ବାର୍ଦ୍ଧକ୍ୟ ଭତା ୧୦୦୦ ଟଙ୍କା ବଢ଼ାଇବାକୁ ନରସିଂହଙ୍କ ପ୍ରସ୍ତାବ

ଭୁନନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଏକ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଯୋଗଦେବା ଅବସରରେ କମିଟିର ସଦସ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମହାତ୍ମା ଗାନ୍ଧିଙ୍କ ସମ୍ମାନାର୍ଥେ ରାଜ୍ୟରେ ବୃଦ୍ଧବୃଦ୍ଧାମାନଙ୍କୁ ଭତା ୩୦୦ ଟଙ୍କା ବଦଳରେ ୧୦୦୦ ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି, ବର୍ତମାନ ଅନେକ ବୟସ୍କ ବ୍ୟକ୍ତି ଭଲଭାବରେ ଦିନକୁ ଖାଇବାକୁ ପାଇପାରୁ ନାହାନ୍ତି । ଏଣୁ ଯେଉଁମାନଙ୍କର ବୟସ ୬୦ ବର୍ଷରୁ ଊଦ୍ଧ୍ୱର୍ ସେମାନଙ୍କ ଭତ୍ତା ପରିମାଣ ୧୦୦୦ ଟଙ୍କା କରାଯାଉ । ସେ ଏହି ପ୍ରସ୍ତାବ ସରକାରଙ୍କ ଦେଇଛନ୍ତି । ଦେଶ ସ୍ୱାଧୀନତା ପରେ ଆମେ ଏବେ ଦେଖିବାକୁ ପାଉଛୁ ଯେଉଁ ଗରିବ ବୁଢ଼ାବୁଢ଼ୀ ଅଛନ୍ତି ସେମାନେ ଦିନକୁ ଦୁଇମୁଠା ଖାଇବାକୁ ପାଉନାହାନ୍ତି । ୩୦୦ ଟଙ୍କା ଭତା ବହୁତ କମ୍ । ଯେତେବେଳେ ଆମେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଦିବସ ପାଳନ କରୁଛୁ ସେହି ସମୟରେ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲି ୩୦୦ରୁ ୧୦୦୦ ଟଙ୍କା ବଢ଼ାଇବା ପାଇଁ । ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି ।