ବାଲେଶ୍ୱର ଜିଲାର ୭ ଜିଲାରେ ବିଛାଯିବ ଗ୍ୟାସ୍ ଲାଇନ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପାରାଦ୍ୱିପରୁ ହଳଦିଆ ତେଲ ପାଇପ୍ ଲାଇନ୍ ବିଛିଯିବାପରେ ଧାମରା-ହଳଦିଆ ଗ୍ୟାସ୍‌ଲାଇନ୍ ବିଛା ଯିବା ଲାଗି ପ୍ରସ୍ତୁତି ଶେଷ ହୋଇଛି । ଏଥିରେ ବାଲେଶ୍ୱର ଜିଲାର ୭ଟି ବ୍ଲକ ଦେଇ ଏହି ଗ୍ୟାସ୍‌ପାଇପ୍ ଲାଇନ୍ ବିଛାଯାଉଥିବା ବେଳେ ମୋଟି ୯୪ କି.ମି. ଲମ୍ବର ଜମି ହେବ ଅଧିଗ୍ରହଣ । ଏଥିରେ ଜଳେଶ୍ୱରର ୧୮ଟି ଗାଁ ଦେଇ ଏହି ପାଇପ୍ ଲାଇନ୍ ଅତିକ୍ରମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକୁ ଆପାତତଃ ବିରୋଧ କରିଛନ୍ତି । କିନ୍ତୁ ଆପୋଷ ସମାଧାନ ମଧ୍ୟରେ ଏହି କାର୍ଯ୍ୟ ତ୍ୱରାନ୍ନତି କରାଯିବ ବୋଲି ପାଇପ୍ ବିଛାଉଥିବା କମ୍ପାନୀ ଗେଲ୍ ଇଣ୍ଡିଆ ଲିମିଟେଡ୍‌ର ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଏଠାରେ କହିଛନ୍ତି । ବାଲେଶ୍ୱର ଜିଲାର ଭୋଗରାଇ, ଜଳେଶ୍ୱର, ବସ୍ତା, ରେମୁଣା, ନୀଳଗିରି, ବାହାନଗା ଓ ସୋର ବ୍ଲକ ଦେଇ ପାଇପ୍‌ଲାଇନ୍ ବିଛା ଯିବାର ଜଣାଯାଇଛି । ଏହି ପାଇପ୍‌ଲାଇନ୍ ବିଛା ଯିବା ଲାଗି ୯୪ କି.ମି. ଅଂଚଳର ସ୍ଥାନ ଅଧିଗ୍ରହଣ କରିବାକୁ ଥିବାରୁ ସରକାରଙ୍କ ନିତୀନିୟମ ଅନୁଯାୟୀ ଜନ ଶୁଣାଣି ବେଳେ ଚାଷୀଙ୍କ ମଧ୍ୟରେ ହେଉଥିବା ଅସନ୍ତୋଷ ପଦାକୁ ଆସିଛି । ପାଇପ୍‌ଲାଇନ୍ ବିଛାଇବା ବେଳେ ଅନ୍ୟୁନ ୧୧ ଫୁଟ ତଳେ ବିଛାଯାଇଥାଏ । ତେଣୁ ଏ ବାବଦରେ ଜମି ଅଧିଗ୍ରହଣ କରାଯାଏ ନାହିଁ । ଅପରପକ୍ଷରେ କ୍ଷତିପୂରଣ ଲାଗି ଜମିମୂଲ୍ୟର ୪୦ ଭାଗ ଅର୍ଥ ସରକାରଙ୍କ ପକ୍ଷରୁ ଜମି ମାଲିକକୁ ଦେଇଥାନ୍ତି । ପୂର୍ବରୁ ୩୩ କେଭିଏ ବିଦ୍ୟୁତ୍ ଟାୱାର ଓ ହଳଦିଆ-ପାରିଦିପ ତେଲ ପାଇପ୍ ବିଛା ଗଲା ବେଳେ ଯେଉଁସବୁ ନିତୀନିୟମକୁ ଆଧାର କରି ଜମି ଅଧିଗ୍ରହଣ ହୋଇଥିଲା ପରେ ବହୁ ବ୍ୟକ୍ତିକୁ ଆର୍ôଥକ ସହାୟତା ଠିକ୍‌ଭାବେ ମିଳିନଥିଲା । କିଛି ବର୍ଷ ଧରି ଉକ୍ତ ଜମିରେ କାର୍ଯ୍ୟ ଚାଲୁଥିବା ଯୋଗୁଁ ଚାଷ ହୋଇ ପାରିନଥିବାରୁ ଲୋକେ ଗ୍ୟାସ୍‌ ପାଇପ୍ ବିଛାଇବାକୁ ବିରୋଧ କରୁଛନ୍ତି । ଧାମରାରୁ ହଳଦିଆ ଗ୍ୟାସ୍ ପାଇପ୍‌ ଲାଇନ୍ ଲାଗି ମୋଟ ୧୫୪ କି.ମି., ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ବାଲେଶ୍ୱର ଜିଲାରେ ୯୪ କି.ମି. ଲମ୍ବର ସ୍ଥାନ ଅଧିଗ୍ରହଣ ହେବ । ଏଥିଲାଗି ଜମି ଅଧିଗ୍ରହଣକାରୀଙ୍କୁ ଇତିମଧ୍ୟରେ ଚାଷୀଙ୍କୁ ଗେଲଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜଳେଶ୍ୱରର ବାଉଁଶବଣି, ସରକାତିଆ, ଜଗଡଭା, ନାମ୍ପୋ, ଆମ୍ବଡିହା, ଅସୁରଡିହା, ଖୁଲୁୁଡା, ବଡନଗର, ବର୍ତ୍ତନା, ଆକବରପୁର, ତାଳଗଛିଆ, ସୁକସଣ୍ଡା, ସାନକସିଦା, ଚକମାଧବ, ପାଇକସିଦା, ବାଲିକକବାଡ, ଗଡସାହି ବାଲିଆପାଳ ଗାଁ ଦେଇ ଏହି ପାଇପ୍ ବିିଛାଣ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ନାମ୍ପୋଠାରେ କେତେକ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ମଦନମୋହନ ମୁଖୀ, ଜିତାଂଶୁ ପ୍ରମାଣିକ, ଘନଶ୍ୟାମ କାମିଳା, ହରିହର ସେନାପତି, ବିଜୟ କୁମାର ଚନ୍ଦ, ଭାରତୀ ଚନ୍ଦ, କ୍ଷେତ୍ରମୋହନ ସେନାପତି, ରାମହରି ଦେ, ନନୀଗୋପାଳ ଦାସ ପ୍ରମୁଖ ଜନଶୁଣାଣୀ ବେଳେ ଜମି ନ ଦେବାଲାଗି ସୂଚନା ଦେଇଛନ୍ତି । ଗେଲ୍‌ଇଣ୍ଡିଆ ପକ୍ଷରୁ କ୍ଷମତାପ୍ରାପ୍ତ ପ୍ରାଧିକାରୀ ଅଶ୍ୱିନୀ କୁମାର ନାୟକ, ଓଏସ୍‌ଡି ସୁରଥ ଚନ୍ଦ୍ର ରାଉତ, ଏରିଆ ଇଞ୍ଜିନିୟର ଫନିନ୍ଦ ଦାସ, ଆର୍‌ଆଇ ରବିନ୍ଦ୍ର ସେଠୀ ଓ ଅମିନ ପ୍ରହ୍ଲାଦ ସାହୁ ଅଭିଯୋଗକାରୀଙ୍କୁ ବୁଝାସୁଝା କରିବା ସହିତ ଗ୍ୟାସ୍‌ ପାଇପ୍‌ ଲାଇନ୍ ସଂଯୋଗ ହୋଇ ପାରିଲେ ସମଗ୍ର ଦେଶର ବିକାଶ ଘଟିବ ବୋଲି କହିଥିଲେ । ଅଭିଯୋଗକାରୀ ଜମିର ପ୍ରକୃତ ମୂଲ୍ୟ ଦାବି କରିବା ସହ ତାହା ନ କଲେ ଜମି ଦେବେ ନାହିଁ ବୋଲି ପ୍ରଶାସନୀକ ଅଧିକାରୀଙ୍କୁ ଶୁଣାଇଛନ୍ତି । କିନ୍ତୁ ଏପରି ସମସ୍ୟା ରହିବ ନାହିଁ ବୋଲି ପ୍ରଶାସନିକ ଅଧିକାରୀମାନେ ଶୁଣାଇବା ସହ ସରକାରଙ୍କ ନିତୀନିୟମକୁ ସମ୍ମନ ଜଣାଇବାକୁ କହିଛନ୍ତି । ଏହା ଏକ ଜାତୀୟ ସମ୍ପତ୍ତି ହୋଇଥିବାରୁ ସମସ୍ତେ ସହଯୋଗ କରିବାକୁ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା