ବିଜେଡିରେ ଯୋଗଦେଲେ ସମତାକ୍ରାନ୍ତି, ଜେଏମ୍‍ଏମ୍‍ ଓ କଂଗ୍ରେସର ନେତା ଏବଂ କର୍ମୀ

ଭୁବନେଶ୍ୱର ( ସମୃଦ୍ଧ ଓଡିଶା) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସାଂସଦ ଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ନେତୃତ୍ୱରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିହାର ସୁରିନ୍‍ଙ୍କ ସହ କୁଆଁରମୁଣ୍ଡା ବ୍ଲକର ୧୧ଟି ଜିଇଏଲ୍‍ ଚର୍ଚ୍ଚର ଫାଦର, କର୍ମକର୍ତ୍ତା, ସଦସ୍ୟ ଏବଂ ପ୍ରଚାରକମାନଙ୍କ ସମେତ ସମତାକ୍ରାନ୍ତି, ଜେଏମ୍‍ଏମ୍‍ ଓ କଂଗ୍ରେସ ଦଳର ବହୁ ନେତା ଓ କର୍ମୀ ଆଜି ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୁଆଁରମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, କର୍ମୀ ସେଜାନ୍‍ ସୁରିନ୍‍, ସୁରେନ୍‍ ସୁରିନ୍‍, ଜୟ ବାର୍ଲା, ବିଲ୍‍କାନ ବାର୍ଲା, ବସନ୍ତ ଡାଙ୍ଗ, ବିନୟ ଡାଙ୍ଗ, ସିଲାସ ସୁରିନ୍‍, ଜିୱନ କିଣ୍ଡୋ, ମାର୍କସ ସମାଦ, ମସିଦାସ ଲୁଗୁନ୍‍ ପ୍ରମୁଖ ଅନ୍ତର୍ଭୁକ୍ତ ।ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ସମତାକ୍ରାନ୍ତି, ଜେଏମ୍‍ଏମ୍‍ ଓ କଂଗ୍ରେସ ନେତା ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଏହି ଅବସରରେ ସାଂସଦ ଶ୍ରୀ ନନ୍ଦ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ସମତାକ୍ରାନ୍ତି, ଜେଏମ୍‍ଏମ୍‍ ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧି ଓ ସେମାନଙ୍କ ସମର୍ଥକ ଏଥିରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲା ସହ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଏହା ଆମ ଦଳର ସାମର୍ଥ୍ୟ ବୃଦ୍ଧି କରିବ । ବିଜେଡିରେ ଯୋଗ ଦେଇଥିବା କର୍ମୀମାନେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକଙ୍କ ଅସହଯୋଗ ଆମକୁ ଅତିଷ୍ଠ କରିଥିଲା । ଆମ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଯେଉଁ କାର୍ଯ୍ୟ କରୁଛନ୍ତି, ତାହାକୁ ବିଧାୟକ ବିରୋଧ କରୁଛନ୍ତି । ଏଭଳି ବିରୋଧୀ ମନୋଭାବ ଯୋଗୁ ଆମେ ଆଜି ବିଜୁ ଜନତା ଦଳରେ ଯୋଗ ଦେଲୁ ।

ରିପୋର୍ଟ:ଆକାଶ ମିଶ୍ର