ଭୁବନେଶ୍ୱର(ସମୃଦ୍ଧଓଡିଶା)ଜନ ସାଧାରଣଙ୍କୁ ହାତ ପାଆନ୍ତାରେ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ସମାଧାନ କରି ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଓ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ତରରୁ, ଜିଲ୍ଲା,ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ ଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସମାଧାନ କରାଯାଉଅଛି। ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜନ ସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ କରିବାରେ ଏକ ଉତ୍କୃଷ୍ଟ ମାଧ୍ୟମ ଅଟେ l ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ୱିତ କରି ସମସ୍ତ ଅଧିକାରୀ ନିଷ୍ଠା ଓ ଆନ୍ତରିକତା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମାଜର ତୃଣମୂଳ ସ୍ତରରୁ ଆସୁଥିବା ଅଭିଯୋଗ ଗୁଡ଼ିକୁ ସମାଧାନ କରିବାକୁ ଆଜି ପୂର୍ବାହ୍ନରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜୟଦେବ ଗ୍ରାମ ପଞ୍ଚାୟତ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ମିଳିତ ଜନ ଅଭିଯୋଗ ପ୍ରକୋଷ୍ଠରୁ ପଠାଯାଉଥିବା ଅଭିଯୋଗ ଦରଖାସ୍ତ ଗୁଡ଼ିକ ଉପରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ ସହ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ152 ଗୋଟି ଦରଖାସ୍ତ ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ 118 ଓ ଗ୍ରାମ ସମସ୍ୟା ଜନିତ 27 ଗୋଟି ଅଭିଯୋଗ ଥିଲା। ଅଭିଯୋଗ ପ୍ରକୋଷ୍ଠରେ 64 ଗୋଟି ଅଭିଯୋଗ ର ତ୍ୱରିତ ଶୁଣାଣି କରି ସମାଧାନ କରାଯାଇଥିଲା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ 3ଜଣ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା l ଜିଲ୍ଲା ପ୍ରଶାସନର ଆଜିର ଏହି ମିଳିତ ଅଭିଯୋଗ ଶୁଣାଣି ଶିବିର ରେ ମାନ୍ୟବର ବିଧାୟକ, ଜୟଦେବ ଶ୍ରୀଯୁକ୍ତ ନବ କିଶୋର ମଲ୍ଲିକ, ଉପଜିଲାପାଳ, ଭୁବନେଶ୍ୱର ଡ଼.ମନୋରଞ୍ଜନ ସାହୁ ,ବିଡିଓ, ବାଲିଅନ୍ତା ସ୍ମୃତିପ୍ରଜ୍ଞା,ତହସିଲଦାର, ବିମଳ କୁମାର ଲେଙ୍କା, ସହକାରୀ ଜିଲ୍ଲାପାଳ, ଅଭିଯୋଗ ଭୁବନେଶ୍ୱରୀ କଅଁର,ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀ ମାନେ ଯୋଗଦେଇ ଥିଲେ।
ରିପୋର୍ଟ : ରଜତ ମହାପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ