
ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ସାଧାରଣ ନିର୍ବାଚନ ପାଇଁ ଗତକାଲିଠୁ ଆନୁଷ୍ଠାନିକ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବିଜେଡି ଆଜି ୩୫୦ଟି ଭ୍ୟାନ୍ ମାଧ୍ୟମରେ ରାଜ୍ୟବ୍ୟାପୀ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ପତାକା ହଲାଇ ଏହି ଭ୍ୟାନଗୁଡ଼ିକର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଘରେ ଘରେ ବିଜେଡି ସରକାର ସଂକଳ୍ପ ଓ ସଫଳତାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଚାର ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ସମସ୍ତ ପ୍ରଚାର ଭ୍ୟାନ୍ ଏବେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ମୋଟ ୬୩ଟି ବିଧାନସଭା ଆସନରେ ପ୍ରଚାର କାର୍ଯ୍ୟରେ ନିୟୋଜିତ ହେବେ। ପ୍ରତ୍ୟେକ ଭ୍ୟାନରେ ଦୁଇଜଣ ଡ୍ରାଇଭର ଓ ଜଣେ ଦଳୀୟ କର୍ମୀଙ୍କୁ ମୁତୟନ କରାଯାଇଛି। ପ୍ରଚାର ଗାଡ଼ିଗୁଡ଼ିକରେ ଜିପିଏସ୍ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏସବୁ ଭ୍ୟାନଗୁଡ଼ିକର ଗତିବିଧି ଭୁବନେଶ୍ୱରରୁ ଦଳର ପ୍ରଚାର ରୁମରୁ ନିୟନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି।