

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହର ଏବଂ ସହରର ସଂଲଗ୍ନ ଇଲାକାରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ବର୍ଷା ସତ୍ୱେ ପୋଲିସ ଓ ପ୍ରଶାସନ ଅଧିକାରୀମାନେ ପଇଁତରା ମାରି ସ୍ଥିତି ପରଖିଥିବା ଜଣାପଡିଛି । କରୋନା ସଂକ୍ରମିତ ହୋଇଥିବା ୨ ଜଣ ବ୍ୟକ୍ତି ସରକାରୀ କର୍ମଚାରୀ ବୋଲି ସୂଚନା ମିଳିଛି । ଜଣେ କର୍ମଚାରୀ ଖଲ୍ଲିକୋଟ ଅଞ୍ଚଳରେ ଏବଂ ଅନ୍ୟ ଜଣେ ହିଞ୍ଜିଳି ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି । ଖଲ୍ଲିକୋଟ ଅଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀ ଛତ୍ରପୁର ଚଣ୍ଡିଛକ ସ୍ଥିତ ନାଇଡୁ କଲୋନୀରେ ରହୁଥିବା ବେଳେ ହିଞ୍ଜିଳି ଅଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀ ଜଣକ ସହରକୁ ସଂଲଗ୍ନ ଥିବା ଭାଗ୍ୟଲକ୍ଷ୍ମୀନଗର ସାହିରେ ରହୁଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଅଞ୍ଚଳକୁ କଟକଣା ଜାରି କରିବା ପାଇଁ ପଦକ୍ଷେପ ନିଆଯାଇଛି । ଛତ୍ରପୁର ଏନ୍ଏସିରେ ୬ ଦିନିଆ ଶଟଡାଉନ ଜାରି ରହିଛି । ଶନିବାର ପଞ୍ଚମ ଦିନରେ ବର୍ଷା ସତ୍ୱେ ପୋଲିସ ଓ ପ୍ରଶାସନ ଅଧିକାରୀ ମାନେ ଏନଏସିର ବିଭିନ୍ନ ସାହି ବସ୍ତି ବୁଲି ଶଟଡାଉନର ସ୍ଥିତି ପରଖିଛନ୍ତି l ଏହାସହ ଛତ୍ରପୁର ସହରରେ ସାଇରନ ବଜାଇ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି l ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରଯାଇଛି । ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ, ଏନଏସି ନିର୍ବାହୀ ଅଧିକାରୀ ଏନ୍ ଗଣେଶ ବାବୁ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ଲୋକଙ୍କୁ ସଚେତନ କରିଛନ୍ତି । ସୂଚନାଯୋଗ୍ୟ, ଏନ୍ଏସି ଅଞ୍ଚଳର ବିଭିନ୍ନ ସ୍ଥାନରେ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ଜୁନ ୩୦ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଏନ୍ଏସିକୁ ୬ ଦିନ ପାଇଁ ଶଟଡାଉନ ଘୋଷଣା କରିଥିଲେ । ଅପରପକ୍ଷରେ ଦୈନିକ ପଜିଟିଭ ସଂଖ୍ୟା ଏଠାରେ ବଢୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏନଏସି ପକ୍ଷରୁ ବାରାକ ସାହି, କଳ୍ପବାସୀନଗରକୁ ସିଲ୍ କରାଯାଇଥିଲା l ପରେ ଉକ୍ତ ଦୁଇ ସାହିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା l ଏହାସହ ଉକ୍ତ ଅଂଚଳକୁ ସଂଲଗ୍ନ କରୁଥିବା ଅଞ୍ଚଳ ଗୁଡିକୁ ବରଫ ଜୋନ ଭାବେ ଘୋଷଣା କରାଯାଇଛି l ନିୟ୍ୟୁ ମେଡିକାଲ କଲୋନୀକୁ ମଧ୍ୟ ସିଲ କରାଯାଇଛି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

