

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର ବିଟ୍ରିଶ ଅମଳର ପୋଖରୀ ପିଲିବନ୍ଧ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଏହାର ଜଳ ଦୂଷିତ ହେଉଥିବାରୁ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଜଳ ଦୂଷିତ ହେବାରେ ଲାଗିଛି । ପୂର୍ବରୁ ୧୬ ନଂ କେନାଲ ପାଣି ଆସି ପିଲିବନ୍ଧରେ ସଞ୍ଚିତ ହେଉଥିଲା । ପରିସ୍କାର ପାଣି ଯୋଗୁଁ ବହୁଳ ଭାବରେ ଅଞ୍ଚଳବାସିନ୍ଦା ବ୍ୟବହାର କରୁଥିଲେ । ପାନୀୟ ଜଳ ଠାରୁ ଆରମ୍ଭ କରି ଜଳସେଚନ ମଧ୍ୟ କରାଯାଉଥିଲା । ବର୍ତ୍ତମାନ ଏହି କେନାଲ ଜାଗା ଅବରୋଧ ହୋଇଯିବା ଫଳରେ ପୂର୍ବ ଭଳି ପାଣି ଆସୁନାହିଁ । କିନ୍ତୁ ଝରଥିବା ଯୋଗୁଁ ବନ୍ଧରେ ପାଣି ରହିଛି । ହେଲେ ଏହି ପୋଖରୀକୁ ଠିକ ଭାବେ ରକ୍ଷଣାବେକ୍ଷଣ କରାଯାଉନଥିବା ହେତୁ ଜଳ ଦୂଷିତ ହେବାରେ ଲାଗିଛି । ଏହି ପୋଖରୀର ସୌନ୍ଦର୍ଯ୍ୟକରଣ ନିମନ୍ତେ ବହୁବାର ପଙ୍କ ଉଦ୍ଧାର, ପଥର ବନ୍ଧେଇ କରାଯାଇଥିବା କୁହାଯାଇଛି । କିନ୍ତୁ ବନ୍ଧର ପାରିପାର୍ଶ୍ବିକ ଅବସ୍ଥାରେ ପରିବର୍ତ୍ତନ ଘଟୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏନଏସି ପକ୍ଷରୁ ପୋଖରୀ ପାର୍ଶ୍ୱରେ ଚଲାପଥ ପାଇଁ ଶିଶୁପାର୍କ ନିର୍ମାଣ କରାଯାଇ ବିପୁଳ ଅପବ୍ୟୟ କରାଯାଇଛି । ଏହା ନିମ୍ନ ମାନର କାମ ଯୋଗୁ ବର୍ତ୍ତମାନ ଭଗ୍ନ ଅବସ୍ଥାରେ ପଡିରହିଛି । ଏପରିକି ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଏହି ପିଲିବନ୍ଧ ବୁଲି ଦେଖିବା ସହ ଉକ୍ତ କାର୍ଯ୍ୟ ଦେଖି ବିରକ୍ତ ପ୍ରକାଶ କରିଥିଲେ । ପିଲିବନ୍ଧକୁ ବହୁବାର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ସଠିକ ରୂପେ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଲୋକମାନେ ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

