ବିଜେପି ପାଇଁ ଅପରାଜିତା ଷଡଙ୍ଗୀଙ୍କ ଜଳେଶ୍ୱରରେ ରୋଡ ସୋ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ରାଜନୈତିକ ଦଳର ପ୍ରଚାର ସେତେ ଶାଣିତ ହେଉଛି । ପ୍ରତିଦିନ ବାଇକ୍ ରୋଡ ସୋ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ରୋଡ ସୋ ଏକ ରୋଚକ ମୋଡ ନେଇଛି । ଶ୍ରୀମତୀ ଷଡଙ୍ଗୀ ଓ ବିଜେପି ବାଲେଶ୍ୱର ସାଂସଦ ପ୍ରାର୍ଥୀ ଜଳେଶ୍ୱର ସହରରେ ପାଦରେ ଚାଲିଚାଲି ପ୍ରଥମେ ଷ୍ଟେସନବଜାରସ୍ଥିତ କାଳୀ ମନ୍ଦିରରେ ପୂଜାର୍ଚ୍ଚନା ସାରିଥିଲେ । ପରେ ବଳରାମପୁର ଛକଠାରୁ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି, ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ବିଜେପି ଷ୍ଟାର ପ୍ରଚାରକ ଅପରାଜିତା ଷଡଙ୍ଗୀ ଏକ ଖୋଲା ଗାଡିରେ ଯାଇଥିବା ବେଳେ ସେମାନଙ୍କ ସହିତ ଶତାଧିକ ସମର୍ଥଙ୍କ ବାଇକ୍ର‌୍ୟାଲି ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ଯାଇଥିଲା । ଲକ୍ଷ୍ମଣନାଥର ଦଶହରାପଡିଆରେ ଆୟୋଜିତ ସାଧାରଣ ସଭାରେ ପୂର୍ବତନ ଜିଲାପରିଷଦ ସଭ୍ୟ ଶାନ୍ତନୁ ପଟ୍ଟନାୟକ ପୌରହିତ୍ୟ କରିଥିଲେ । ଏଥିରେ ଅପରାଜିତା ଷଡଙ୍ଗୀ ଯୋଗ ଦେଇ ରାଜ୍ୟରେ ୧୯ବର୍ଷ ଧରି ଦୁର୍ନିତି, ଭ୍ରଷ୍ଟାଚାର ଓ ଗୁଣ୍ଡାରାଜ ଚାଲିଥିବା ବେଳେ ମୋଦିଜୀଙ୍କ ଆହ୍ୱାନରେ ୧୧ ବର୍ଷର ପ୍ରଶାସନିକ ଚାକିରୀ ଛାଡି ଲୋକଙ୍କ ସେବା ଓ ନ୍ୟାୟ ଦେବାପାଇଁ ରାଜନିତୀକୁ ଆସିଥିବା ପ୍ରକାଶ କରିଥିଲେ ।ଏଥିରେ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଓ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି ବକ୍ତବ୍ୟ ରଖି ଏକ ଦୁର୍ନିତୀମୁକ୍ତ ଓ ଦୃଢ ସରକାର ଗଠନ ନିମନ୍ତେ ଆସନ୍ତା ନିର୍ବାଚନରେ ସେମାନଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ । ଏହି ସଭାରେ ବରିଷ୍ଠ ବିଜେପି ନେତା ନନୀଗୋପାଳ ଦାସ, ମଣ୍ଡଳ ସଭାପତି ବିଶ୍ୱରୂପ ଦାସ, ସିଦ୍ଧାର୍ଥ ଶଂକର ପାଳ, ଦିବ୍ୟକାମ ମହାନ୍ତି, ସୁବ୍ରତ ଘୋଷ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା