ବିଜେଡି ନେତାଙ୍କୁ ଗୁଳି ମାଡ଼ ଘଟଣାର ୪ ଗିରଫ

କାମାକ୍ଷାନଗର(ସମୃଦ୍ଧ ଓଡିଶା)ଗତ ୧୪ ତାରିଖ ରାତିରେ ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ବୋମା ଓ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି। କାମାକ୍ଷାନଗର ପୋଲିସ୍‌ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁବାସ ଖୁଣ୍ଟିଆ ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୪ଟି ଅଫୁଟା ଗୁଳି, ୪ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ ହୋଇଛି । ଦାଦାବଟି ଆଦୟକୁ ନେଇ ଗୁଳିମାଡ ହୋଇଥିବା ପୋଲିସ କହିଛି । ତେବେ ଅନ୍ୟତମ ଅଭିଯୁକ୍ତ ରାକେଶ ନାଥ ଫେରାର ଅଛି। ତାକୁ ଗିରଫ କରିବା ପାଇଁ ଉଦ୍ୟମ ଜାରୀ ରହିଛି । ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଗତ ୧୪ ତାରିଖ ଦିନ ବିଜେଡି ନେତା କାହ୍ନୁଚରଣ ସାହୁ ରାତି ପ୍ରାୟ ୧୧ଟା ବେଳେ ନିଜ କାର୍‌ରେ ଘରକୁ ଫେରୁଥିଲେ। କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାଡ଼ କରିଥିଲେ। କାହ୍ନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।