ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନଙ୍କର ଆରମ୍ଭ ହେଲା ନିଶାମୁକ୍ତ ଅଭିଯାନ: ମୁଖିଆ ଅନୁମତି ଦେବେ ତ ?…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ‘‘ମୁଁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଉ କାହିଁକି ଖଣ୍ଡପଡ଼ା ଆସୁନାହିଁ ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ମୁଁ କିନ୍ତୁ ଗୋଟିଏ ବିଶେଷ କାର୍ଯ୍ୟକ୍ରମ ନେଇ ପୁଣି ଖଣ୍ଡପଡ଼ା ଆସିବି ବୋଲି କହିଥିଲି । ଆଜି ହେଉଛି ସେହି ବିେଶଷ ଦିନ। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀକୁ ନିଶାମୁକ୍ତ କରିବାର ସଂକଳ୍ପ ନେଇ ଭାପୁରରୁ ଅଭିଯାନ ଆରମ୍ଭ ହୋଇଛି। ସବୁଠାରୁ ବଡ଼ କଥା ହୋଉଛି, ମା’-ମାଉସୀମାନେ ହଜାର ହଜାର ସଂଖ୍ୟାରେ ଏଥିରେ ଯୋଗ ଦେଇ ଏହି ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି । ଏହା େମାତେ ଉତ୍ସାହିତ କରିଛି । କେବଳ ସେତିକି ନୁହେଁ, ଏହି ଅଭିଯାନକୁ ସଫଳ କରିବା ଲାଗି ସେମାନଙ୍କର ଭାଇ ଓ ପୁଅମାନେ ମଧ୍ୟ ସମର୍ଥନ ଓ ସହଯୋଗ ଯୋଗାଇଛନ୍ତି । ମୋର  ବିଶ୍ବାସ ହଉଛି, ଭାପୁରରୁ ଆରମ୍ଭ ହୋଇଥିବା ଆଜିର ଏହି ଆନ୍ଦୋଳନ କେବଳ ଖଣ୍ଡପଡାକୁ ନିଶାମୁକ୍ତ କରିବ ତା ନୁହେଁ, ସମଗ୍ର ଓଡ଼ିଶାକୁ ଭିନ୍ନ ଏକ ବାର୍ତ୍ତା ଦେବ।’’ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ବାଇପାସ୍ ହନୁମାନ ମନ୍ଦିରରେ ଖଣ୍ଡପଡ଼ା ନିଶାମୁକ୍ତ ଅଭିଯାନ ପକ୍ଷରୁ ଆୟୋଜିତ ବୈଠକରେ େଯାଗଦେଇ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏଭଳି ଢଙ୍ଗରେ ନିଜ ବକ୍ତବ୍ୟ ରଖିଛନ୍ତି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ନିର୍ଣ୍ଣାୟକ ଭୂମିକାରେ ପହଞ୍ଚାଇବା ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରୁ ଦୁଆର ଦୁଆର ବୁଲି ଦସ୍ତଖତ ଅଭିଯାନ କରାଯିବ ଓ ସେ  ନିଜେ ଏହି ବ୍ୟବସ୍ଥାର ତଦାରଖ କରିବେ ବୋଲି  ଶ୍ରୀ ପଟ୍ଟନାୟକ କହିଥିଲେ।ବୈଠକକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ପୂର୍ବରୁ ପଞ୍ଚାୟତରେ ୩୩ ପ୍ରତିଶତ ମହିଳାଙ୍କ ଭାଗିଦାରୀକୁ ବିଜୁ ପଟ୍ଟନାୟକ ସ୍ୱୀକୃତି ଦେଇ ଥିଲେ । ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଏହାକୁ ୫୦ ପ୍ରତିଶତ କରି ତୃଣମୂଳସ୍ତରରେ ମହିଳା ସଶକ୍ତୀକରଣ ପ୍ରକ୍ରିୟାକୁ ଆଉ ପାଦେ ଆଗେଇ ନେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଖଣ୍ଡପଡା ନିର୍ବାଚନମଣ୍ଡଳୀରୁ ଯେଉଁ ଅଭିଯାନ ଆରମ୍ଭ ହୋଇଛି, ତାକୁ ଅଧିକ ପ୍ରଭାବୀ କରିବା ଲାଗି ଆହ୍ୱାନ ଦେଇ  ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ନିଶାମୁକ୍ତି ପାଇଁ ସରକାରଙ୍କ ଉପରେ ଚାପ ପକାଇବା ତଥା ମଦ ଦୋକାନ ଭାଙ୍ଗିବା ଅପେକ୍ଷା ପ୍ରତି ପରିବାରରୁ ଏକ ସାମାଜିକ ସଂସ୍କାରର ଆନ୍ଦୋଳନ ରୂପେ ଏହା ଆରମ୍ଭ ହେବା ଦରକାର । ବହୁବର୍ଷ ପୂର୍ବେ ନାରୀମାନଙ୍କୁ ଲକ୍ଷ୍ୟ ରଖି ବିପ୍ଳବୀ ନେତା ଲେନିନ୍‌,ସେମାନଙ୍କୁ ‘ଅଧାବିଶ୍ୱ’ ବୋଲି ସମ୍ବୋଧିତ କରିଥିଲେ। କୌଣସି ସାମାଜିକ ସଂସ୍କାର ବା ପରିବର୍ତ୍ତନ ଅଧାବିଶ୍ଵକୁ ବାଦ୍‌ ଦେଇ ସଫଳ ହୁଏ ନାହିଁ । ଆଜି ସେଥିପାଇଁ ମା’ ମାଉସୀମାନେ ପ୍ରତ୍ୟେକ ପରିବାରରୁ ଏହି ଆନ୍ଦୋଳନ ଆରମ୍ଭ କଲେ ନିଶାମୁକ୍ତ ସମାଜ ଗଠନ ପ୍ରକ୍ରିୟା ସଫଳ ରୂପ ନେବ। ପ୍ରତ୍ୟେକ ଭଉଣୀ ଯଦି ଭାଇକୁ କହିବ, ତୁ ମଦ ନ ଛାଡ଼ିଲେ ମୁଁ ତୋ ହାତରେ ରାକ୍ଷୀ ବାନ୍ଧିବି ନାହିଁ; ଭାଉଜ ଯଦି ଦିଅରକୁ କୁହେ, ତୁମେ ମଦ ନଛାଡ଼ିଲେ ମୁଁ ଖାଇବାକୁ ବାଢ଼ି ଦେବି ନାହିଁ; ମା’ ଯଦି ପୁଅକୁ ରାଣ ପକାଇ କହିବ, ମୋ ମୁଣ୍ଡରେ ହାତ ଦେଇ କହ ତୁ ଆଉ ମଦ ପିଇବୁ ନାହିଁ, ତା’ହେଲେ ଯାଇ ମଦର ଚାହିଦା ଆପେ ଆପେ କମିଯିବ।ପରିସଂଖ୍ୟାନ ଦେଇ ସାଂସଦ କହିଥିଲେ, ମଦ୍ୟପାନ ଯୋଗୁ ୩୦ ପ୍ରତିଶତ ଦୁର୍ଘଟଣା ଘଟୁଛି । ନାରୀ ନିର୍ଯାତନା ଓ ପାରିବାରିକ ଅଶାନ୍ତି ବଢିବା ପଛର ପ୍ରମୁଖ କାରଣ ପାଲଟିଛି ମଦ । ମଦର ପ୍ରସାର ଯୋଗୁ ରାଜସ୍ୱ ବୃଦ୍ଧି ଘଟୁଛି ବୋଲି ଗୋଟିଏ ଗୋଷ୍ଠୀ ଯୁକ୍ତି କରୁଛନ୍ତି । ମଦରୁ ମିଳୁଥିବା ରାଜସ୍ୱ ଯଦି ଆଦାୟ ନ ହୁଏ, ତେବେ ହୁଏତ ଗୋଟେ ଅଧେ ଯୋଜନା ବନ୍ଦ ବା ପ୍ରଭାବିତ ହୋଇଯାଇ ପାରେ, କିନ୍ତୁ ତାହା ତୁଳନାରେ ଆମ ସମାଜରେ ଯେଉଁ ବିପର୍ଯ୍ୟୟ ଘଟୁଛି, ତାହା ଯଥେଷ୍ଟ କମିଯିବାର ସମ୍ଭାବନା ରହିଛି । ତେଣୁ ସାଧାରଣ ଲୋକେ ଏଥିପାଇଁ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଏହି ଅଭିଯାନକୁ ଅଧିକ ଫଳପ୍ରସୂ କରିବା ପାଇଁ ପ୍ରତ୍ୟେକ ଆସନ୍ତା ଡିସେମ୍ବର ୧ରୁ ଦୁଆର ଦୁଆର ‌ବୁଲି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଏହି ଅଭିଯାନରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ମୁଖ୍ୟ ଅପର୍ଣ୍ଣା ନାୟକ କହିଥିଲେ, ମଦ ବନ୍ଦ ପାଇଁ ଅନେକ ଜାଗାରେ ନାରୀ ଆନ୍ଦୋଳନ ଦେଖିବାକୁ ମିଳୁଛି । ଏହା ଏକ ଭଲ ଲକ୍ଷଣ। ମହିଳାମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କଲେ ମଦ ବନ୍ଦ ହୋଇପାରିବ । ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ବରିଷ୍ଠ ସଦସ୍ୟା ବାସନ୍ତୀ ଆଚାର୍ଯ୍ୟ କହିଥିଲେ, ସରକାରଙ୍କ ଆଇନକାନୁନ୍ ଅପେକ୍ଷା ବ୍ୟକ୍ତି ସଚେତନତା ଦ୍ୱାରା ମଦର ବିଲୋପ ସାଧନ ହୋଇପାରିବ।ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ନନ୍ଦ, ପ୍ରଭାସିନୀ ନନ୍ଦ, ରାମେଶ୍ୱର ଶତପଥୀ ପ୍ରମୁଖ ନିଶା ନିବାରଣ ନେଇ ବକ୍ତବ୍ୟ ରଖିଥିଲେ । ଦୁର୍ଯ୍ୟୋଧନ ସ୍ୱାଇଁ, ବିଜୟ କୁମାର ତ୍ରିପାଠୀ , ବିରଞ୍ଚି ନାରାୟଣ ପଟ୍ଟନାୟକ, ଶିବପ୍ରସାଦ ଷଡଙ୍ଗୀ, ମଧୁସୂଦନ ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ସଭା ଆରମ୍ଭ ପୂର୍ବରୁ ଭାପୁର ଫାୟର ‌ଷ୍ଟେସନ ଛକରୁ ଏକ ବିଶାଳ ଜାଗରଣ ପଦଯାତ୍ରା ବାହାରିଥିଲା । ସଭାଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣର ପ୍ରସ୍ତାବ ଦେଇଥିବାରୁ ଶ୍ରୀ ପଟ୍ଟନାୟକଙ୍କ ଆହ୍ୱାନ ଆହ୍ୱାନରେ ସମବେତ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ । ହେଲେ ମୁଖିଆ ରାଜ୍ୟରେ ମଦ ଦୋକାନ ଖୋଲିବା ଢେଙ୍କାନାଳରେ ମଦ କାରଖାନା ଖୋଲିବାକୁ ଅନୁମତି ଦେଉଥିବା ବେଳେ ସୌମ୍ୟ ବାବୁ କିପରି ନିଶାନିବାରଣ ଅଭିଯାନ ଚଳାଇବେ ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।