
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମରେ କରୋନା ଭୟାଭୟ ସ୍ଥିତିକୁ ଆୟତ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡିବା ସମ୍ପର୍କରେ ଏକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଦେଇଛନ୍ତି I ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ବିଗତ ୨୦ ବର୍ଷ ଧରି ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି, ନିରବଚ୍ଛିନ୍ନ ଭାବରେ ଗଞ୍ଜାମରୁ ବିଜୟ ଲାଭ ସହ ସାଧାରଣ ଜନତାଙ୍କ ଅକୁଣ୍ଠଚିତ୍ତରେ ସମର୍ଥନ ଲାଭ କରିଛନ୍ତି । ଏଭଳି ବହୁମତ ଏବଂ ସମର୍ଥନ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ମିଳିନଥିଲା । ଅବିଭକ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଯେଉଁଭଳି ଭାବରେ ଅକୁଞ୍ଚିତ୍ତରେ ସମର୍ଥନ ମିଳିଛି, ସେହିଭଳି ଭାବରେ ଗଞ୍ଜାମର ମୌଳିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା କ୍ଷେତ୍ରରେ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ହୋଇନାହିଁ । ଫଳ ସ୍ୱରୂପ ବର୍ତ୍ତମାନ କରୋନା ସ୍ଥିତି ସାଂଘାତିକ ଆଡକୁ ଗତି କରିଅଛି । କରୋନାର ପ୍ରାରମ୍ଭରୁ ଅନେକ ଅବ୍ୟବସ୍ଥା ଲାଗି ରହିଛି । ସେହି ଅବ୍ୟବସ୍ଥା ଗୁଡିକୁ ଦିରନ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଆପଣ ବୁଝିବା ପାଇଁ ଚେଷ୍ଟା କରି ନାହାନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ I ପ୍ରବାସରେ ଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକମାନେ ଯେବେ ଫେରିବା ଆରମ୍ଭ କଲେ, ସେହି ସମୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରହିଲା ନାହିଁ । ଏଥିରେ ଆପଣଙ୍କ କୌଣସି ପ୍ରତ୍ୟକ୍ଷ ସଂପୃକ୍ତି ରହିଲା ନାହିଁ । ଆପଣଙ୍କ କିଛି ହାତବାରିସୀ ହାତଗଣତି ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା କରୋନା ମୁକାବିଲାର ଅପଚେଷ୍ଟା ଚାଲିଛି । ଏହା ଫଳ ସ୍ୱରୂପ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ପ୍ରତ୍ୟେକ ଦିନ କରୋନା ଯୋଗୁଁ ଲୋକ ପୋକମାଛି ଭଳି ମୃତ୍ୟୁବରଣ କରୁଛନ୍ତି । ଦିନକୁ ଦିନ କରୋନା ଅଧିକ ରୁ ଅଧିକ ପୁରପଲ୍ଲୀ, ସାହିସାହି, ଗାଁଗଣ୍ଡାରେ, ସହରାଞ୍ଚଳର ଗଳିକନ୍ଦିରେ କରୋନା ରୋଗ ଗ୍ରାସ କରି ଚାଲିଛି । ବିଗତ ୪-୫ମାସ ହେଲା ଆକ୍ରାନ୍ତ ଓ ବ୍ୟାପ୍ତତାର ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲାପ୍ରଶାସନ ଦୈନିକ ଭିନ୍ନ ଭିନ୍ନ ଅପରିପକ୍ୱ ନିୟମ ଏକ ଚାଟିଆ ଭାବରେ ତିଆରି କରୁଛନ୍ତି ଯେଉଁଥିରେ ଅନ୍ୟ କାହାରି ସଂପୃକ୍ତି ନଥିବା ଜଳଜଳ ଦିଶୁଛି । ଯଥା:-ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ, ଡାକ୍ତରଖାନା, ସଂଗରୋଧ, ସଂଗରୋଧ କେନ୍ଦ୍ର ପରିଚାଳନା, ଆମ୍ବୁଲାନ୍ସ ସଂଖ୍ୟା ଓ ପରିଚାଳନା, କରୋନା ଯୋଦ୍ଧା ମାନଙ୍କ ସୁରକ୍ଷା, ରୋଗୀମାନଙ୍କୁ ରିପୋର୍ଟ ଦେବା, କୋଭିଡ ଚିକିତ୍ସାଳୟର ଶଯ୍ୟାର ଅଭାବି କଥା, ଭେଣ୍ଟିଲିଟର, ଆଇ.ସି.ୟୁର ସଂଖ୍ୟାରେ ବୃଦ୍ଧି, ଅଧିକ କୋଭାକ୍ସ ପରୀକ୍ଷଣ ଯନ୍ତ୍ର ମାଧ୍ୟମରେ ଟେଷ୍ଟ କରିବା, ପ୍ଲାଜମା ଉପଚାର ମାଧ୍ୟମରେ ଚିକିତ୍ସା, ଲକଡାଉନ୍, ସଟଡାଉନ୍, କଣ୍ଟେନମେଣ୍ଟ ଜୋନର ନିଷ୍ପତ୍ତି କ୍ଷେତ୍ର, ସାଧାରଣ ସ୍ଥାନର ବୀଜାଣୁମୁକ୍ତ ବ୍ୟବସ୍ଥା ଏହିଭଳି ରକୌଣସିଟି କଥାରେ ରାଜନୈତିକ, ସାମାଜିକ ସଂଗଠନ, ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିରଶଷ, ସାମ୍ବାଦିକ କୌଣସି ବ୍ୟକ୍ତିଙ୍କୁ କରୋନା ନିୟନ୍ତ୍ରଣରେ ସହଭାଗିତା ନାହିଁ । ଇତିମଧ୍ୟରେ ବିଭିନ୍ନ ଲୋମହର୍ଷଣକାରୀ ଘଟଣା ଜିଲ୍ଲାର କୋଣଅନୁକୋଣେ ପ୍ରତ୍ୟେକ ଦିନ ଘଟି ଚାଲିଛି । ଯଥା:- ଶେରଗଡରେ ଅବସର ପ୍ରାପ୍ତ ଶିକ୍ଷକ, ହିଞ୍ଜିଳି ଗୋଦରାପଲ୍ଲୀ ମାପୁଅ ଏବଂ କୋଦଳାରେ ଜଣେ କରୋନା ଯୋଦ୍ଧା ପୋଲିସ ଏ.ଏସ୍.ଆଇ.ଙ୍କ ମୃତ୍ୟୁ ପରେ ଶବ ନଉଠିବା । ଆମ୍ବୁଲାନ୍ସର କୁପରିଚାଳନା ଯୋଗୁଁ ପୋଲସରାର ପ୍ରବାସୀ ଶ୍ରମିକ, ଆସ୍କାରେ କରୋନା ଯୋଦ୍ଧା ଶିକ୍ଷକ ଶ୍ରୀ ସୁଦ୍ଧାର୍ଥ ପାଢୀ, ବ୍ରହ୍ମପୁର ସହରର ଶ୍ରୀରାମ ନଗର ଓ ପ୍ରହଲ୍ଲାଦ ନଗରର ଘଟଣା (ଯାହାକି ଆପଣ ଗଣମାଧ୍ୟମରେ ଦେଖିଥିବେ) ଲୋକଙ୍କ ଜୀବନ ଗଲା । ମୃତ୍ୟୁର ୪ଦିନ-୫ଦିନ ଯାଏଁ ମିଥ୍ୟା ସୂଚନା ପରିବାରକୁ ଦେଇ ଲୁକ୍କାୟତ ରଖିବା ଯେପରି ବ୍ରହ୍ମପୁର ଗଣପତି ନଗରର ବସନ୍ତ ସାହୁଙ୍କ କଥା ହେଉ କିମ୍ବା ରବୀନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ପରେ ପରିବାର ତରଫରୁ ଆସିଥିବା ପ୍ରମାଣିକୃତ ଅଭିଯୋଗ, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ବାରମ୍ବାର ସୋସିଆଲ ମିଡିଆରେ, ଗଣମାଧ୍ୟାମରେ କହିଲା ପରେ ମଧ୍ୟ ବହୁ ବିଳମ୍ବରେ ପଦକ୍ଷେପ ନେବା ପରିଚାଳନାରେ ମାତ୍ରାଧିକ ଦୁର୍ବଳତା ରହିଥିବା ସ୍ୱୀକାର କରିବେ । ବହୁବାର ବିଭିନ୍ନ ମାଧ୍ୟମରେ ସାମଜିକ ସଂଗଠନ, ବୁଦ୍ଧିଜୀବି, ରାଜନୈତିକ ବ୍ୟକ୍ତି, ସାମ୍ବାଦିକ ଅନୁରୋଧ କଲା ପରେ ଜିଲ୍ଲା ପ୍ରଶାସନ କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ନିୟନ୍ତ୍ରଣ ପାଇଁ ଠୋସ ପଦକ୍ଷେପ ନଉନାହାନ୍ତି । ଏହା ଜିଲ୍ଲା ପ୍ରଶାସନର ସମ୍ବେଦନ ହୀନ କାର୍ଯ୍ୟକୁ ପ୍ରମାଣିତ କରୁଅଛି । ବିଗତ ୪ ମାସରେ ଭାରତୀୟ ଜନତା ପାର୍ଟି, ରାଜ୍ୟ ସରକାରଙ୍କୁ କରୋନାକୁ ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରି ଆସିଛି । ଅନୁରୂପ ଭାବରେ ଗଞ୍ଜାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ସମସ୍ତ ସ୍ତରର ନେତୃବର୍ଗ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ନିଜଆଡୁ ବଢାଇ ଆସିଛନ୍ତି କିନ୍ତୁ ଅବସ୍ଥାରେ ସୁଧାେ ବଦଳରେ ବିଗିଡିବା ଲାଗିଛି ଏବଂ ଜିଲ୍ଲାପ୍ରଶାସନର କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ଦେଖା ଯାଉ ନାହିଁ । ଆପଣ ଜାଣନ୍ତି ଗଞ୍ଜାମ ଜିଲ୍ଲା ଓଡିଶା ପ୍ରଦେଶ ଶ୍ରମ-ଅର୍ଥନୀତିର ଏକ ବଡ ପେଣ୍ଠସ୍ଥଳୀ ଏବଂ ଓଡିଶା ଅର୍ଥନୈତିକ ମେରୁଦଣ୍ଡ । କିନ୍ତୁ କରୋନା ନିୟନ୍ତ୍ରଣ ଓ ପରିଚାଳନା ତୃଟି ଯୋଗୁଁ ଏହି ମାନବ ସମ୍ବଳ ଶକ୍ତିର ମୃତ୍ୟୁ ଘଟୁଅଛି । ଉପରୋକ୍ତ ସମସ୍ତ କାର୍ଯ୍ୟକୁ ଦେଖିବା ପରେ, ଗଞ୍ଜାମ ଗମ୍ଭୀର ଅଣାୟତ ସ୍ଥିତିକୁ ନିୟନ୍ତ୍ରଣ କେିବା ପାଇଁ ଆପଣ କେନ୍ଦ୍ରସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡ଼ନ୍ତୁ ବୋଲି ଯୋଡ ହସ୍ତରେ ନିରବଦନ କରୁଅଛି । ଏହି ମର୍ମରେ କହିବାକୁ ଚାହେଁ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ସାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ମାତ୍ରାଧିକ ସଂକ୍ରମିତ ରାଜ୍ୟ ଆଜି ନିୟନ୍ତ୍ରଣ ହେବା ରାସ୍ତାରେ । ଏହା ଉକ୍ତ ରାଜ୍ୟ ଗୁଡିକର ମିଳିତ ପ୍ରୟାଶରେ ସମ୍ଭବ ହୋଇ ପାରିଲା । ଏଣୁ ମୋର ବିଶ୍ୱାସ ଆପଣ ନିବେଦନ କରିଲେ, କେନ୍ଦ୍ର ସରକାର ଆମ ଓଡିଶାକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବେ ବୋଲି ରାଜ୍ୟ ଉପସଭାପତି ଭାେତୀୟ ଜନତା ପାର୍ଟି ଭୃଗୁ ବକ୍ସିପାତ୍ର କହିଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା