ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଚଳିତ ବର୍ଷ +୩ ଓ ପିଜି ସେମିଷ୍ଟାର ପରୀକ୍ଷା ବାତିଲ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରୀ କରାଯାଇଥିବା ଯୋଗୁଁ ପରୀକ୍ଷା ଓ ପାଠପଢ଼ାରେ ସମସ୍ୟା ଉପୁଜିଥିବାରୁ ରାଜ୍ୟ ସରକାର +୩ ଓ ପିଜି ଶ୍ରେଣୀରେ ସେମିଷ୍ଟର ପରୀକ୍ଷାକୁ ବାତିଲ କରିବା ନିଷ୍ପତ୍ତି ନେଇଛନ୍ତି । ଫଳରେ +୩ ଶ୍ରେଣୀର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ କ୍ଲାସ୍ ପ୍ରମୋସନ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏହାସହ ଉଭୟ +୩ ଓ ପିଜି ଶ୍ରେଣୀର ପାଠ୍ୟକ୍ରମକୁ ପ୍ରଥମଥର ପାଇଁ ୨୫% ସେଲଫ୍ ଗାଇଡେଡ୍ ଷ୍ଟଡି ଦ୍ୱାରା କଭର କରିବାକୁ ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଲେଜର ପାଠପଢ଼ା ଓ ପରୀକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଲକଡାଉନ୍ ଯୋଗୁ ପ୍ରଭାବିତ ହୋଇଥିବା ରାଜ୍ୟର ସମସ୍ତ ୟୁଜି ଓ ପିଜି ସେମିଷ୍ଟାର ଓ ଫାଇନାଲ ପରୀକ୍ଷା କିଭଳି କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହାପରେ ମନ୍ତ୍ରୀ ଶ୍ରୀ ସାହୁ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ସମସ୍ତ ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ସମ୍ପର୍କରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯାଇଛି । ବୈଠକରେ ରାଜ୍ୟ ସରକାର ଯୁକ୍ତ ତିନି ଶ୍ରେଣୀର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ବାତିଲ କରିବା ନିଷ୍ପତ୍ତି ନେଇଛନ୍ତି । ସେହିପରି ପିଜି ସେମିଷ୍ଟର ପରୀକ୍ଷା ମଧ୍ୟ କରାଯିବ ନାହିଁ । ଯୁକ୍ତ ତିନି ଶ୍ରେଣୀରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଓ ପିଜି ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀ ପରବର୍ତ୍ତୀ ବର୍ଷକୁ ଉତ୍ତୀର୍ଣ୍ଣ ହେବେ । ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରିବାକୁ କୁହାଯାଇଛି । ସେହିପରି ପ୍ରଥମଥର ପାଇଁ ଯୁକ୍ତ ତିିନି ଓ ପିଜି ପାଠ୍ୟକ୍ରମର ୨୫ ପ୍ରତିଶତ ସେଲଫ ଗାଇଡେଡ୍ ଷ୍ଟଡି ଦ୍ୱାରା କଭର କରାଯିବ । ଏହା ଏକ ସମୟୋଚିତ ଯୁଗାନ୍ତକାରୀ ପଦକ୍ଷେପ । ଏଭଳି ଷ୍ଟଡି ବ୍ୟବସ୍ଥା ପାଇଁ ୟୁଜିସି ଗାଇଡଲାଇନରେ ସୁପାରିସ୍ କରାଯାଇଛି । ଛାତ୍ରଛାତ୍ରୀମାନେ ସେଲଫ୍ ଷ୍ଟଡି ମ୍ୟାଟେରିଆଲ ନିଜେ ପଢ଼ିବେ ଓ ଟ୍ୟୁଟୋରିଆଲ କ୍ଲାସରେ ଅଧ୍ୟାପମାନେ ସେମାନଙ୍କର ମନରେ ଦ୍ୱନ୍ଦ୍ୱ ଥିଲେ ତାକୁ ଦୂର କରିବେ । ସେଲଫ ଗାଇଡେଡ୍ ଷ୍ଟଡି ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଙ୍ଗ, ବିଶ୍ଲେଷଣ ଦକ୍ଷତା, ଆତ୍ମନିର୍ଭରଶୀଳତା ଓ ଜିଜ୍ଞାସା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।