

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଶ୍ରୀ ସାଗରଙ୍କ ସହିତ ସଂଗୀତ ନିର୍ଦ୍ଦେଶକ ଜାପାନୀ, ସଂଗୀତକାର ମହମ୍ମଦ ଅବିଦ୍, କ୍ଷୀରୋଦ ସିଂହ, ଶିବ ଶର୍ମା, ମହମ୍ମଦ ୟାସିନ୍, ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ଶ୍ରୀ ସାଗରଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଶ୍ରୀ ସାଗର ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।ଏହି ଅବସରରେ ଶ୍ରୀ ସାଗର କହିଥିଲେ ଯେ ମୁଁ ଜାଣିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ସହୃଦୟ ବ୍ୟକ୍ତି । ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ପ୍ରତି ତାଙ୍କର ଭଲପାଇବା ଅଛି । ସେହି ସାଢ଼େ ୪କୋଟି ଜନସାଧାରଣଙ୍କ ମଧ୍ୟରୁ ମୁଁ ଜଣେ । ତେଣୁ ଆଜି ବିଜେଡିରେ ଯୋଗ ଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପାଇଁ କାମ କରିବି ।
ରିପୋର୍ଟ : ଆକାଶ ମିଶ୍ର