ମୋ ବାପା ସାଧା ସିଧା ସରଳ, ଦରଦୀ ମଣିଷଟିଏ l ସମସ୍ତଙ୍କୁ ସିଏ ଭଲ ପାଆନ୍ତି l ସମସ୍ତଙ୍କ ସୁଖ ଦୁଃଖରେ ତାଙ୍କ ପାଖେ ଠିଆ ହୁଅନ୍ତି l ଆବଶ୍ୟକ ହେଲେ ସାହାଯ୍ୟ ସହଯୋଗ କରନ୍ତି l ଗାଁ ରେ ପୁନେଇଁ ପର୍ବ ସମସ୍ତଙ୍କ ସହିତ ମିଳି ମିଶି ପାଳନ କରନ୍ତି l ତେଣୁ ଗାଁରେ ସମସ୍ତେ ବାପାଙ୍କୁ ଭଲ ପାଆନ୍ତି l ଆମ ଘର କବର ଗ୍ରାମ, ଖଇରା ବ୍ଲକ, ବାଲେଶ୍ବର ଜିଲ୍ଲାରେ l ସେତେ ବେଳେ ଆମ ଘର ମାଟି ଘର ଥିଲା l ଗାଁକୁ ଇଲେକ୍ଟ୍ରି ଆସି ନ ଥିଲା l ଆମ୍ଭେମାନେ ଲଣ୍ଠନ, ଡିବିରୀ, ଲ୍ୟାମ୍ପ ଲଗାଇ ପାଠ ପଢୁ ଥିଲୁ l ବାପା ମେଡିକାଲରେ କାମ କରୁଥିଲେ l ବୋଉ ( ମା ) ଗୃହିଣୀ l ଆମେ ମାନେ ପାଞ୍ଚ ଭଉଣୀ ଓ ଗୋଟିଏ ବୋଲି ସାନ ଭାଇ ପ୍ରଦୀପ ( ବାପି ) l ବାପା ଆମ ସମସ୍ତଙ୍କୁ ବହୁତ ଭଲ ପାଆନ୍ତି l ସତେ ଯେପରି ଆମେ ତାଙ୍କ ଜୀବନ l ବାପା ! ଚାକିରୀ ପାଇଁ ପ୍ରାୟତଃ ବାହାରେ ରହନ୍ତି l ଦୁଇ ତିନି ମାସକୁ ଥରେ ଘରକୁ ଆସନ୍ତି l ଯେତିକି ଦିନ ଘରେ ରହନ୍ତି, ହସ ଖୁସିର ମହଲ ପୂରି ଉଠେ l ବାପାଙ୍କର ମୁଁ ବଡ଼ ଝିଅ l ମୋର ନାମ ମୋର ବଡ଼ ବାପା ବାସନ୍ତୀ ବୋଲି ଦେଇ ଥିଲେ l ବାପା ବଉ ମୋତେ ବାସ ବୋଲି ଡାକନ୍ତି l ବାପାଙ୍କର ମୁଁ ଗେହ୍ଲା ଝିଅ l ବାପା ମୋର ସବୁ କଥା ରଖନ୍ତି l ଯେତେ ବେଳେ ଯାହା ଦରକାର କହିଲେ ସଂଗେ ସଂଗେ ଆଣି ଦିଅନ୍ତି l ମଧ୍ୟ ବିତ୍ତ ପରିବାରରେ ମୋର ଜନ୍ମ l ବାପାଙ୍କର ଘର, ଜମି ବାଡ଼ି ଥିଲା l ତା ସାଙ୍ଗକୁ ଚାକିରୀ l ତେଣୁ ସେତେଟା ଅଭାବ ଆମକୁ ଗ୍ରାସ କରୁ ନ ଥିଲା l ଭଲରେ ଭଲରେ ସୁରୁଖୁରୁରେ ଦିନ ହସ ଖୁସିରେ ବିତି ଯାଉ ଥିଲା l ବାପା ବୋଉଙ୍କୁ ସବୁ ବେଳେ କହନ୍ତି “ମୋ ପିଲା ମାନଙ୍କର ପାଠ ପଢା ଦେଖୁ ଥିବ l ଦ୍ବି ଅକ୍ଷର ପଢିଲେ ତ ସେମାନେ ମଣିଷ ହେବେ l ତାଙ୍କ ଆଖି ଖୋଲିବ ” l ବୋଉ ବି ବାପାଙ୍କର କଥାକୁ ଅକ୍ଷରେ ଅକ୍ଷର ପାଳନ କରନ୍ତି l ସକାଳ ଛଅଟା ହେଲେ ବୋଉ ଆମକୁ ଆଉ ବିଛଣାରେ ଶୋଇବାକୁ ଦିଏ ନାହିଁ l ସକାଳୁ ଉଠି ନିଜର ନିତ୍ୟ କର୍ମ ସାରି ବୋଉ ଯାହା ଖାଇବାକୁ ଦିଏ, ଚୁଡା, ମୁଢି, ପିଠା ଖାଇ ଆମେ ଭାଇ ଭଉଣୀ ପାଠ ପଢ଼ାରେ ବସି ଯାଉ l ସକାଳ ନଅଟାରେ ପାଠ ପଢା ସାରି ଗାଧୋଇ ଖାଇ ସ୍କୁଲକୁ ଯାଉ l ପୁଣି ସନ୍ଧ୍ୟା ଛଅଟାରେ ପ୍ରାର୍ଥନା କରି ରାତ୍ରି ୯.୩୦ ମିନିଟ ପର୍ଯ୍ୟନ୍ତ ପାଠ ପଢୁ l ଏହା ଆମର ନିତି ଦିନିଆ କାମ l ବେଳେ ବେଳେ ବୋଉ ବାପାଙ୍କୁ କାହାନ୍ତି, ତୁମେ ଘରକୁ ଆସିଲେ ପିଲା ମାନଙ୍କୁ ଭଲ ମନ୍ଦରେ ପଦୁଟିଏ ବି କହୁନ l କଣ ଭଲେଇ ହେଉଛ ? ମୁଁ ଖାଲି କହୁ ଥିବି ? ବାପା କହନ୍ତି , କଣ କହିବି ଝିଅ ମାନଙ୍କୁ ? ସେମାନେ ତ ତାଙ୍କ କାମ କରୁଛନ୍ତି l ସେମାନେ ଦୁଷ୍ଟ, ଅବାଧ୍ଯ ହେଲା ଭଳି ମୋତେ ଲାଗୁ ନାହିଁ l ବାପା ଆମକୁ ପାଖକୁ ଡାକି ବୁଝlନ୍ତି l ତୁମେ ମାନେ ମନ ଦେଇ ପଢିବ, ତୁମ ବୋଉର ସବୁ କଥା ଶୁଣିବ l ସ୍କୁଲରେ ସାରଙ୍କ କଥା ଶୁଣିବ l ବାପା ସବୁ ବେଳେ ସତ କହିବାକୁ ଓ ସତ ଶୁଣିବାକୁ ପସନ୍ଦ କରନ୍ତି l ଯିଏ ମିଛ କହେ ସେ ତାଙ୍କ ଉପରେ ବେଶୀ ରାଗନ୍ତି l ତେଣୁ ସେ କହନ୍ତି, ତୁମେ ଗୋଟିଏ କଥା ମନେ ରଖି ଥିବ ମିଛ କହିବ ନାହିଁ l ଗୋଟିଏ ମିଛ କହିଲେ ଅନେକ ମିଛ କହିବାକୁ ପଡେ l ମିଛ କହିଲେ ପାପ ହୁଏ lବାପାଙ୍କର ସବୁ କଥାକୁ ମୁଁ ଶୁଣେ ଏବଂ ପାଳନ କରିବାକୁ ଚେଷ୍ଟା କରେ l ଆମ ଗାଁରେ ରଜ ସମୟରେ ଗୀତି ନାଟ୍ୟ ଡ୍ରାମା ହୁଏ l ମୋର ଭାଇ ଭଉଣୀ ଓ ଗାଁର ସାନ ସାନ ପିଲା ମାନେ ପୁଅ ଝିଅ ମିଶି ଡ୍ରାମା କରନ୍ତି l ବାପା ଶିଖାଅନ୍ତି l ନୃତ୍ୟର ଗୀତ ଓ ସ୍ତ୍ରୀ ଭୂମିକାରେ ରୋଲ କରୁ ଥିବା ଯେଉଁ ନାରୀ ଗୀତ ଗାଇ ପାରେ ନାହିଁ, ତାଙ୍କର ଗୀତ ମୁଁ ଗାଇବି ବୋଲି ଗୀତ ସାର କହିଲେ l ମୁଁ ଡରି ମନା କରି ଦେଲି l ବାପା ଜୋର ଦେଇ କହିଲେ ମୁଁ ଅଛି ପରା, ତୁ ଡରୁଛୁ କାହିଁକି ? ତୁ ଗାଇ ପାରିବୁ l ବାପା ବୁଝାଇବା ପରେ ମୁଁ ଗାଇଲି l ମୋର ଡର ଛାଡି ଗଲା l ତା ପରେ ମୁଁ ସ୍କୁଲ କଲେଜ ଡ୍ରାମାରେ ବ୍ରେକଗ୍ରାଉଣ୍ଡ ଗୀତ ଗାଇଲି l ଏ ସବୁ ସମ୍ଭବ ଥିଲା ମୋ ବାପାଙ୍କ ପାଇଁ l ପ୍ରକୃତରେ ବାପା ବୋଉଙ୍କର ଅବଦାନ ଅତୁଳନୀୟ l ତାଙ୍କ ପାଇଁ ଆମେ ଭାଇ ଭଉଣୀ ଛଅ ଜଣ ଯାକ ମଣିଷ ହୋଇ ପାରିଛୁ l ୪ରି ଭଉଣୀ ଶିକ୍ଷା ବିଭାଗରେ ଚାକିରୀ କରିଛୁ l ତୃତୀୟ ଭଉଣୀ ଗୃହିଣୀ l ସାନ ଭାଇର କମ୍ପାନୀ ଜବ l ବାପା ନିଜ ଠାରୁ ବେଶୀ ଆମ କଥା ଚିନ୍ତା କରନ୍ତି l ରଜ, ପ୍ରଥମାଷ୍ଟମୀ, ସରସ୍ବତୀ ପୂଜାରେ ପ୍ରତି ବର୍ଷ ନୂଆ ଡ୍ରେସ ଆଣି ଦିଅନ୍ତି l ମୋର ସାନ ଭଉଣୀ, ଭାଇ ଭଲ ଗୀତ ଗାଆଁନ୍ତି ବୋଲି ଗୋଟିଏ ହାର୍ମୋନିୟମ ଆଣି ଦେଲେ l ଗୀତ ସାରଙ୍କୁ ଘରେ ଆସି ଶିଖାଇବାକୁ କହିଲେ l ମୁଁ ଦଶମ ଶ୍ରେଣୀରେ ପଢୁ ଥାଏ l ଥରେ ଗୋଟିଏ ଭଜନ ଲେଖି ବାପାଙ୍କୁ ଦେଖାଇଲି l ଗୀତ ସାରଙ୍କୁ ମଧ୍ୟ l ବାପା ଓ ସାର ବହୁତ ଖୁସି ହେଲେ l ଆଉ କହିଲେ ଭଲ ହୋଇଛି l ତୁ ଲେଖା ଜାରି ରଖ l ଆହୁରି ଭଲ ଲେଖି ପାରିବୁ l ବାପାଙ୍କର ପ୍ରେରଣା, ଉତ୍ସାହ, ଆଉ ଆଗ୍ରହ ଦେଖି ମୁଁ ବହୁତ ଖୁସି ହେଲି l ପାଠ ପଢ଼ା ସାରି ମୁଁ କେବେ କେମିତି ଭକ୍ତି ଗୀତ ସହିତ ଗଳ୍ପ ଲେଖେ l ବାପା ଚାକିରୀରୁ ଯେତେ ବେଳେ ଘରକୁ ଫେରନ୍ତି ତାଙ୍କୁ ଦେଖାଏ l ସେ ମୋର କବିତା ସଂଶୋଧନ କରି ଦିଅନ୍ତି l ଆଉ ବେଳେ ବେଳେ କହନ୍ତି ଏମିତି କଲେ ଭଲ ହେବ l ନିଜେ ଲେଖି ମୋତେ ଦେଖା l ଆଇ.ଏ.ପାସ ପରେ ମୋର ବିଭାଘର ହୋଇଗଲା ସେହି ସମୟରେ ଘରଠାରୁ ପାଞ୍ଚ କି. ମି. ଦୂରରେ ଖାଇରାରେ କଳାନିକେତନ କେନ୍ଦ୍ର ଖୋଲିଲା l ବାପା, ମୋର ସାନ ଭାଇ ଭଉଣୀଙ୍କର ନାମ ସେଠାରେ ଲେଖାଇ ଦେଲେ l ମୋର ସାନ ଭଉଣୀ ଆରତୀ ନୃତ୍ୟ କରିବାକୁ ଭଲ ପାଏ ବୋଲି ତାକୁ ଓଡିଶୀ ନୃତ୍ୟ ସାରଙ୍କୁ ଡାକି ଘରେ ଶିଖାଇଲେ l ମୋ ବାପା ଚାହୁଁ ଥିଲେ ତାଙ୍କ ପିଲା ମାନେ ସବୁ କ୍ଷେତ୍ରରେ ପାରଙ୍ଗମ ହୁଅନ୍ତୁ l ବାହାଘର ପାରେ ମୁଁ ବହୁ ବର୍ଷ ଲେଖା ଲେଖି ଛାଡ଼ିଦେଇ ଥିଲି l ପିଲାମାନେ ଯେତେ ବେଳେ ବଡ଼ ହୋଇଗଲେ, ସ୍କୁଲ, କଲେଜରେ ପଢିଲେ ପୁଣି ଆଉ ଥରେ ଲେଖା ଆରମ୍ଭ କଲି l କବିତା ଲେଖିଲି l କିନ୍ତୁ ନିୟମିତ ନୁହେଁ l ଏବେ ନିୟମିତ କବିତା ଲେଖୁଛି l ଗଳ୍ପ, ପ୍ରବନ୍ଧ କେବେ କେବେ ଲେଖୁଛି l ବାପାଙ୍କର ପ୍ରେରଣା ପାଇଁ ଆଜି ମୁଁ ସମାଜରେ ଜଣେ କବି ଭାବରେ ପ୍ରତିଷ୍ଠିତ ହୋଇ ପାରିଛି l ମୋର କବିତା ବହୁ ପତ୍ର ପତ୍ରିକାରେ ପ୍ରକାଶିତ ହେଉଛି l ବିଭିନ୍ନ ଅନୁଷ୍ଠାନରୁ ମୁଁ ଜଣେ କବି ଭାବରେ ସମ୍ବୋର୍ଦ୍ଧିତ ହୋଇ ପାରିଛି l ବାପା ବୋଉ ମୋତେ ଶିକ୍ଷା, ଦୀକ୍ଷା ଦେଇ ସଂସ୍କାରି କରି ଗଢ଼ିଛନ୍ତି l ତାଙ୍କ ପାଇଁ ଆଜି ମୁଁ ଶିକ୍ଷୟିତ୍ରୀ ହୋଇ ପାରିଛି l ଏପରି ବାପାଙ୍କୁ ପାଇ ମୁଁ ବହୁତ ଗର୍ବିତ l ଏକା ମୁଁ କାହିଁକି ? ଆମେ ସବୁ ଭାଇ ଭଉଣୀ ଗର୍ବିତ l ଆଜି ମୋର ବାପା ବୋଉ ଅମର ଧାମରେ ଯାତ୍ରୀ ହୋଇ ସାରିଛନ୍ତି l ଭଗବାନଙ୍କ ନିକଟରେ ଏତିକି ପାର୍ଥନା କରୁଛି, ପ୍ରତି ଜନ୍ମରେ ମୋତେ ତାଙ୍କରି କୋଳରେ ଜନ୍ମ ଦିଅନ୍ତୁ l ମୁଁ ତାଙ୍କରି ଝିଅ ହେବାର ସ୍ୱଭାଗ୍ୟ ଲାଭ କରେ l ତାଙ୍କର ସେବା କରିବାରେ ମୋତେ ସୁଭାଗ୍ୟ ମିଳୁ l ମୋ ବାପା ସବୁଠାରୁ ମୋର ପ୍ରିୟ ବାପା l ତେଣୁ ତାଙ୍କ ବିଷୟରେ ଯେତେ କହିଲେ ବି କମ…. l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ଜିଲ୍ଲା : ନବରଙ୍ଗପୁର