ବିଜେଡିରେ ମିଶିଲେ କୃଷ୍ଣପ୍ରସାଦ ବ୍ଲକର ବିଜେପି ସମିତି ସଭ୍ୟ ଓ କର୍ମୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ବଡ଼ଝାଡ଼ ପଂଚାୟତ ସମିତି ସଭ୍ୟା ଶ୍ରୀମତୀ ସରୋଜିନୀ ତରାଇ, ଗୋମୁଡ଼ିଆ ପଂଚାୟତର ସମିତି ସଭ୍ୟ ବିଜୟ କୁମାର ତରାଇ ଏବଂ ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରିୟବ୍ରତ ଜେନାଙ୍କ ସହ ୧୦୦ରୁ ଊଦ୍ଧ୍ୱର୍ କର୍ମୀ ଭାରତୀୟ ଜନତା ପାର୍ଟି ତ୍ୟାଗ କରି ନବୀନ ନିବାସରେ ଆୟୋଜିତ ଯୋଗଦାନ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ ନେତା ଓ କର୍ମୀଙ୍କୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜେପିର ଉଭୟ ନେତା ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ । ବିଧାୟକ ଶ୍ରୀ ଦାସବର୍ମା ଏହି ଅବସରରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଉଭୟ ତରାଇ ଦମ୍ପତିଙ୍କୁ ଦଳରେ ସାମିଲ କରାଇଥିବାରୁ ମୁଁ ଧନ୍ୟବାଦ ଦେଉଛି । ଶ୍ରୀ ତରାଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସୁଶାସନ, ଦୃଢ଼ ନେତୃତ୍ୱ ଏବଂ ବିକାଶମୂଳକ କାର୍ଯ୍ୟଧାରାରେ ମୁଁ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ଯୋଗଦେଲି । ମାନ୍ୟବର ବିଧାୟକଙ୍କ ଯୋଗୁ ଆମ ବ୍ଲକର ପ୍ରାୟ ଅଧିକାଂଶ ହିତାଧିକାରୀ ବର୍ତମାନ ରାଜ୍ୟ ଖାଉଟି ଯୋଜନାରେ ସାମିଲ ହୋଇପାରିଛନ୍ତି । ଏଭଳି ପରିସ୍ଥିତିରେ ମୁଁ ବିରୋଧ କରିବା ଅପେକ୍ଷା ସହଯୋଗ କଲେ, ଆମ ଲୋକମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ତରାଇ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ ସୌଦାମିନୀ ମାନସିଂହ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ବିଜେଡି ବ୍ଲକ ସଭାପତି କୈଳାସ ପଟ୍ଟନାୟକ, ରମେଶ ପଲେଇ, ବ୍ରହ୍ମଗିରି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା, ବରିଷ୍ଠ ନେତା ହେମନ୍ତ ଜେନା, କେଦାରନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।        ରିପୋର୍ଟ : ଆକାଶ ମିଶ୍ର