ବିଜେପି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ନେଇ ଉଦବେଗ….

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ହାଟ ପଡି ଦାଣ୍ଡରେ ପଡ଼ିଲାଣି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳ ସଭାପତି ନୂତନ ଭାବେ ଚୟନ କରାଯାଇଥିବା ନେଇ ଗତ ସାଧାରଣ ନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ କୁମାର କର ଗଣମାଧ୍ୟମକୁ ଦୁଇଦିନ ତଳେ ସୂଚନା ଦେଇଥିଲେ । ନୂତନ କର୍ମକର୍ତ୍ତାଙ୍କ ନାମ ମଧ୍ୟ ଉପସ୍ଥାପନ କରିଥିଲେ । ଏହା ଅସାମ୍ବିଧାନ ଭାବେ କରାଯାଇଛି ବୋଲି ଏହାର ପ୍ରତିବାଦ କରି ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଭାଜପା କାର୍ଯ୍ୟାଳୟ ପରିସରରେ ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀଙ୍କ ପୌରାହିତ୍ୟରେ ନିର୍ବାଚନ ମଣ୍ଡଳୀର ନେତା ତ୍ରିନାଥ ବେହେରା, କୀର୍ତ୍ତନ ଦାସ, ଭୀମସେନ ବେହେରା, ପି.ଚନ୍ଦ୍ର ଶେଖର ରାଓ, ଜିଲ୍ଲା ଉପସଭାପତି ଡ଼. କାନଙ୍କେୟା ରେଡ୍ଡୀ, ଲିଙ୍ଗରାଜ ନାୟକ, ଲକ୍ଷ୍ମୀନାରାୟଣ ପଣ୍ଡା, ଇ. ପ୍ରମୋଦ କୁମାର, ଗାଣ୍ଡୁଧର ଗୌଡ଼, ମନରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ରଶ୍ମି ରାଣୀ ମହାପାତ୍ର, ପି. ଜଗଦୀଶ ରାଓ, ଉମାଶଙ୍କର ମହାନ୍ତି, ପି.ରଘୁନାଥ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଏହାକୁ ବିରୋଧ କରିଥିଲେ । ଆମେ ଗଣମାଧ୍ୟମରେ ପ୍ରସାର ପରେ ଜାଣିପାରିଲୁ ଯେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୮ଟି ନୂତନ ମଣ୍ଡଳ ସଭାପତି ନିର୍ବାଚନ ହୋଇଥିବା ଏହା ଅସମ୍ବିଧାନ ଭାବେ କରାଯାଇଛି । ସମ୍ବିଧାନ ନିୟମ ଅନୁସାରେ କରାଯାଇ ନାହିଁ । ଏହାକୁ ଆମେ ଘୋର ନିନ୍ଦା କରିବା ସହ ବିରୋଧ କରୁଛୁ ବୋଲି ପ୍ରତିବାଦୀ ମାନେ ଅଭିଯୋଗ କରୁଛନ୍ତି । ମଣ୍ଡଳ ସଭାପତି ନିର୍ବାଚନ ନିମନ୍ତେ ବିଭିନ୍ନ ସାମ୍ବିଧାନିକ ପ୍ରକ୍ରିୟା ରହିଛି । ସେହି ପ୍ରକ୍ରିୟା ଅନୁଯାୟୀ କରାଯିବା ନିମନ୍ତେ ପାର୍ଟିର ଗାଇଡଲାଇନ ମଧ୍ୟ ରହିଛି । ଯେଉଁ ଗୋଷ୍ଠୀମାନେ ଏହାକୁ ଚକ୍ରାନ୍ତ କରି ଉଦ୍ୟମ କରୁଛନ୍ତି । ଏହାକୁ ଆମେ କରାଇଦେବୁ ନାହିଁ ବୋଲି ସେମାନେ ଦାବୀ କରିଥିଲେ । ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳ ସଭାପତି ପଦବୀ ନିମନ୍ତେ ସମ୍ବିଧାନ ନିୟମ ଅନୁସାରେ ନିର୍ବାଚନ କରାଯାଉ ବୋଲି ସେମାନେ ଦାବୀ କରିଥିଲେ । ଏନେଇ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀମାନେ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ, ପାର୍ଟିର ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ରଂଜନ ମହାନ୍ତି ଏବଂ ଗଞ୍ଜାମ ଜିଲ୍ଲା ସଭାପତିଙ୍କ ନିକଟକୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳ ସଭାପତି ନିମନ୍ତେ ନିର୍ବାଚନ କରିବା ପାଇଁ ଲିଖିତ ଦାବୀ ପତ୍ର ପଠାଯାଇଛି ବୋଲି ସେମାନେ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା