ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ବାଳକର ମୃତ୍ୟୁ ଘଟଣାକୁ ନେଇ ଭିନ୍ନ ଭିନ୍ନ ମତପ୍ରକାଶ ପାଇବାରୁ ମୃତ ବାଳକର ବରିବାରବର୍ଗ ଓ ସମ୍ପର୍କୀୟ ବ୍ୟକ୍ତିମାନେ ଉତ୍ତେଜିତ ହୋଇ ଜିକେଭଟ୍ଟର ହାସ୍ପାତାଳରେ ବ୍ୟାପକ ଭଂଗାରୁଜା କରିବା ସହ ନିକଟରେ ଥିବା ଭାରପ୍ରାପ୍ତ ଅଧିକାରୀ ଡା. ଗଣେଶ ଚନ୍ଦ୍ର ପାଳଙ୍କ ଲକ୍ଷ ଲକ୍ଷ ଟଙ୍କାର ଆସବାପତ୍ର ଭାଂଗି ଚୋରମାର କରିଛନ୍ତି । କର୍ମଚାରୀଙ୍କୁ ମାଡ ଦିଆଯାଇଥିବାରୁ ତାର ପ୍ରତିବାଦରେ ଗୁରୁବାର ଅପରାହ୍ନରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ କାର୍ଯ୍ୟର ଯୋଗ ଦେଇନାହାନ୍ତି । ସ୍ୱାସ୍ଥ୍ୟସେବା ଠପ୍ ହୋଇ ଯାଇଥିବାରୁ ସ୍ଥାନୀୟ ସୋସିଏଲ ଫୋରମର ବହୁ ବୁଦ୍ଧିଜିବୀମାନେ ହସ୍ପିଟାଲ ଆଗରେ ଧାରଣାରେ ବସିଥିବାରୁ ଜିଲା ସିଡିଏମ୍ଓ ଓ ଅତିରିକ୍ତ ଏସ୍ପି ଘଟଣା ସ୍ଥଳରେ ପହଞ୍ଚି ଆପାତତଃ ସମସ୍ୟାର ସମାଧାନ କରିଛନ୍ତି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁରର ଇନ୍ତାଜ୍ ଖାନ୍ ଓରଫ ସେକ୍ ବାବୁଲିର ପୁଅ ହାଲିମ୍ ଖାନ୍ (୧୧) ଗୁରୁତର ଅସୁସ୍ଥ ହୋଇ ଜିକେଭଟ୍ଟର ହସ୍ପିଟାଲକୁ ଚିକିତ୍ସାପାଇଁ ପୂର୍ବାହ୍ନରେ ଆସିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ସସ୍ମିତା ସିଂ ପରୀକ୍ଷାନିରିକ୍ଷା କରି ରୋଗୀର ମୃତ୍ୟୁ ହୋଇଥିବାର ସନ୍ଦେହ ପ୍ରକଟ କରିଥିଲେ । ତେଣୁ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଗଣେଶ ଚନ୍ଦ୍ର ପାଳଙ୍କ ପରାମର୍ଶ ନେବାକୁ କହିଥିଲେ । ଗଣେଶ ଚନ୍ଦ୍ର ପାଳ ସେକ୍ ହାଲିମ୍ର ମୃତ୍ୟୁ ଘଟିଥିବା ପ୍ରକାଶ କରିବାରୁ ତାର ପରିବାର ଲୋକେ ଗାଁକୁ ଫେରାଇ ନେଇଥିଲେ । ଗାଁରେ ବାଳକଟି ବଂଚିଥିବାର କିଛି ସୂଚନା ଓ ଜଣେ ବୈଦ୍ୟର ପରାମର୍ଶ ନେଇ ବଂଚିଥିବାର ଜାଣି ପୁଣି ହସ୍ପିଟାଲ୍କୁ ରୋଗୀକୁ ଧରି ଆସିଥିଲେ । ହସ୍ପିଟାଲ ବନ୍ଦହୋଇଥିବାର ସମୟ ହୋଇଯାଇଥିବାରୁ ଡାକ୍ତର ଏପରି ଘଟଣାରେ ସମାଧାନ ଘଟାଇ ବାଲେଶ୍ୱର ମୁଖ୍ୟଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପଠାଇଥିଲେ । ରୋଗୀର ସଂପର୍କୀୟମାନେ ଆମ୍ବୁଲେନ୍ସ ଯୋଗେ ବାଲେଶ୍ୱର ନେଇଯିବା ପରେ ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉପସ୍ଥିତ ଥିବା ତାର ସଂପର୍କୀୟ ଓ ଗ୍ରାମବାସୀମାନେ ଅଧିକ ଉତ୍ତେଜିତ ହୋଇ ଡାକ୍ତରଖାନାରେ ବ୍ୟାପକ ଭଂଗା ରୁଜା କରିଥିଲେ । ଏପରିକି କାର୍ଯ୍ୟରତ କର୍ମଚାରୀ ହରିଶ୍ଚନ୍ଦ୍ର ବାରିକ, ସତ୍ୟନାରାୟଣ ଚନ୍ଦ, ପ୍ରଦୀପ କୁମାର ଦେ, ଗୀତାରାଣୀ କରଣ, ପ୍ରବୀର ଦେ, କାଳିଚରଣ ପ୍ରଧାନ ଙ୍କ ସହିତ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଥିଲେ । ଏଥିରେ ହସ୍ପିଟାଲର ତଳମହଲାର ସମସ୍ତ କାଚ ଝରକା, ମେଡିସନ୍ କାଉଣ୍ଟର, ଆଉଟ୍ଡୋର୍, ହେଲ୍ପ ଡେକ୍ସ, ଏଲ୍ସିଡି ଟିଭି ଇତ୍ୟାଦି ଭାଂଗି ନଷ୍ଟ କରିଦେଇଥିଲେ । ପରେ ଡାକ୍ତରଖାନ ସମ୍ମୁଖ ୫୭ ନଂ ରାଜ୍ୟ ରାଜପଥରେ ଟାୟାର ଜାଳି ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଉତ୍ତେଜିତ ଲୋକେ ଡା. ଗଣେଶ ପାଳଙ୍କୁ ଦାୟୀ କରି ତାଙ୍କୁ ମାଡମାରିବାକୁ ଗୋଡାଇଥିଲେ । ସେ ପ୍ରାଣ ଭୟରେ ଅନ୍ୟ ଜଣେ ଡାକ୍ତରଙ୍କ ଘରେ ପ୍ରାଣବିକଳରେ ପଶିଯାଇ ନିଜର ଜୀବନ ରକ୍ଷା କରିଥିଲେ । ସେମାନଙ୍କ ରୋଷର ମଧ୍ୟ ଶୀକାର ହୋଇଥିଲେ କେତେକ ଗଣମାଧ୍ୟମର ପ୍ରତିନିଧି । ଆମ୍ବୁଲାନ୍ସ ଯୋଗେ ବାଳକ ବାଲେଶ୍ୱରରେ ପହଞ୍ଚିବାପରେ ସରକାରୀ ହସ୍ପିଟାଲକୁ ନ ଯାଇ ଜ୍ୟୋତି ହସ୍ପିଟାଲ ଓ ପରେ ଅଶ୍ୱିନୀ ହସ୍ପିଟାଲକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାପରେ ନିରାଶ ହୋଇ ଶବକୁ ଧରି ଫେରିଥିଲେ । ମୃତ ବାଳକର ଶବ ଫେରି ଆସିବା ପରେ ଲୋକେ ପୁଣି ଉତ୍ତେଜିତ ହୋଇ ଭାରପ୍ରାପ୍ତ ଅଧିକାରୀ ଡ. ଗଣେଶ ଚନ୍ଦ୍ର ପାଳଙ୍କ ଘରେ ପଶି ବ୍ୟାପକ ଭଂଗାରୁଜା କରିଥିଲେ । ଅପରାହ୍ନରେ ହସ୍ପିଟାଲର କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇନଥିଲେ । ଘଟଣାସ୍ଥଳରେ ଆଇଆଇସି ପ୍ରଦୀପ କୁମାର ମାଝୀ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହିତ ଦିନ ୨.୩୦ମି.ରୁ ହସ୍ପିଟଲରେ କ୍ୟାମ୍ପସ୍ରେ ରହି ପରିସ୍ଥିତିକୁ ନିଜ ଆୟତ୍ତକୁ ଆଣିଥିଲା ଓ ଅତିରିକ୍ତ ଏସ୍ପି ତପନ କୁମାର ପଟ୍ଟନାୟକ ଓ ଏସ୍ଡିପିଓ ସୁଦର୍ଶନ ଦାଶ ଏବଂ ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାରେ ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଥିଲେ । ଜିଲା ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ମୃତ ନାବାଳକର ପରିବାରକୁ ପ୍ରଦାନ କରିବା ପ୍ରତିଶୃତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ସମାଜସେବୀ ସୁଦର୍ଶନ ଦାସ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, କମଳ ଚକ୍ରବର୍ତ୍ତୀ, ରାଜୀବ ପରିଡା, ରାମଚନ୍ଦ୍ର ଜେନା, ରିଆଜ୍ ଖାଁ, ଦିଲ୍ଲିପ ପରିଡା, ମଧୁସୂଦନ ଦାସ, ମଧୁସୂଦନ ଦତ୍ତ, ସେକ୍ ଅବଦୁଲ ରହିମ୍ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଶାନ୍ତ କରାଇଥିଲେ । ଆଜି ସକାଳେ ହସ୍ପିଟାଲ ସମ୍ମୁଖ ଗେଟ୍ରେ ସ୍ଥାନୀୟ ବୁଦ୍ଧିଜୀବିମାନେ କମଳ ଚୁକ୍ରବର୍ତ୍ତୀ, ଡ. ଈଶ୍ୱର ଚନ୍ଦ୍ର ଜେନା, ରାମଚନ୍ଦ୍ର ଜେନା, ଅରୁଣ ବେଜ, ଦିଲିପ କୁମାର ଗିରି, ଶରତ ପରିଡା, ସମୀର ପାତ୍ର, ସୁଦାମ ପାତ୍ର, ସୀତାଂଶୁ ସେନାପତି, ଡ. ରମାକାନ୍ତ ଭଂଜ, ମଧୁ ଦତ୍ତ, ଶିବନାରାୟଣ ମହାପାତ୍ର, ଚିତ୍ତରଂଜନ ପରିଡା, ସୁଶାନ୍ତ ଦେ, ଅବନୀ କୁମାର ଚନ୍ଦ, ସୁଧିର ପାତ୍ର, ଶ୍ରୀକଣ୍ଠ ମହାନ୍ତି ପ୍ରମୁଖ ଧାରଣା ଦେଇ ଅବିଳମ୍ବେ ଡାକ୍ତରଖାନା ଅଚଳାବସ୍ଥା ଦୂର କରିବାକୁ ଦାବୀ କରିଥିଲେ । ଅନ୍ୟପକ୍ଷରେ ଡାକ୍ତରଖାନାର କର୍ମଚାରୀମାନେ ଅନ୍ୟଏକ ସ୍ଥାନରେ ସେମାନଙ୍କ ସୁରକ୍ଷା ଦାବୀ କରି ଆନ୍ଦୋଳନରେ ବସିଥିଲେ । ଶେଷରେ ସିଡିଏମ୍ଓ ଡା କମଳାକାନ୍ତ ନାୟକ ଓ ଅତିରିକ୍ତ ଏସ୍ ପି ତପନ କୁମାର ପଟ୍ଟନାୟକଙ୍କ ସହିତ ଏସ୍ଡିପିଓ ସୁଦର୍ଶନ ଦାଶ ଓ ଆଇଆଇସି ପ୍ରଦୀପ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ଆଜି ସଂଧ୍ୟାସୁଦ୍ଧ ଡାକ୍ତରଖାନାର ପୂର୍ବାବସ୍ଥା ଫେରାଇ ଆଣି ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସହିତ ରୋଗୀ ସେବା ଚାଲୁ କରିବାଲାଗି ପ୍ରତିଶୃତି ଦେଇଥିଲେ । ଏବେ ଜରୁରୀ ପରିସ୍ଥିତିରେ ଡା. ଗଣେଶ ପାଳ ଦାୟିତ୍ୱରେ ରହିବା ସହିତ ସମସ୍ତ ଡାକ୍ତର ପଦବୀ ପୂରଣ କରିବେ ବୋଲି ସିଡିଏମ୍ଓ ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ ଅତିରିକ୍ତ ଏସ୍ପି ଅବସ୍ଥା ସୁଧାରିବା ପର୍ଯ୍ୟନ୍ତ ସେଠାରେ ଜଣେ ଏଏସ୍ଆଇଙ୍କ ସହିତ ୪ଜଣ କନେଷ୍ଟବଳ କାର୍ଯ୍ୟରତ ରହିଛନ୍ତି । ଏଥିରେ ଥିବା ପ୍ରାୟ ୧୫୦ଜଣ ବ୍ୟକ୍ତି ସଂପୃକ୍ତ ଥିବାର ପୁଲିସ୍ କହିଥିବା ବେଳେ ଅଦ୍ୟାବଧି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମାତ୍ର ସୂଚନାଯୋଗ୍ୟ ଏପରି ଉତ୍ତେଜନା ଦିନ ୧୦.୪୦ରେ ଆରମ୍ଭ ହୋଇଥିବା ବେଳେ ଜଳେଶ୍ୱର ପୋଲିସ୍ ୨ଘଣ୍ଟା ବିଳମ୍ବରେ ପହଞ୍ଚିବା ଏବଂ ଅଧିକ ଫୋର୍ସ ବହୁବିଳମ୍ବରେ ପହଞ୍ଚିବା ହେତୁ କ୍ଷୟକ୍ଷତି ଓ ବ୍ୟାପକ ଭଂଗାରୁଜ ହେଲା ବୋଲି ସ୍ଥାନୀୟ ପତ୍ୟେକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପାଣି