ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆ ଥାନା ଅନ୍ତର୍ଗତ କାଳିକଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଲାଗି ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ଶିକ୍ଷାବର୍ଷରୁ ଶିକ୍ଷାଦାନ ହେବାର ଆଶା ପୋଷଣ କରିଛନ୍ତି ଆଦିବାସୀ ଅଞ୍ଚଳର ଅଭିଭାବକ । ୨୦୧୪ ମସିହା ସାଧାରଣ ନିର୍ବାଚନ ପରେ ରାଇବଣିଆର କାଳିକଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଲାଗି ତତ୍କାଳୀନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଓ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ସାଂସଦ ଶ୍ରୀ ଜେନା କାଳୀକ ପଂଚାୟତକୁ ସାଂସଦ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିସ୍କାର ପରିଛନ୍ନତା, ପିଇବାପାଣି ବ୍ୟବସ୍ଥା, ବିଦ୍ୟୁତ୍ ପ୍ରଭୃତି ଯୋଗାଣର ବ୍ୟବସ୍ଥା କରିବା ସହ ଏକ ଟିମ୍କୁ ସେଠାରେ କାର୍ଯ୍ୟରେ ଲଗାଇଥିଲେ । କିନ୍ତୁ ଏଥିଲାଗି ଆବଶ୍ୟକ ଅନୁମୋଦନ ନ ମିଳିବାରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଆଦର୍ଶ ବିଦ୍ୟାଳୟ ସେଠାରେ ପ୍ରତିଷ୍ଠା କରିବା ଲାଗି ଇଂ ଜେନା ଓ ଶ୍ରୀ ପାତ୍ର ଉଦ୍ୟମ କରିଥିଲେ । କିନ୍ତୁ ସରକାରୀ ଫାଇଲ୍ ମନ୍ଥର ଗତିରେ ଚାଲୁଥିବାରୁ ଗତ ୧୬-୧୨-୧୯ରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ଏକ କମିଟି ଗଠନ ହୋଇ କାଳୀକ ଗ୍ରାମର ଖାତା ନଂ ୯୮୨, ପ୍ଲଟ ୮୨୮, ୮୨୯, ୮୩୦ ଓ ୯୧୫ ର ମୋଟ ୪ଏକର ୮୦ ଡିସିମିଲ ସ୍ଥାନ ଆଦର୍ଶ ବିଦ୍ୟାଳୟ ଲାଗି ସ୍ଥାନ ନିରୂପଣ କରିଥିଲେ । ଆଜି ଏହି କାର୍ଯ୍ୟ ସମାପନ ଲାଗି ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବିଇଓ ବିଜୟ କୁମାର ନାଥ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଲମ୍ବୋଦର କର, ଓଲମରା ଆର୍ଆଇ ଓ ଅମିନ ପ୍ରମୁଖ ଯାଇ ଥିଲେ । ପ୍ରକାଶଯୋଗ୍ୟ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ନାଥଙ୍କ ଏଥିଲାଗି ପ୍ରଚେଷ୍ଟାକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ପୂର୍ବତନ ସରପଂଚ ଗଂଗାଧର ଦାସ ଘଟଣା ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ । ମୋଟ ୩କୋଟି୨୫ଲକ୍ଷ୫୨ ହଜାର ୬୬୬ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅର୍ଥ ମଞ୍ଜୁର ହୋଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା