

ଭୁବନେଶ୍ଵର(ସମୃଦ୍ଧଓଡିଶା)ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀ ଅଷ୍ଟ୍ରେଲିଆର ସିଡନୀଠାରେ ନଭେମ୍ବର ୩ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଯୋଗ ଦେବାପାଇଁ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଦେଶ ଗସ୍ତରେ ଯାଇଛନ୍ତି । ଏହି ୧୪ ଦିନିଆ ବିଦେଶ ଗସ୍ତ ପାଇଁ ବାଚସ୍ପତି ଆଜି ଭୁବନେଶ୍ଵରରୁ ଦିଲ୍ଲୀ ଗସ୍ତ କରିଥିବା ବେଳେ ଅକ୍ଟୋବର ୨୯ ତାରିଖରେ ଜାପାନର ଟୋକିଓ ଠାରେ ପହଞ୍ଚିବେ । ନଭେମ୍ବର ୧ ତାରିଖ ଦିନ ଦକ୍ଷିଣ କୋରିଆର ସିଓଲ ଠାରେ ଓ ନଭେମ୍ବର ୫ ତାରିଖ ଦିନ ଅଷ୍ଟ୍ରେଲିଆର ସିଡନୀ ଠାରେ ପହଞ୍ଚିବେ । ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମରେ ସିଡନୀଠାରେ ନଭେମ୍ବର ୬ ତାରିଖ ଦିନ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ “ସଂସଦୀୟ କାର୍ଯ୍ୟଧାରା ଓ ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ, ସୁଯୋଗ ଓ ଆହ୍ଵାନ” ଶୀର୍ଷକ ବିଷୟ ଉପରେ ନିଜର ମତ ଓ ବକ୍ତବ୍ୟ ଉପସ୍ଥାପନ କରିବେ । ଏହି ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ରୀଯୁକ୍ତ ଓମ୍ ବିର୍ଲା, ଦେଶର ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭାର ବାଚସ୍ପତି/ ବିଧାନ ପରିଷଦର ଅଧ୍ୟକ୍ଷ/ଅଧକ୍ଷା, ବିଧାନ ପରିଷଦର ସଭ୍ୟ/ସଭ୍ୟା ଏବଂ ଲୋକ ସଭା ଓ ରାଜ୍ୟସଭାର ସାଂସଦ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ । ଏହି ଅବସରରେ ବାଚସ୍ପତିଙ୍କ ସହ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି ।
ରିପୋର୍ଟ : ରଜତ ମହାପାତ୍ର