍କାସନ ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଏହି ପାଣି ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ।

ରିପୋର୍ଟ : ଭୂପତି ପରିଡା