ଉଆସ ଭିତରେ ଅନ୍ୟ ରାଣୀମାନେ ଆଉ ମୁଦୁସୁଲୀ, ପୋଇଲୀମାନେ କୁଜାକୁଜୀଙ୍କୁ ଦେଖିଲେ ଖାଲି ଠୋ’ ଠୋ’ ହୋଇ ହସନ୍ତି, ଥଟ୍ଟା କରନ୍ତି, ବେଳେବେଳେ ଗଛକୁ, ବାଡିକୁ ଦେଖାଇ ଢଗ ବୋଲନ୍ତି । ତେଣୁ ସେ କୁଜାକୁଜୀ ଦୁହେଁ କେବେବି କାହା ସହିତ ମଧ୍ୟ ମନ ମିଳାଇ ଦି’ପଦ ହସଖୁସିରେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେଦିହେଁ ସବୁବେଳେ ଖାଲି ତାଙ୍କରି ଭୋଜ ରାଇଜ ଜେମା ଭାନୁମତୀଙ୍କ ପାଖରେ ଖଟଣିଆ ହୋଇ ଚଳୁଥାଆନ୍ତି । ନୂଆରାଣୀଙ୍କର ବୋଲହାକ କରନ୍ତି । ରାଣୀ ଭାନୁମତୀ ବି ସେ ଦିହିଁଙ୍କର କୌଣସି ପ୍ରକାର ଅଭାବ ଅସୁବିଧା ରଖିଦିଅନ୍ତି ନାହିଁ । ସେମାନେ ମୁହଁ ଶୁଖାଇଥିଲେ ତାଙ୍କର ମନଜାଣି ସବୁ ଖବର ବୁଝନ୍ତି । ସେଥିପାଇଁ ସେ ଦିହେଁ ମନମୋଟକରି ଉଆସରେ ଖୁସିରେ ଚଳୁଥାଆନ୍ତି । ଯେଉଁମାନେ ତାଙ୍କ ସାଙ୍ଗରେ ଥଟ୍ଟାମଜା କରନ୍ତି, ସେମାନେ ତାହାଙ୍କୁ କିଛି ବି ନ କହି କାମରେ ହରବର କରିଦିଅନ୍ତି । କାହାର ପିଠା ସିଝେ ନାହିଁ, କାହାର ତିଅଣ ପୋଡିଯାଏ, କାହାର ଭାତ ଦରଫୁଟା ଚାଉଳିଆ ପାଲଟିଯାଏ । କାହାର କାଠ ଜଳେ ନାହିଁ, କାହାର ଲୁଗା ଶୁଖେ ନାହିଁ । କିଏ ତୋରାଣି ପିଉ ପିଉ ସେଥିରୁ ଅସରପା ବାହାରେ । କିଏ ଭାତ ଖାଉଥିଲେ, ଗୁଣ୍ଡାକରେ ପୁଞ୍ଜାଏ ଗୋଡି ବାହାରେ । ଡାଲିହାଣ୍ଡିରୁ ମଲା ଝିଟିପିଟି ବାହାରେ । ଇମିତି କେତେ କ’ଣ! କୁଜାକୁଜୀ ଭେଳିକି ଜରିଆରେ ସେମାନଙ୍କୁ ଖୁବ୍ ହଇରାଣ କରନ୍ତି । ମାତ୍ର ପୋଇଲୀ ପରିବାରୀ ଏଭଳି ହଇରାଣର ଅସଲ କାରଣ ବୁଝିପାରନ୍ତି ନାହିଁ । ଏଣେ କୁଜାକୁଜୀ ଜାଣିପାରି ହସିହସି ଲୋଟିଯାଆନ୍ତି । ରାଣୀ ଭାନୁମତୀଙ୍କୁ ବି ଏସବୁ ଦେଖି ଭାରି ହସ ମାଡେ । ଦିନେ ନୂଆରାଣୀ ମହଲରେ ଆଉ ସବୁ ରାଣୀମାନେ, ପୋଇଲୀ, ମୁଦୁସୁଲୀ, ଟହଲିଆ, ଖଟଣିଆମାନେ ଜମାହୋଇ ଭାନୁମତୀଙ୍କ ବାପ ରାଇଜକଥା ଶୁଣୁଛନ୍ତି, ଠିକ୍ ସେତିକିବେଳେ କୁଜାକୁଜୀ ଦିହେଁ ଆସିଲେ । ରାଣୀ ଭାନୁମତୀ ହସିହସି କହିଲେ- “ଆହେ କୁଜା ଆଉ କୁଜୀ, ତୁମେ ଦିହେଁ ତ ଆମ ବାପରାଇଜର ଲୋକ । ବାପାଙ୍କ ପାଖରେ ଅଳିକରି ରାଜା ତୁମଦିହିଁଙ୍କୁ ଯଉତୁକ ରୂପେ ସାଙ୍ଗରେ ଆଣିଛନ୍ତି । ତୁମଠିଁ ଯେଉଁ ଅଦ୍ଭୁତ ଗୁଣଅଛି, ସମସ୍ତଙ୍କୁ ଦେଖାଇଲେ ସିନା ତୁମର କରାମତି ସେମାନେ ଜାଣନ୍ତେ । ହେଇଟିପରା, ତୁମର ଗୁଣ ଜାଣିବାପାଇଁ ଆଜି ସମସ୍ତେ ଏଠେଇଁ ରୁଣ୍ଡହୋଇ ତୁମଦିହିଁଙ୍କୁ ଚାହିଁ ରହିଛନ୍ତି । ସେମାନଙ୍କୁ କିଛି ଦେଖାଇଦେବଟି ।” ଏକଥା ଶୁଣି ଖୁବ୍ ଅଭିମାନିଆ ଗଳାରେ ସେ କୁଜୀ କହିଲା “ଜେମା, ଆମେ ତ କୁଜାକୁଜୀ ଦି’ଟା ସମସ୍ତଙ୍କୁ କଂଟା ହୋଇଛୁଁ । କିଏ ଆମକୁ ଦେଖିଲେ ମୁହଁ ମୋଡୁଛି, କିଏ ଛେପ ପକାଉଛି, କିଏ ହସ, କିଏ ଥଟ୍ଟାମଜାକରି ଆମକୁ ମଣିଷପଣରେ ଗଣନ୍ତି ନାହିଁ । ଆମଠିଁ କି ଗୁଣଅଛି ଯେ ସମସ୍ତଙ୍କୁ ରସେଇବୁ । ଆମ ରୂପ ଇମିତି ଅସୁନ୍ଦର ଯେ ଲୋକେ ଦେଖିଲେ ନାକ ଟେକୁଛନ୍ତି । ଦୁନିଆରେ ଆମେ ଯେମିତି ଅତି ଅଦରକାରୀ ଅକର୍ମଶିଳା ।” ଏହା ଶୁଣି ରାଣୀ ଭାନୁମତୀ କହିଲେ- “ଆଲୋ କୁଜୀ, ରୂପ ନଥିଲେ କ’ଣ ହେଲା, ଗୁଣ ଯାହାର ଅଛି, ସେଇତ ତାର ସୁନ୍ଦରପଣ । ତାହାକୁ ସବୁଠିଁ ସମସ୍ତେ ପରଶଂସା କରନ୍ତି । ତୁମ ଦିହିଁଙ୍କଠେଇଁ ଯେଉଁ ଗୁଣ ତାହାକୁ ସମସ୍ତେ ଜାଣିଲେ କାହାରି ଆଉ ମୁହଁ ଫିଟିବ ନାହିଁ ପରା ।” କୁଜା କହିଲା – “ଜେମାଦେଈ, ଆମକୁ ଚିହ୍ନିଥିଲେ ତୁମର ବାପାସା’ନ୍ତେ । ଆଉପୁଣି ଚିହ୍ନିବ କିଏ? ସହସା କହିଲା – ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ । ଆହା-ସେମିତି ଗୁଣ ଚିହ୍ନରା ରାଜା ଆଉ ଏଇ ଦୁନିଆରେ କେହିବି ନଥିବେ ।ଏଇ ଉଆସରେ ରହିବାକୁ ଆମର ଆଦୌ ଇଚ୍ଛା ହେଉନାହିଁ । ଖାଲି ତୁମରି ମୁହଁକୁ ଅନାଇ ଆମେ ଏଠାରେ ପଡିଛୁ ଆଉ ଆମ ରଜାଙ୍କ ଆଜ୍ଞା ଲଙ୍ଘନ କଲେ ଆମକୁ ଧର୍ମ ସହିବ ନାହିଁ । ନୋହିଲେ ଆମେ ଦିହେଁ କେବେଠାରୁ ଏଇ ଉଆସ ଛାଡି ଅନ୍ୟତ୍ର କୁଆଡେ ଯାଇ ସାରନ୍ତୁଣି ।” ରାଣୀ କହିଲେ – “କୁଜା, ତୁମେ ସିନା ବାହାର ଲୋକ ବୋଲି ଏକଥା କହିପାରୁଛ । କିନ୍ତୁ ମୋ କଥା ଟିକିଏ ଭାବିଲ, ମୋର ଯେବେ କେଉଁ କଥା ଏଠେଇଁ ମନକୁ ନପାଏ କି ଏଠିକାର ଲୋକେ ମତେ ଭଲ ନ ପାଆନ୍ତି, ମୁଁ କ’ଣ ଏଠଉଁ ପଳାଇବି? ପଳାଇଲେ କାହାକୁ ନିନ୍ଦା ହେବ? ସମସ୍ତଙ୍କୁ ଆପଣାର କରିପାରିବା ଶକ୍ତି କେବଳ ମଣିଷର ହିଁ ଅଛି । ସେ ତାହାର ସେହି ଶକ୍ତି ବଳରେ ଶତ୍ରୁକୁ ବି ମିତ୍ର କରିପାରେ । ତୁମେ ଇମିତି ହତାଶ ହୋଇପଡୁଛ କିଆଁ?” ଏଭଳି ଭରସା ସୂଚକ କଥା ଶୁଣି କୁଜାର ମନ ଟିକିଏ ବଦଳିଗଲା । ତା’ପରେ ସେ ହସି ହସି କହିଲା – “ହଉ – ତୁମ କଥା ମାନି ଗୋଟିଏ ଛୋଟ କାମ ଦେଖାଉଛି ।” ଏହା କହି କୁଜା ତାହାର ପେଡି ପୁଟୁଳିସବୁ ନେଇଆସି ତା’ ପାଖରେ ରଖିଲା । ଢୋଲକଟି କାନ୍ଧରେ ପକାଇ ପିଟିପିଟି ଚାରି ଘେରାବୁଲି “ଯା’ ଲାଗିଯା’, ଯା’ ଲାଗିଯା” କହି ଡେଇଁଲା । ଚାରିଆଡକୁ ଧୂଳି ଉଡାଇଲା । କୁଜୀ ଆଡକୁ କ’ଣ ଠାରିଦେଲା, ସେ ଭଲ ଶାଢୀଟିଏ ପିନ୍ଧି ଆସିଲା । କୁଜା ତାହାକୁ ଗୋଡରୁ ବେକଯାଏଁ ଖୁବ୍ କଷିକି ବାନ୍ଧିଦେଇ ଟୋକେଇଟି ପରିକରି ତାହାର ବଡ ବେତ ପେଡିଟିରେ ପୂରାଇଦେଲା । ପୁଣି ସେହି ପେଡିଟିକୁ ସାତପରସ୍ତ କଷ ଦଉଡାରେ ଭିଡି ବାନ୍ଧିସାରି ପେଡିରେ କୋଲପ ପକାଇଦେଲା । ରଜାଘର ଖଟଣିଆଙ୍କୁ କହିଲା – ଯାଅ… ଏଇ ପେଡିଟିକୁ ଉଠାଇନେଇ ଗୋଟାଏ ଘରେ ରଖି ସେ ଘର ଝିଞ୍ଜିର ଆଉ କିଳିଣୀ ଦେଇଦିଅ ।” ମଜା ଦେଖିବା ପାଇଁ ଖଟଣିଆ ଦି’ଜଣ ପେଡି ଟେକିନେଇ ଗୋଟାଏ ଘର ଚଟାଣରେ ରଖି ସେ ଘରେ ଝିଞ୍ଜିର ଆଉ କିଳିଣୀ ବାହାର ପଟରୁ ଦେଇ ଆସିଲେ । କୁଜା ସେମିତି ଘେରାଖାଇ ଢୋଲକ ପିଟିପିଟି ଧୂଳି ଉଡାଇ ଡେଇଁ ଡେଇଁ କହୁଥାଏ – “ଯାଆରେ ଭେଳିକି ଯା’ ଲାଗିଯା’, କୁଜୀ ମନ ବୁଝି ସଳଖୀ ଯା’ ।” ଦେଖଣାହାରୀ ସମସ୍ତେ ତାଟକା ହୋଇ ତାହାର ଢଙ୍ଗ, ରଙ୍ଗ, ନାଟ ଦେଖି ଆପଣା ଭିତରେ କୁହାକୋହି ହେଉଥାଆନ୍ତି “ଆଜି ଏ କୁଜା, କୁଜୀଟାକୁ ଯେଉଁ ଦଶା ଦେଲାଣି, ବିଚାରୀ କୁଜୀଟିର ସେଇ ପେଡି ଭିତରେ ହିଁ ଜୀବନ ଛାଡି ଯାଇଥିବ ।ସେଥିରେ ପୁଣି ଢୋଲପିଟି ଡେଇଁ ଡେଇଁ ନାଟକରୁଛି । କେଡେ ନିଷ୍ଠୁରଟା ବା ।” ଇମିତି କିଏ କେତେ କଥା କହୁଥାଆନ୍ତି । କୁଜା ସେଇଠୁଁ ଗୋଟାଏ ଜାଗାରେ ମୁଣ୍ଡରେ ହାତ ଦେଇ ବସି କାନ୍ଦିକୁନ୍ଥେଇ ହୋଇ ଅତ୍ୟନ୍ତ ଦୁଃଖରେ କହିଲା – “ଦେଖ ଦେଖଣାହାରୀଏ, ତୁମର ଟିକିଏ ମଉଜ ଫୁର୍ତି ପାଇଁ ମୁଁ ଆଜି ମୋର କୁଜୀଟିକୁ ହରାଇଲି । ସେ ଯେମିତି ଭିଡା ହୋଇଛି ପୁଣି ପେଡି ଭିତରେ ଅମୁହାଁ ବନ୍ଦହୋଇଛି, ତା’ ଜୀବନ ତ ବର୍ତ୍ତମାନ ସୁଧା ଛାଡିଯିବଣି । ତୁମେମାନେ ବି ସେଇୟା ଖୋଜୁଥିଲ । କୁଜୀଟା ସମସ୍ତଙ୍କର ନାପସନ୍ଦିଆ ଅସୁନ୍ଦରୀଟା, ତୁମ ସମସ୍ତଙ୍କୁ ସେ ଗନ୍ଧାଉଥିଲା । ସେ ମରିଗଲା, ଭଲ ହେଲା ବୋଲି କହିବ । ହେଲେ, ସେ ଯେ ମୋର ସୁଖ, ଦୁଃଖର ସଙ୍ଗିନୀ ଥିଲା । ତା’ ଅଭାବରେ ଏକୁଟିଆ ମୁଁ ଏବେ ଚଳିବି କେମିତି । ସମସ୍ତେ ତ ମତେ ଦେଖିଲେ ମୁହଁ ଫଣଫଣ, ନାକ ଭଣଭଣ, କଥା ଗାରୁଗାରୁ, ଆଖି ମିଟିମିଟି, ଦାନ୍ତ କିଟିକିଟି କର, ମୁଁ କାହା ଘେନି ଏଠେଇଁ ଆଉ ରହିବି । କିଏ ମୋ ଭଲମନ୍ଦ, ଦିହପା ଖବର ରଖିବ । ଦେଖଣାହାରୀମାନେ ହୋ’ ହୋ’ ହୋଇ କହିଲେ – “ନା… ନା… ସେ କୁଜୀକୁ ତୁମେ ପେଡିରୁ କାଢି ଫିଟାଇ ଦିଅ, ଆମେ ଦେଖିବୁଁ । ଆମ ପାଇଁ ଏତେ କଷ୍ଟପାଇ ସେ ବିଚାରୀର ପ୍ରାଣ ଯିବ । ଯାଅ… ଯାଅ… ଚଂଚଳ କାଢିଆଣ ।” କୁଜା କହିଲା – “ହଁ… କାଢି ଆଣିବି ଯେ ସେତେବେଳେତ ତାହାର ଅସୁନ୍ଦର କୁଜୀ ରୂପଟା ଦେଖି ତୁମମାନଙ୍କର ନାହି ଚମକି ଯାଉଥିଲା । ଇ’ଛୁଣିକା ସେ ତ ଆଉ ନାହିଁ, ପ୍ରେତ ମୂରୁତି ପାଲଟି ଯାଇଛି ।ବର୍ତ୍ତମାନ ତାହାର ଭୟଙ୍କର ବିକଟାଳ ରୂପ ଦେଖି ସମସ୍ତେ ସମ୍ଭାଳି ପାରିବତ? ଯେଉଁମାନେ ତାହାକୁ ଦେଖି ହସୁଥିଲେ, ଆଖିଠାର ମାରି ମଜା ଦେଖୁଥିଲେ, ଟାହି, ଟାପରା, ରଙ୍ଗ ରହସ୍ୟ କରି କୁରୁଳୁଥିଲେ । କୁଜୀ ପ୍ରେତ ରୂପରେ ବାହାରିଲା ମାତ୍ରେ ଆଗ ସେହିମାନଙ୍କୁ ଆମ୍ପୁଡି, କାମୁଡି, ଝୁଣି, ବିଦାରି ଖଣ୍ଡିଆ ଖାବରା ନାରଖାର କରିପକାଇବ । କୁହ, ଯେବେ ତୁମେମାନେ ରାଜି ତ ତେବେ ମୁଁ ଇ’ଛୁଣିକା କୁଜୀକୁ ତୁମମାନଙ୍କର ସାମନାକୁ କାଢିଆଣିବି । ଏପରି କଥା ଶୁଣି ଦେଖଣାହାରୀ ସମସ୍ତେ କହି ଉଠିଲେ – “ନାଇଁ ବାବା ନାହିଁ, କୁଜୀକୁ ଆମର ଆଉ ଦେଖିବା କିଛିବି ଦରକାର ନାଇଁ । ତୁମେ ତାହାକୁ ଚଂଚଳ କାଢିନେଇ ଉଆସ ବାହାରେ ମଶାଣିରେ ସେ ପେଡିଟା ଫିଙ୍ଗିଦେଇ ଆସିବଟି ।”ଏକଥା ଶୁଣି ସେ କୁଜା କହିଲା – “ଏଇ ହେଉଛି ଦୁନିଆର ଚଳଣି – ସମସ୍ତେ ସୁଖର ସାଥି । ଯେ ତୁମକୁ ଦଣ୍ଡେ ଆନନ୍ଦ ଦେବାପାଇଁ ସଜହୋଇ ପେଡିରେ ପଶି ତା ଜୀବନ ଗଲା, ତୁମେ କହିଲ ତାହାକୁ ଚଂଚଳ ନେଇ ମଶାଣୀରେ ଫିଙ୍ଗି ଦେଇଆସ । ହାଇରେ ବିଧାତା!” ରାଣୀ ଭାନୁମତୀ କହିଲେ – କିଆଁ? ତୁମେ ତୁମର କୁହୁକ ବିଦ୍ୟା ବଳରେ କୁଜୀକୁ ବଂଚାଇଦେଉନ । ତା’ପରେ ତମେ ଦି’ ପ୍ରାଣ ଏକାଠି ଅତ୍ୟନ୍ତ ସୁଖରେ ଚଳିବ ।” କୁଜା କହିଲା – ହଁ… ଜେମା ଦେଈ, ସେତିକି ନ କଲେ ମୋ କୁହୁକ ବିଦ୍ୟାର କରାମତି କିଏ ବା କେମିତି ଜାଣିବ । ଆଉ କୁଜୀକୁ ନ ବଂଚାଇଲେ ମୁଁ ପୁଣି ବଂଚିବି କେମିତି? ୟା କହି କୁଜା ପୁଣି ଚାରିପଟା ଘେରା ଖାଇ ଢୋଲକ ପିଟିପିଟି ଧୂଳି ଉଡାଇ କହିଲା – ଯା’ଲାଗିଯା’ ,… ଯା’ଲାଗିଯା’ … ଯା’ଲାଗିଯା’ ।” ପୁଣି ସେ କହିଲା –
“ଯା’ରେ ଭେଳିକିଯା’, କୁଜୀକୁ ଘେନିଆ’ ।
ରଙ୍ଗ ଛିଟଶାଢୀ ପିନ୍ଧି ଖାସା, କୁଜୀ ହୋଇଥିବ ବେଶଭୁଷା ।
ଗହଣା ଗାଣ୍ଠିରେ ସଜହୋଇ, କୁଜୀ ଆସୁ ପ୍ରାଣେଶ୍ୱର କହି ।
ତା’ବିନା ନୁହେଁ ମୋ ଆନଗତି, ନେତ୍ରସମ୍ପତ୍ତି ସେ ମୋର ସାଥୀ ।
ଯା’ରେ ଭେଳିକିଯା’ ବେଗେ, କୁଜୀକୁ ଆଣିବୁ ଏଇଲାଗେ ।
ଆ’ … ଲୋ କୁଜୀ ଆ’ …, ମୋ ଘରଣୀ ହୋଇ ଥା… ।”
ଚାହୁଁ ଚାହୁଁ ବାହାର ଉଆସ ଆଡୁ ଭଲ ଲାଲଛିଟ ଶାଢୀଟିଏ ପିନ୍ଧି ଦେଶୀ ଗହଣାଗାଣ୍ଠି ଯଥା ସିନ୍ଥିରେ ମାଙ୍ଗସରି, କପାଳରେ କେତକି, କାନରେ ଗଣ୍ଠିଆ ବାଉଳୀ, ନାକରେ ଦଣ୍ଡୀ, ବସଣୀ, ନୋଥ, ଗଳାରେ ସୋରିଷିଆ, ମଲ୍ଲୀ କଢିମାଳ, ବେକରେ ଚାପସରୀ, ହାତରେ ଖୁଡୁ ପଇଂଚି, ବଟଫଳ, ବାହାରେ ଅନନ୍ତତାଡ, ଅଂଟାରେ ଚନ୍ଦ୍ରହାର, ପାଦରେ ପାହୁଡ, ବାଙ୍କିଆ ନାଇ ଅପୂର୍ବ ବେଶଭୁଷା ହୋଇ କୁଜୀ ମୁରୁକି ମୁରୁକି ହସି କୁଜା ପାଖକୁ ଆସିଲା ।ଚାରିପାଖରେ ଘେରିକି ଯେତେ ଲୋକ ଦେଖଣାହାରୀ ଛିଡା ହୋଇ ଅପଲକ ଆଖିରେ ଘଟଣାଟା ଦେଖୁଥିଲେ, ସେମାନେ କଥାଟାକୁ ସତ କି ସପନ ବୋଲି କିଛି ବି ସ୍ଥିର କରିପାରୁ ନଥାନ୍ତି । କାହାରି ମୁହଁରେ ହେଲେ ବି ପଦେ କଥା ନାହିଁ । ସମସ୍ତେ ଅବାକ୍ ହୋଇ କାଠଭୂତ ପାଲଟି ଯାଇଥାନ୍ତି । ନ ହେବେ ବା କେମିତି! ନିଜ ଆଖିରେ ତ ଏତେସବୁ ଦେଖିଛନ୍ତି, କୁଜୀଟାକୁ ଗୋଡରୁ ବେକ ପରିଯନ୍ତେ ମାଉଁସ ମେଦପରି ବାନ୍ଧି ଗୋଟାଏ ବେତ ପେଡି ଭିତରେ ଖୁନ୍ଦିଖାନ୍ଦି ପୂରାଇ ସେହି ପେଡିଟାକୁ ସାତ ପରସ୍ତ ଦଉଡାରେ ବାନ୍ଧି ଦିଆଯାଇ ସେଥିରେ କୋଲପ ଦିଆଗଲା । ପେଡିଟା ପୁଣି ଗୋଟାଏ ଘର ଭିତରେ ରହିଥିଲା । ସେ ଘରେ ପୁଣି ଝିଞ୍ଜିର କିଳିଣୀ ଦିଆଗଲା । ଏ ତ ବଡ ଅଦ୍ଭୁତ କଥା । କୁଜୀ ଆପଣାଛାଏଁ ଫିଟିଲା କେମିତି? କେଉଁ ବାଟରେ ଗଲା? ଏତେ ସଜବାଜ ହେଲା ସେ କେତେବେଳେ? ଭା’ରି ଅଲୌକିକ କଥା ଇୟେ । ସଭିଁଙ୍କ ବୁଦ୍ଧିବଣା ହୋଇଗଲା, ମୁଣ୍ଡ ଗୋଳମାଳ ମଧ୍ୟ ହୋଇଗଲା ।ଏସବୁ ଦେଖି ସେ ପୁରୁଣା ରାଣୀଙ୍କ ଭିତରୁ ଜଣେ କହିଲେ – ଆଚ୍ଛା ଗଲ, ସେଇ ବେତ ପେଡିଟା ଏଠେଇଁକି ଘେନି ଆସିବ । ତହୁଁ ଦି’ଜଣ ପୋଇଲୀ ଉଠି ଯାଇ ସେ ଘର ଝିଞ୍ଜିର କିଳିଣୀ ଫିଟାଇ ପେଡିଟାକୁ ଟେକି ଆଣିଲେ । ସେତେବେଳେ ସେ ପେଡିଟା ଖୁବ୍ ହାଲୁକା ଲାଗୁଥାଏ । ହେଲେ, ସେମିତି ଭିଡା ହୋଇ ସେଥିରେ କୋଲପ ପଡିଛି । କୁଜା ନିଜର କୁଂଚିକାଠିରେ ସେ କୋଲପ ଫିଟାଇ ସମସ୍ତଙ୍କୁ ଦେଖାଇଦେଲା । ତା’ ଭିତର ଖାଲି ।ରାଣୀ ଭାନୁମତୀ କୁଜୀକୁ ପାଖକୁ ଡାକି ତାଙ୍କର ଗଳାରୁ କାଢି ଗୋଟିଏ ହରଡ ଫାଳ ମାଳ ତାହାକୁ ଉପହାର ଦେଲେ । ତାଙ୍କର ଦେଖାଦେଖି ଆଉ ସବୁ ରାଣୀ ଯେ ଯାହାର ଛୋଟ ଅଳଙ୍କାରରୁ ଗୋଟିଏ ଗୋଟିଏ କୁଜୀକୁ ଦେଲେ । ସମସ୍ତଙ୍କ ମୁହଁରେ ଖାଲି ଗୋଟାଏ କଥା – “କୁଜାକୁଜୀଙ୍କଠିଁ ପୁଣି ଇମିତିକା ଗୁଣ ଅଛି ।”ଏତିକିବେଳେ ସେ କୁଜା ହାତ ଯୋଡି କହିଲା – ଜେମାମଣୀ, ଆଜି ଯେଉଁ କୁହୁକବିଦ୍ୟା ମୁଁ ଦେଖାଇଲି । କାଳକାଳକୁ ୟେ ତୁମରି ନାମରେ ଜଗତସାରା ପରକାଶ ହେବ । ଏଇ ଭେଳିକି ବିଦ୍ୟାର ଆଜିଠଉଁ ନାଁ ହେଲା “ଭାନୁମତୀ ଭେଳିକି” ଆଉ ଏଇ ପେଡିର ନାଁ ହେବ “ଭାନୁମତୀ କୁହୁକ ପେଡି ।” ଏତିକି ମଞ୍ଜୁର ହେଉ ।” ଏକଥା ଶୁଣି ରାଣୀ ଭାନୁମତୀ ହସି ହସି କହିଲେ – ହଉ ହଉ, ତୁମେ ଦିହେଁ ଗଲ ଆଗେ ଖିଆପିଆ କରିବ ।”ସେଇ ଦିନଠଉଁ ସେ ଉଆସ ଭିତରେ ସମସ୍ତେ କୁଜାକୁଜୀଙ୍କୁ ଭା’ରି ଆଦର କଲେ । ହସିକରି କଥା ମଧ୍ୟ କହିଲେ । ଭଲରେ ମନ୍ଦରେ ପଚାରିଲେ ।ଫଳରେ କୁଜାକୁଜୀଙ୍କ ମନରେ ଯେତେ କଷ୍ଟଥିଲା, ସେହି ଦିନଠୁଁ ସବୁ କୁଆଡେ ଉଭାଇଗଲା ।