ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ମୋର୍ଚ୍ଚା ସଭାପତି ଗୋବିନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଦୀପ ପ୍ରଜ୍ୱଳନ କରି ରାଜ୍ୟ ବିଜେପି ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ ଉଦଘାଟନ କରିଥିଲେ । ମୋର୍ଚ୍ଚାର ପ୍ରଗତି ପାଇଁ ପ୍ରତ୍ୟେକ ସଦସ୍ୟଙ୍କୁ ସୈନିକ ଭାବେ ଲଢିବାକୁ ହେବ ବୋଲି ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଅନୁସୂଚିତ ଜାତି ମୋର୍ଚ୍ଚା କିପରି ସଂଗଠିତ ହୋଇ ଆଗମୀ ଦିନରେ କାର୍ଯ୍ୟ କରିବ ସେ ନେଇ ଶ୍ରୀ ସିଂହ ବୈଠକରେ ଆଲୋଚନା କରିଛନ୍ତି । ଏଥି ସହ ବିକାଶ ବିରୋଧୀ ସରକାରକୁ ରାଜ୍ୟରୁ ହଟାଇବା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି । ଆଗାମୀ ଡିସେମ୍ବର ୨୨ ଏବଂ ୨୩ ତାରିଖ ଦିନ ଉତରପ୍ରଦେଶର ଲକ୍ଷୋ୍ନଠାରେ ହେବାକୁ ଥିବା ଅନୁସୂଚିତ ଜାତି ମୋର୍ଚ୍ଚାର ମହାଅଧିବେଶନ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ଅଧିବେଶନରେ ଯୋଗ ଦେବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହେବା ସହ ନଭେମ୍ବର ୩୦ ସୁଦ୍ଧା ସମସ୍ତ ମଣ୍ଡଳ ଗଠନ କରି ପ୍ରତି ପଂଚାୟତରେ ୫ ଜଣ ଏବଂ ବୁଥରେ ୨ ଜଣ ସଭ୍ୟ ଯୋଡିବା ପାଇଁ ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । ଏହି ବୈଠକକୁ ରାଜ୍ୟ ସାଧାରଣ ସଂପାଦକ ସୁଶାନ୍ତ ମଲ୍ଲିକ ସଂଯୋଜନା କରିଥିବାବେଳେ ରାଜ୍ୟ ସଭାପତି ଶ୍ରୀ ଦାସ ସ୍ୱାଗତ ଭାଷଣ ରଖିଥିଲେ । ରାଜ୍ୟର ସବୁ ଜିଲ୍ଲାରୁ ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏଥି ସହ ମୋର୍ଚ୍ଚା ପ୍ରଭାରୀ ଦିଲୀପ ମଲ୍ଲିକ, ବିଜେପି ବାର୍ତା ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୂର୍ବତନ ମୋର୍ଚ୍ଚା ସଭାପତି ତଥା ବିଧାୟକ ବାଇଧର ମଲ୍ଲିକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ନାୟକ, ଉପସଭାପତି ମନିନ୍ଦର ଆର୍ଯ୍ୟ, ନରି ନାୟକ, ଭାଗିରଥୀ ସେଠୀ, କୋଷାଧ୍ୟକ୍ଷ ବୃନ୍ଦାବନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର