ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ୍ କନିଷି ହାଟ ବାଲାଜୀ ବିଦ୍ୟାପୀଠ ନିକଟସ୍ଥ ବିଶ୍ୱନାଥ ଉଚ୍ଚ ବୈଷୟିକ ବିଦ୍ୟାଳୟର ଖେଳପଡ଼ିଆରେ ବିଜୁ ଯୁବବାହିନୀ ପକ୍ଷରୁ ଆୟୋଜିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଶୃଙ୍ଖଳା ଦୃଷ୍ଟିରୁ ବନ୍ଦ କରିବା ପାଇଁ ଗୋପାଳପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସ୍ମାରକପତ୍ର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବାଲାଜୀ ବିଦ୍ୟାପୀଠ ଓ ଗୋଳନ୍ଥରା ସ୍ଥିତ ବିଶ୍ୱନାଥ ଉଚ୍ଚ ବୈଷୟିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ସହ ସଂଲଗ୍ନ ଖେଳପଡ଼ିଆରେ ଆରମ୍ଭ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୋଗୁଁ ଶଦ୍ଧ ପ୍ରଦୂଷଣରେ ପରୀକ୍ଷାର୍ଥିୀମାନଙ୍କ ମନ ବିଚଳିତ ହେବା ସହ ପରୀକ୍ଷାରେ ବାଧା ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି । ଯଦି ଏଥିପ୍ରତି ଦୃଷ୍ଟି ଦିଆ ନ ଯାଏ ତେବେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ସୁଭାଶିଷ ସାହୁ, ଜିଲ୍ଲା ଉପସଭାପତି ସୁନୀଲ୍ କୁମାର ସାହୁ, ସନତ କୁମାର ନାୟକ, ଜଗମୋହନ ପାତ୍ର, ଦିଲ୍ଲୀପ ରାଉତଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା