ଛତ୍ରପୁର (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲାର ଛତ୍ରପୁର ଏନଏସିର ୬ ନଂ ୱାର୍ଡ଼ ବିଜେଡି କାଉନସିଲର ଲକ୍ଷ୍ମୀଦତ ପ୍ରଧାନ (ବଚନ)ଙ୍କୁ ୨୦୧୭ ସେପ୍ଟମ୍ବର ୧୬ ତାରିଖରେ ତାଙ୍କ ଘର ସମ୍ମୁଖରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଥାନାରେ ଶନିବାର ହାଜର ହେବାକୁ ଗତ ୨୮ ତାରିଖରେ ଛତ୍ରପୁର ପୋଲିସ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ରଙ୍କୁ ନୋଟିସ ଜାରି କରିଥିଲା । ତେବେ ଭୃଗୁ ହାଜର ହୋଇପାରିଲେ ନାହିଁ । ଅସୁସ୍ଥତା ଥିବାରୁ ତାଙ୍କ ଓକିଲଙ୍କ ଜରିଆରେ ଛତ୍ରପୁର ଥାନାରେ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ତଥା ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀଙ୍କ ନିକଟରେ ଓଡ଼ିଶା ହାଇକୋର୍ଟର ଓକିଲ ପାର୍ଥ ସାରଥୀ ନାୟକ ଓ ମୈତ୍ରୀଜିତ ମହାନ୍ତି ବକ୍ସି ପାତ୍ରଙ୍କ ତରଫରୁ ହାଜର ହୋଇ ଏକ ମାସ ସମୟ ପାଇଁ ପୋଲିସ ନିକଟରେ ଆବେଦନ କରିଛନ୍ତି । ଏ ନେଇ ହାଇକୋର୍ଟ ଓକିଲ ପାର୍ଥ ସାରଥୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଭୃଗୁବକ୍ସି ପାତ୍ରଙ୍କ ଜର ଓ ଉଚ୍ଚ ରକ୍ତଚାପ ଯୋଗୁଁ ସେ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ୨୦ ଦିନ ପର୍ଯ୍ୟନ୍ତ ତାଙ୍କୁ ଦୂରଯାତ୍ରା କରିବାକୁ ମନା କରିଛନ୍ତି । ସେଥିପାଇଁ ସେ ଗାଡ଼ିରେ ଯାତ୍ରା କରି ଆସିବା ସମ୍ଭବ ନୁହେଁ ବୋଲି ତାଙ୍କ ଲିଖିତ ଚିଠି ଓ ଡାକ୍ତରଙ୍କ ପ୍ରମାଣପତ୍ର ଏସଡିପିଓଙ୍କୁ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଭଲ ହେବା ପରେ ପୁଲିସ ତାଙ୍କୁ ଯେତେବେଳେ ଡାକିବେ ସେ ପୋଲିସକୁ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ଲକ୍ଷ୍ମୀଦତ ହତ୍ୟା ମାମଲାରେ ଏବେ ସୁଦ୍ଧା ୫ଟି ପର୍ଯ୍ୟାୟରେ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ନେତା କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତିସଭ୍ୟ ଏନ.ଦୁର୍ଯ୍ୟୋଧନ ରେଡ୍ଡିଙ୍କ ସମେତ ୧୯ ଜଣଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି କହିଛନ୍ତି । ଗତବର୍ଷ ଡିସେମ୍ବର ୩୧ ଭିତରେ ଗିରଫ ହୋଇଥିବା ୧୮ ଅଭିଯୁକ୍ତଙ୍କ ୧୨୦ ପୃଷ୍ଠାର ଚାର୍ଜସିଟ ପୋଲିସ ଦାଖଲ କରିଛି । ଏବେ ବି ତଦନ୍ତ ଚାଲିଛି । ଏହି ଘଟଣାରେ ଗତ ମାସ ୨୮ ତାରିଖରେ ବିଜେପି ମୁଖପାତ୍ର ଗୋଲକପ୍ରସାଦ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ରଙ୍କୁ ଥାନାରେ ହାଜର ପାଇଁ ନୋଟିସ ଜାରି ହୋଇଥିଲା । ଫେବୃୟାରୀ ୭ ତାରିଖ ଦିନ ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଥାନାରେ ହାଜର ହେବା ନିମନ୍ତେ ନୋଟିସ ଜାରି ହୋଇଥିବାବେଳେ ତାଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ସେ ନଆସି ତାଙ୍କର ଦୁଇ ଜଣ ଓକିଲଙ୍କ ଜରିଆରେ ଲିଖିତ ଆବେଦନ ପତ୍ର ଓ ଚିକିତ୍ସିତ ଡାକ୍ତରଙ୍କ ସାଟିଫିକେଟ ପ୍ରଦାନ କରି ଏକ ମାସ ସମୟ ମାଗିଥିଲେ । ଆଜି ଭୃଗୁବକ୍ସି ପାତ୍ର ହାଜର ହେବା ନିମନ୍ତେ ପୋଲିସ ପକ୍ଷରୁ ନୋଟିସ ଜାରି ହୋଇଥିବା ବେଳେ ଅବିକଳ ସେ ମଧ୍ୟ ତାଙ୍କର ଅସୁସ୍ଥତା ନେଇ ଦୁଇ ଜଣ ଓକିଲ ଛତ୍ରପୁର ଥାନାରେ ହାଜର ହୋଇ ଏକ ମାସ ସମୟ ମାଗିଛନ୍ତି । ଆଜି ଛତ୍ରପୁର ଥାନାରେ ହତ୍ୟାକାଣ୍ଡର ତଦନ୍ତ ଅଧିକାରୀ ତଥା ଛତ୍ରପୁର ଏସଡିପିଓ ସେଠୀ, ଛତ୍ରପୁର ଥାନାଧିକାରୀ ପ୍ରିୟସ ରଂଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାଧିକାରୀ ବିଶ୍ୱଜ କୁମାର ରାଉତ, ରମ୍ଭା ଥାନାଧିକାରୀ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା