ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଭୟାବହତାକୁ ଲକ୍ଷ୍ୟକରି ଭାରତ ସରକାର ଗତ ୨୨ ତାରିଖରୁ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ବିଦେଶ ଫେରନ୍ତା ଓ ସ୍ୱଦେଶ ବାହୁଡାଙ୍କ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ଲାଗି କେତେକ ନୀତି ନିୟମ ଓ କଟକଣା ଲଗାଇଛନ୍ତି । ସେମାନେ ନିଜର ନାମ ରେଜିଷ୍ଟ୍ରସନ କରିବା ସହିତ ହୋମ କରେଣ୍ଟାଇନ୍ ବା ଆଇସୋଲେସନ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିଲାଗି ସରକାର ବିଦେଶ ଫେରନ୍ତାଙ୍କ ଲାଗି ୧୫ହଜାର ଟଙ୍କା ସହାୟତାର ଘୋଷଣା କରିବା ସହିତ ପ୍ରତିଦିନ ସେମାନଙ୍କର ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ଆଦାନ ପ୍ରଦାନ କରିବାର ସମସ୍ତ ବ୍ୟବସ୍ଥା କରିଛନ୍ତି । ସେମାନେ ୧୪ଦିନ ପର୍ଯ୍ୟନ୍ତ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ହେଲେ ଜଳେଶ୍ୱର ବ୍ଲକ ଓ ମ୍ୟୁନିସିପାଲଟିରେ ରେଜିଷ୍ଟ୍ରେସନ କରିଥିବା ବିଦେଶ ଫେରନ୍ତା ୧୨ଜଣ ଓ ସ୍ୱଦେଶ ଫେରନ୍ତା ୨୦୦୦ ଜଣଙ୍କ ମଧ୍ୟରୁ କେତେକ ବିଭିନ୍ନ ବାହାନାରେ ଗାଁ ଦାଣ୍ଡରେ ବୁଲିବା, ଏପରିକି ଅନ୍ୟଘର ଓ ବନ୍ଧୁବାନ୍ଧବଙ୍କ ଘରକୁ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ଆଶାକର୍ମୀ କିମ୍ବା ଅଙ୍ଗନୱାଡି କର୍ମୀଙ୍କ କଥା ନ ମାନିବା ସହିତ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ଦେହରେ କୌଣସି ଲକ୍ଷଣ ନଥିବାରୁ ସେମାନେ ରୋଗମୁକ୍ତ ବୋଲି ଦୃଢ୍ୟକ୍ତି କରିବା ସହିତ ସର୍ବସାଧାରଣ ସ୍ଥାନରେ ବୁଲାବୁଲି କରୁଥିବାରୁ ସାଧାରଣରେ ଉତ୍ତେଜନା ପ୍ରକାଶ ପାଉଛି । ଏପରିକି କେତେକ ଅନ୍ୟରାଜ୍ୟରୁ ଆସିଥିବା ବ୍ୟକ୍ତି ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗରେ ରେଜିଷ୍ଟ୍ରେସନ ମଧ୍ୟ କରି ନ ଥିବା ଜଣାଯାଇଛି । ସେମାନେ ଔଷଧ, ପରିବା ଓ ରାସନ କିଣିବା ବାହାନା କରି ଖୁଲମଖୁଲା ବୁଲାବୁଲି କରୁଛନ୍ତି । ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ବହୁ ପରିମାଣରେ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳୁଛି । ଫଳରେ ଜଳେଶ୍ୱର ଅଂଚଳରେ ଏପରି ମହାମାରୀ ଅଧିକ ସଂକ୍ରମିତ ହେବାର ଭୟ ଥିବାରୁ ପୋଲିସ୍ ପକ୍ଷରୁ କଡା ପଦକ୍ଷେପ ନେବାକୁ କେତେକ ବୁଦ୍ଧିଜିବୀ ଓ ସମାଜସେବୀମାନେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା