
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପୁଣି ରାଜରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା, ତିତିଲି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଳମ୍ବ ଅଭିଯୋଗରେ ବସ୍ତି ସୁରକ୍ଷା ମଞ୍ଚର ଆହ୍ଵାନ କ୍ରମେ ଶହ ଶହ ବସ୍ତି ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇଛନ୍ତି । ରେଳ ଷ୍ଟେସନ ନିକଟରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ତିତିଲି ପରବର୍ତ୍ତୀ ସମୟରେ କ୍ଷୟକ୍ଷତିର ଆକଳନ କରି ସହାୟତା ରାଶି ଓ କ୍ଷତି ପୁରଣ ପ୍ରଦାନ ଘୋଷଣା ପରେ ପ୍ରଭାବିତ ପରିବାରଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା, କିନ୍ତୁ ବାତ୍ୟାର ୩ ମାସ ପରେ ବି କୌଣସି ସହାୟତା ପାଇନାହାନ୍ତି । ଏ ସମ୍ପର୍କରେ ପୂର୍ବରୁ ବସ୍ତି ବାସିନ୍ଦା ବହୁ ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଧା ପ୍ରଶାସନ ପ୍ରତିଶ୍ରୁତି ଦେଇ ଦିନ ଗଡାଇ ଚାଲିଛି । ବସ୍ତି ବାସିନ୍ଦାଙ୍କ ନିମନ୍ତେ ସରକାର କରିଥିବା ଯୋଜନାର କାର୍ଯ୍ୟକାରୀ ହେଉନାହିଁ ଫଳରେ ବସ୍ତି ବାସିନ୍ଦା ବିଦ୍ୟୁତ ଆଲୁଅ, ପକାଘର ଓ ସ୍ଥାୟୀ ପଟ୍ଟା ଆଦି ପାଇବାରୁ ବଞ୍ଚିତ ହେଉଛନ୍ତି । ପାରଳାଖେମୁଣ୍ଡି ସହରରେ ବସ୍ତିବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଆନ୍ଦୋଳନ କରାଯାଉଛି କିନ୍ତୁ ପାରଳାଖେମୁଣ୍ଡି ମୁନିସିପାଲିଟି କିମ୍ବା ପ୍ରଶାସନ କୌଣଶି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ବସ୍ତି ସୁରକ୍ଷା ମଞ୍ଚର ଆବାହକ । ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି ଯଥାଶୀଘ୍ର ବିଭାଗୀୟ ଅଧିକାରୀ ଓ ବସ୍ତି ବାସିନ୍ଦାଙ୍କୁ ନେଇ ଏକ ବୈଠକର ଆୟୋଜନ କରି ଆଲୋଚନା କରିବା ପରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନ କହିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା



