

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ କୁହାଯାଉଥିବା ଚର୍ଚ୍ଚିତ ଆଇଏଏସ ଅଧିକାରୀ କାର୍ତ୍ତିକେୟ ପାଣ୍ଡିୟାନଙ୍କ ସକାଳୁ ସକାଳୁ ମା’ତାରାତାରିଣୀଙ୍କ ଗସ୍ତ ରାଜ୍ୟରେ କାହିଁକି ଦେଶର କୋଣେ କୋଣେ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଦେଇଛି । ସେହିଦିନ ଅଚାନକ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିୟାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ମା’ତାରାତାରିଣୀ ମନ୍ଦିର ଗସ୍ତ କରି ଫେରିବା ପରେ ମୁଖ୍ୟମନ୍ତ୍ରୀ ମନ୍ଦିରର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏହାକୁ ଏକ ଜାତୀୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ବିଭିନ୍ନ ଉନ୍ନତି ପାଇଁ ବ୍ୟାପକ ଅର୍ଥ ଯୋଗାଇ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ଫଳରେ ରାଜ୍ୟରେ ଏହା ଏକ ସରଗରମ ପର୍ଯ୍ୟଟନ ସ୍ଥଳୀ ରୂପେ ଚହଳ ସୃଷ୍ଟି କରିଥିଲା । ଦେଶ ବିଦେଶରେ ସୋସିଆଲ ମିଡ଼ିଆ ଯୋଗୁଁ ବ୍ୟାପକ ପ୍ରଚାର ହୋଇଥିଲା । ଫଳରେ କିଛି ଫ୍ରାନ୍ସ ପର୍ଯ୍ୟଟକ ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଆସି ଦେଖିବା ପରେ ସେମାନଙ୍କର ମା’ଙ୍କ ଉପରେ ଆଗ୍ରହ ଜନ୍ମି ଥିଲା । ଫ୍ରାନ୍ସର ଏହି ପର୍ଯ୍ୟଟକ ଗ୍ରୁପ ମା’ ତାରାତାରିଣୀଙ୍କ ମନ୍ଦିର ଦର୍ଶନ ପରେ ଅନ୍ୟାନ୍ୟ ବିଦେଶୀ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଆକର୍ଷଣ ବଢିଥିବା ଶୁଣିବାକୁ ମିଳିଛି । ତାରାତାରିଣୀ ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ସେହି ବିଦେଶୀ ପର୍ଯ୍ୟଟକ ମାନଙ୍କୁ ମନ୍ଦିରର ପାରିପାର୍ଶିକ ଦୃଶ୍ୟ ଦେଖାଇବା ସହ ମା’ଙ୍କ ମହିମା ଓ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ସମ୍ପର୍କରେ ସେମାନଙ୍କୁ ଜଣାଇଥିଲେ । ଫଳରେ ସେମାନେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ବିଦେଶୀ ପର୍ଯ୍ୟଟକ ମାନେ ସେମାନଙ୍କ ଅନ୍ୟାନ୍ୟ ପର୍ଯ୍ୟଟକ ବନ୍ଧୁ ମାନଙ୍କୁ ମା’ଙ୍କ ମହିମା ଓ ଏହି ସୁନ୍ଦର ମନ୍ଦିର ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ନିଶ୍ଚିତ ଜଣାଇବେ ବୋଲି କହିଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ଜିଲ୍ଲାପାଳ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ । ଆଗାମୀ ଚୈତ୍ର ମାସରେ ମଙ୍ଗଳବାର ଗୁଡିକରେ ମା’ଙ୍କ ମଙ୍ଗଳବାର ପର୍ବ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହେବାକୁ ଯାଉଥିବାରୁ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ସଦଳବଳେ ଏବଂ ସମ୍ପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ସମସ୍ତେ ମା’ଙ୍କ ମନ୍ଦିର ପରିଦର୍ଶନ କରି ଚୈତ୍ର ପର୍ବ କିପରି ଆକର୍ଷଣୀୟ ଓ ସୁରୁଖୁରୁରେ ପରିଚାଳିତ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

