ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ କୃଷକର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ ଭେଜିପୁଟ ଗ୍ରାମ ଓଡ଼ିଆ ସାହିର ଜନୈକ କୃଷକ ଜଗନ୍ନାଥ ପରିଡ଼ା ଆଜି ସକାଳୁ ଚାଷ କରିବା ପାଇଁ ନିଜ ବିଲକୁ ଯାଇଥିଲେ । ବିଲରେ ପରିବା ଚାଷ କରିବା ପାଇଁ ବାଉଁଶ ମାଧ୍ୟମରେ ବାଡ଼ ତିଆରି କରୁଥିବା ସମୟରେ ହଠାତ୍ ବିଲ ଉପରେ ଯାଇଥିବା ୩୩ କେଭି ବିଦ୍ୟୁତ ତାରରେ ବାଉଁଶ ନଳ ଟି ଲାଗି ଯାଇ ଥିଲା । ଯାହା ଫଳରେ କଞ୍ଚା ବାଉଁଶ ନଳରେ ବିଦ୍ୟୁତ ଧରିବାରୁ ଜଗନ୍ନାଥ ବିଲରେ ଟଳିପଡ଼ିଥିଲେ । ପାଖ ବିଲରେ କାମ କରୁଥିବା କିଛି ଚାଷୀଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା ହେଲେ ସେତେ ବେଳକୁ ଜଗନ୍ନାଥଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଗ୍ରାମବାସୀଙ୍କ ସହାୟତା ଓ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ଶୁଣି ସ୍ତ୍ରୀ ମମି ପରିଡ଼ାଙ୍କର ପାଦତଳୁ ମାଟି ଖସିଯାଇଛି । ମୃତ ଜଗନ୍ନାଥଙ୍କ ଦୁଈ ଝିଅ ସନ୍ତୋଷୀ, ପୁଷ୍ପା ଏଵଂ ଗୋଟିଏ ପୁଅ ବିଷ୍ଣୁ, ସୁରାଟ ରେ ଥିବାବେଳେ ଆଉ ମାତ୍ର ୨୦ ଦିନ ପରେ ବଡ଼ଝିଅ ସନ୍ତୋଷୀର ବିବାହ ହୋଇଥାନ୍ତା । ହେଲେ ବାପାଙ୍କ ଏଭଳି ମୃତ୍ୟୁ ଘଟଣାକୁ ନେଇ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ଗ୍ରାମବାସୀ ମୃତକ ପରିବାରକୁ କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି । ବୈଦ୍ୟୁତିକ ତାର ସଂସର୍ଶ ରେ ଆସି ମୃତ୍ୟ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ବ୍ୟବସ୍ଥା ରହିଥିବା ଦାବି କରି ତୁରନ୍ତ ପ୍ରଦାନ କରିବାକୁ ଗ୍ରାମବାସୀ ମୂଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା