ବର୍ଷା ପାଣିରେ ଜଳେଶ୍ୱର ବେହାଲ, ସୁବର୍ଣ୍ଣରେଖା ଉପରେ ମୁଣ୍ଡରେ ପ୍ରବଳ ବର୍ଷା : ବନ୍ୟା ସମ୍ଭାବନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲଘୁଚାପ ଜନୀତ ବର୍ଷା ପାଣି ଯୋଗୁଁ ପଶ୍ଚିମବଙ୍ଗ ଅଂଚଳର ଉଦ୍ବୃତ୍ତ ବର୍ଷାପାଣି ଗଡିଆସି ଜଳେଶ୍ୱର ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ କୃତ୍ରୀମ ବନ୍ୟା ଦେଖା ଦେଇଛି । କିନ୍ତୁ ୩ଦିନ ଧରି ସୁବର୍ଣ୍ଣରେଖା ନଦୀରେ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀର ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ବନ୍ୟା ସମ୍ଭାବନା ଦେଖା ଦେଇଛି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଫଳରେ ପ୍ରବଳ ବର୍ଷା ଜାରି ରହିଛି । ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲାର ଦୀଘା, ରାମନଗର, ଏଗ୍ରା, କାନ୍ଥି, ମୋହନପୁର, ଦାନ୍ତୁନ, ନୟାଗ୍ରାମ, ଗୋପିବଲ୍ଲଭପୁର ଇଲାକାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସାରା ଉପାନ୍ତ ଅଂଚଳରେ ଥିବା ୩୨ଟି ଖାଳ ଓ ନାଳ ଦ୍ୱାରା ଜଳେଶ୍ୱର ଓ ଭୋଗରାଇ ଅଂଚଳରେ ଜମା ହେଉଛି । ସମୁଦ୍ର ଜୁଆରୀଆ ରହୁଥିବାରୁ ଜଳ ନିଷ୍କାସନର ବାଧା ଉପୁଜିଛି । ଫଳରେ ଧାନ ଜମିରେ ଜଳସ୍ତଦର ବଢିଭାରେ ଲାଗିଛି । ପୁଣି ଗତ ୩ଦିନରେ ସୁବର୍ଣ୍ଣରେଖା ନଦୀର ଜାମସେଦପୁର ଅବବାହିକାରେ ୧୬୮ ମିମି., ଜାମଶୋଳା ଅବବାହିକାରେ ୯୦ମିମି. ଘାଟଶିଳାରେ ସର୍ବାଧିକ ୨୦୨ମିମି. ଫେକଘାଟରେ ୧୩୨ ମିମି, ରାଜଘାଟ ଅବବାହିକାରେ ୬୫ ମିମି ବର୍ଷା ହୋଇଥିବା ବେଳେ ଆଜି ପ୍ରବଳ ବର୍ଷା ଲାଗି ରହିଥିବାର ସିଡବ୍ଲୁସି ର ବାଲେଶ୍ୱର କାର୍ଯ୍ୟାଳୟ ଓ ଜଳସମ୍ପଦ ବିଭାଗ ସୂତ୍ରରୁ ପ୍ରକାଶ । ପଶ୍ଚିମବଙ୍ଗରେ ବର୍ଷା ଲାଗି ରହିଥିବାରୁ ଫେକଘାଟ ଓ ଝାଡଖଣ୍ଡରେ ଅଧିକ ବର୍ଷା ହେଉଥିବା ଜଣାଯାଇଛି । ଫଳରେ ଜାମଶୋଳା ଓ ଜାମସେଦପୁର ବାରେଜର ବହୁ ଫାଟକ ଖୋଲା ରହିଥିବାରୁ ସୁବର୍ଣ୍ଣରେଖାର ତଳମୁଣ୍ଡରେ ବନ୍ୟା ଦେଖାଦେବାର ସମ୍ଭାବନା ରହିଛି । ଉପରମୁଣ୍ଡରେ ବର୍ଷାପାଣି ରାଜଘାଟର ରେଳଗେଜ୍ଠାରେ ପହଞ୍ଚିବାକୁ ୩୦ ଘଣ୍ଟା ସମୟ ଲାଗିଥାଏ । ତେଣୁ ଶୁକ୍ରବାର ରାତ୍ରିସୁଦ୍ଧା ରାଜଘାଟ ଠାରେ ବିପଦ ସଂକେତ ଛୁଇବାର ଆକଳନ କରାଯାଉଛି । ଏବେ ଧାନ ଥୋଡ ବାହାରିବାର ସମୟ ହୋଇଥିବାରୁ ବ୍ୟାପକ କ୍ଷତି ହେବାର ଆଶଙ୍କାରେ ଚାଷୀମାନେ ହତୋତ୍ସାହ ହୋଇଛନ୍ତି । ଧୋଇଆ ଅଂଚଳର ଶହଶହ ହେକ୍ଟର ଜମିର ଧାନ ବୁଡି ରହିବା ସହିତ ପରିବା ଚାଷ ନୂତନଭାବେ କରାଯାଇଥିବାରୁ କ୍ଷତି ପରିମାଣ ଅଧିକ ହେବ ବୋଲି ଅନୁମାନ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା