


ଭୁବନେଶ୍ୱର,୨୯/୮/2023(ସମୃଦ୍ଧଓଡିଶା)ରାଜ୍ୟ ସରକାରଙ୍କ ପକ୍ଷରୁ ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ଏକ ଚାଲ୍ ଏବଂ ଜାଗା ମିଶନ ସମ୍ପୁର୍ଣ୍ଣ ବିଫଳ ହୋଇଛି ଓ ସରକାର ଭୋଟ ପାଇବା ପାଇଁ ନିର୍ବାଚନ ପୂର୍ବରୁ ଏହି ନାଟକ ରଚାଯାଇଛି ବୋଲି ଏହାକୁ ବିରୋଧ କରି ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପଦଯାତ୍ରାରେ ବାହାରି ବିଏମସି କାର୍ଯ୍ୟାଳୟକୁ ଚାରିପଟୁ ଘେରି ସରକାରଙ୍କ ବିରୁଦ୍ଧରେ ଧ୍ବନି ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଏହି ଯୋଜନାକୁ ୬ବର୍ଷ ପୁରିଥୂଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ମିଳିପାରିନାହିଁ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଥରେ ଏହି ସର୍ଭେ କରି ଏକ ଟିଣ ପାତିଆ ଦେଇଥିଲେ। ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଉଥରେ ଆବାସ ଯୋଜନା ନାମରେ ‘ରେ’ ସର୍ଭେ କରି ଏକ ମିଛ ପଟ୍ଟା ବଣ୍ଟନ କରିଥିଲେ। ଏବେ ପୁଣି ନିର୍ବାଚନ ଆସୁଥିବାରୁ ଆଉ ଏକ କାଗଜ ଦେଇ ବସ୍ତି ବାସିନ୍ଦାଙ୍କୁ ସରକାର ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତୁରନ୍ତ ବସ୍ତି ବାସିନ୍ଦାଙ୍କୁ ତହସିଲ ପକ୍ଷରୁ ସତ ପଟ୍ଟା ପ୍ରଦାନ କରାଯାଉ ବୋଲି ଶ୍ରୀ ସିଂ ଦାବି କରିଛନ୍ତି। ଆଜିର ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଜେପି ନେତ୍ରୀ ତଥା ଭୁବନେଶ୍ୱର ମେୟର ପ୍ରାର୍ଥୀନୀ ଡ଼ଃ ସୁନୀତି ମୁଣ୍ଡୁ, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ମଧୁସ୍ମିତା ପ୍ରଧାନ, ଯଶୋଧାରା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : ରଜତ କୁମାର ମହାପାତ୍ର