

ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା ପଞ୍ଚାୟତର ପଞ୍ଚମା ସ୍ଥିତ ସରକାରୀ ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟର ଅଫିସ ପ୍ରକୋଷ୍ଠ ସମେତ ୩ଟି ଶ୍ରେଣୀ ଗୃହର ଫାଟକରେ ଲାଗିଥିବା ତାଲାରେ କୌଣସି ଦୁର୍ବୃତ୍ତ ଗତ ରବିବାର ରାତିରେ ଏମସିଲ ଅଠା ଲଗାଇ ଦେଇଥିଲେ । ସୋମବାର ସକାଳେ ତାଲା ଖୋଲି ହୋଇନଥିଲା ଯାହାଫଳରେ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରାୟ ୨ ଘଣ୍ଟା ଶ୍ରେଣୀ ଗୃହ ବାହାରେ ବସିଥିଲେ । ସୋମବାର ସକାଳ ୬ଟାରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଙ୍ଗୀତା ମିଶ୍ର ଅଫିସରୁମ ଖୋଲିବାକୁ ଚେଷ୍ଟା କରିବାବେଳେ ଚାବିରେ ଏମସିଲ ଅଠା ଲାଗିଥିବାରୁ ତାଲା ଖୋଲି ହୋଇନଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଳିତ ମୋହନ ପ୍ରଧାନଙ୍କୁ ଜଣାଇଥିଲେ । ଖବର ପାଇ ପରିଚଳନା କମିଟି ସଭାପତି, ରଣ୍ଢା ସରପଞ୍ଚ ପ୍ରଦୀପ ସାହୁଙ୍କ ସମେତ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ଏନେଇ ଗୋଳନ୍ଥରା ଥାନାକୁ ଜଣାଇବା ପରେ ପୋଲିସ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଠା ଲାଗିଥିବା ତାଲା କଟରରେ କଟିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । କେଇ କଣ ପାଇଁ ଏଭଳି ବିଦ୍ୟାଳୟ ଶ୍ରେଣୀ କକ୍ଷ ତାଲା ଗୁଡିକରେ ଅଠା ଲଗାଇଲା ତାହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି । ପ୍ରଧାନ ଶିକ୍ଷୟତ୍ରୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ


