ବିଜେଡିର ସାଙ୍ଗଠନିକ ନିର୍ବାଚନ: ଆଜି ନାମାଙ୍କନ ଭରିବେ ନବୀନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ପୁଣି ଥରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜେଡି ସଭାପତି ନିର୍ବାଚିତ ହେବେ ନବୀନ । ଏହା ସହ ଲଗାତାର ଭାବେ ଅଷ୍ଟମ ଥର ଲାଗି ଦଳରେ ତାଙ୍କର ହେବ ରାଜାଭିଷେକ । ଆଜି ନବୀନ ପଟ୍ଟନାୟକଙ୍କ ସହ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ବି ନାମାଙ୍କନ ଭରିବେ । ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯିବ । ବିଜେଡ଼ିର ଏହି ସାଙ୍ଗଠନିକ ନିର୍ବାଚନ କେବଳ ନାମକୁ ମାତ୍ର । ଏହା ଗଣତାନ୍ତ୍ରକି ବିଧି-ବ୍ୟବସ୍ଥା ଅନୁସୃତ ହେଉଛି ବୋଲି କରାଯାଇଛି । କାରଣ ବିଜୁ ସୁପୁତ୍ର ନବୀନ ହେଉଛନ୍ତି ଅବିକଳ୍ପ ଓ ଅପ୍ରତିଦ୍ୱନ୍ଦୀ । କେବଳ ରାଜ୍ୟ ପାଇଁ ନୁହେଁ ନିଜ ଦଳ ପାଇଁ ମଧ୍ୟ । ସେଥିପାଇଁ ତ କୁହାଯାଏ ବିଜେଡ଼ି ମାନେ ନବୀନ ନବୀନ ମାନେ ବିଜେଡ଼ି । ନବୀନ ଓଡ଼ିଶା ରାଜନୀତିରେ ଲୋକପ୍ରିୟତାର ଶୀର୍ଷରେ । ଯାହାଙ୍କ ପାଇଁ କିଛି ବି ଅପହଞ୍ଚ ନୁହେଁ । ସେ କେତେବେଳେ ଦଳ ପାଇଁ ଗର୍ବ ତ କେତେବେଳେ ବିରୋଧୀଙ୍କ ଇର୍ଷାର କାରଣ । ସେ ଦଳର ପରିଚୟ, ସ୍ଥିତି ଓ ଭବିଷ୍ୟତ । ସେ ଗୋଟେ ଏମିତି ବ୍ରାଣ୍ଡ ଯାହାଙ୍କ ନାଁ ରେ ହିଁ ରାଜ୍ୟ ରାଜନୀତିରେ ସଫଳତା ସାଉଁଟିହୋଇଥାଏ । ପଞ୍ଚମ ଥର ପାଇଁ ଓଡ଼ିଶାର ଶାସନ ଡ଼ୋର ନିଜ ହାତକୁ ନେଇ ସେ ଏହା ପ୍ରମାଣିତ କରିଛନ୍ତି । ନବୀନ ପଟ୍ଟନାୟକ ନାମାଙ୍କନ ଭରିବା ବେଳେ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ମଧ୍ୟ ଉପସ୍ଥିତ ରହିବେ ।

ରିପୋର୍ଟ : ଆକାଶ ମିଶ୍ର