

ଆସିକା (ସମୃଦ୍ଧ ଓଡିଶା) ବିଦ୍ୟାଳୟ ପରିସରରେ ଏକ ବୋମା ଫୁଟି ଦୁଇଜଣ ନିରୀହ ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆସିକା ଥାନା ଅନ୍ତର୍ଗତ ମାଗୁରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଥିବା ହେତୁ ସକାଳୁ ବିଦ୍ୟାଳୟ ଚାଲୁ ରହିଥିଲା । ସେଠାରେ ମଧ୍ୟାହ୍ନ ଭୋଜନ ଖାଇବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଛଡ଼ାଯାଇଥିଲା । ସେଥିମଧ୍ୟରୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ରାଜା ନାୟକ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଚନ୍ଦନ ସ୍ୱାଇଁ ଶୌଚ କରିବା ପାଇଁ ଯାଉଥିବା ସମୟରେ ସେଠାରେ ପଥର ଫୁଟାଇବା ନିମନ୍ତେ ଡିଟୋନେଟର ପଡ଼ିଥିବା ଦେଖି ତାକୁ ଫୋପାଡ଼ୁଥିବା ସମୟରେ ହଠାତ ଏହି ଡିଟୋନେଟରଟି ଫୁଟି ଯାଇଥିଲା । ଯାହାଫଳରେ ଦୁଇ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ । ବିଦ୍ୟାଳୟରେ ପ୍ରଚଣ୍ଡ ଶବ୍ଦ ଶୁଣି ଶିକ୍ଷକମାନେ ସଙ୍ଗେ ସଙ୍ଗେ ପହଂଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାର ଖବର ପାଇ ଆସିକା ଥାନା ପୋଲିସ ବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଛି । ପ୍ରଶ୍ନ ଉଠୁଛି ଯେ ବିଦ୍ୟାଳୟରେ ଏପରି ଡିଟୋନେଟର କେଉଁଠାରୁ ଆସିଲା ନା କିଏ ଜାଣିଶୁଣି ପକାଇଥିଲା, ତାହା ତଦନ୍ତ ପରେ ଜଣାପଡ଼ିବ । ଘଟଣା ନେଇ ବିଦ୍ୟାଳୟ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ମାଗୁରା ଗ୍ରାମରେ ଏବେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି । ଏ ନେଇ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜଣ ଜଣଙ୍କୁ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆହତ ହୋଇଥିବା ଛାତ୍ରଙ୍କ ପରିବାରର ମୁଖ୍ୟଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




