ଭୁବନେଶ୍ବର (ସମୃଦ୍ଧ ଓଡିଶା ) ନିର୍ବାଚନ ମାହୋଲ ଯେତିକି ସରଗରମ ହେଉଛି, ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ସେତିକି ଦ୍ଵନ୍ଦ ବଢୁଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଗୁଡବୁକରେ ଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଢଙ୍ଗୀ ବିଜେପିରେ ଯୋଗ ଦେବା ପରେ ସେ ଓଡିଶାରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚର୍ଚ୍ଚା ହେଉଛି । ଏଭଳିସ୍ଥିତିରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ପରସ୍ପର ବିରୋଧାତ୍ମକ ହୋଇଛି ।ଅପରାଜିତା ବିଜେପିରେ ଯୋଗ ଦେବା ଦିନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଯେ, ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି 2019ରେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଜୁଏଲ ଓ ଧର୍ମେନ୍ଦ୍ର କେନ୍ଦ୍ରରେ ରାଜ୍ୟ ବିଜେପିର ଦୁଇ ଶକ୍ତିଶାଳୀ ନେତା । ରାଜ୍ୟରେ ବିଜେପି ମିଶନ 120 ପ୍ଲସ ନେଇ 2019 ମୈଦାନକୁ ଓହ୍ଲାଉଥିବା ବେଳେ ଉଭୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଆଶାୟୀ ହେବା ସ୍ବାଭାବିକ । ଦଳରେ ସେମାନଙ୍କ ମଧ୍ୟରେ ଏଥିପାଇଁ ସୁପ୍ତ ପ୍ରତିଯୋଗିତା ଚାଲୁଥିବା ସମସ୍ତେ ଜାଣନ୍ତି । ତଥାପି ଜୁଏଲ କାହିଁକି ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ରାଜନୈତିକ ସମୀକ୍ଷକଙ୍କ ମତରେ ଏହି ଦୁଇ ବରିଷ୍ଠ ନେତା ଅପରାଜିତାଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ଭୟଭିତ ହୋଇପଡିଛନ୍ତି ।କିନ୍ତୁ ଜୁଏଲଙ୍କ ଏହି ଘୋଷଣାରେ ବୋଧହୁଏ କେନ୍ଦ୍ର ନେତୃତ୍ବ ଖୁସୀ ନୁହଁନ୍ତି । ସେଥିପାଇଁ ଆଜି ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ ଭାବେ କହିଲେ ଯେ, ରାଜ୍ୟ ବିଜେପିର କେହି ମୁଖ୍ୟମନ୍ତ୍ରୀ ପାର୍ଥୀ ନାହାଁନ୍ତି । ରାଜ୍ୟରେ ବିଜେପି ସବୁଠାରୁ ଶକ୍ତିଶାଳୀ ଦଳ ହେବା ପରେ ହିଁ କେନ୍ଦ୍ରୀୟ ନେତୃତ୍ବ ସ୍ଥିର କରିବେ କିଏ ହେବେ ମୁଖ୍ୟମନ୍ତ୍ରୀ ।ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀଙ୍କ ଏହି ସ୍ପଷ୍ଟିକରଣ ସଙ୍କେତ ଦେଉଛି ଯେ, ରାଜ୍ୟ ବିଜେପିରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ମଧ୍ୟରେ ଲଢେଇ ଆଗକୁ ଆହୁରି ଘନିଭୁତ ହେବ ।