
ଭଞ୍ଜନଗର (ସମୃଦ୍ଧ ଓଡିଶା) ଜଗନ୍ନାଥପ୍ରସାଦ ଠାରେ ବିଜେପିର ଜନପରାମର୍ଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନପରାମର୍ଶ ଯାତ୍ରାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ପ୍ରଦୀପ ସାହୁ, ବିଜେପି ରାଜ୍ୟ ସଂପାଦକ ବିଭୂତି ଜେନା, ଜିଲ୍ଲା ସଂପାଦକ ସୂର୍ଯ୍ୟ ଦାସ, ମଣ୍ଡଳ ସଭାପତି କବିସୂର୍ଯ୍ୟ ବେହେରା, ବିନାୟକ ତ୍ରିପାଠୀ, ପ୍ରଦ୍ୟୁମ୍ନ ନାୟକ, ରାଜକିଶୋର ପ୍ରଧାନ, ଅମୂଲ୍ୟ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦମାନେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ସରକାର ଯୁବକମାନଙ୍କୁ ନିଜ ରାଜ୍ୟରେ କାର୍ଯ୍ୟ ଯୋଗାଇ ପାରୁ ନ ଥିବା ବେଳେ ଗୁଜୁରାଟକୁ ଯାଇ ସେଠାରେ ଥିବା ଶ୍ରମିକମାନଙ୍କ ସହ ଓଡ଼ିଶା ଉତ୍ସବ ପାଳନ କରିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ନିଜ ଗ୍ରାମ ତଥା ଭଂଜନଗର ନିର୍ବାଚନ ମଣ୍ଡଳିରେ ଜଳସେଚନ ସମସ୍ୟା, ବିଜୁଳି ସମସ୍ୟା, ଚାଷୀଙ୍କ ସମସ୍ୟା, ଡ଼ାକ୍ତର, ଶିକ୍ଷକ ଭଳି ଅନେକ ସମସ୍ୟା ରହିଥିବା ବେଳେ ଏଥିପ୍ରତି ଦୃଷ୍ଟି ନ ଦେଇ ସବୁବେଳେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଓଡ଼ିଶା ଏକ ନମ୍ବର ବୋଲି କହିବା ଓଡ଼ିଶାବାସୀଙ୍କୁ ତାତ୍ସଲ୍ୟ କରୁଥିବା ଭଳି ମନେ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ । ତେଣୁ ଆଗାମୀ ନିର୍ବାଚନରେ ସମଗ୍ର ଓଡ଼ିଶାବାସୀଙ୍କ ମନରେ ଏକ ପରିବର୍ତ୍ତନର ସ୍ୱର ସୃଷ୍ଟି ହୋଇଥିବାରୁ ବିଜେପି ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକାଶଶୀଳ ରାଜ୍ୟ ଭାବେ ଗଠନ କରିବା ସହ ଗରୀବ, ଅସହାୟ ଚାଷୀ, ଦାଦନ ସମସ୍ୟାକୁ ଦୂର କରିପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



