ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଯୋଗୁଁ ଜନସାଧାରଣ ନାହିଁ ନଥିବା ସଙ୍କଟର କାଳାତିପାତ କରୁଛନ୍ତି । ଏଭଳି ସମୟରେ ବିଦ୍ୟୁତ ବିଭାଗରେ ଠିକାରେ କାମ କରୁଥିବା ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି କ୍ଷେତ୍ରରେ ଅବହେଳା କରାଯାଉଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ଓ ଟାଟା ପାୱାର ସହଭାଗିତାରେ ଟାଟା ପାୱାର ଗଠିତ ହୋଇଛି ଟିପିସିଓଡିଏଲ । ପୂର୍ବରୁ କାର୍ଯ୍ୟରତ କର୍ମଚାରୀଙ୍କ ନିଯୁକ୍ତି ଟିପିସିଓଡିଏଲରେ ସୁରକ୍ଷିତ ରହିବ ବୋଲି ସେମାନେ ଆଶା କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳି ନାହିଁ । ଅନେକ ଅଞ୍ଚଳରେ ଉପଭୋକ୍ତା ବିଦ୍ୟୁତ ସେବା ପାଇନଥିବାରୁ ଅସନ୍ତୋଷ ବଢୁଛି । ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରି ଆସୁଥିବା ମିଟର ରିଡର, ବିଲ କଲେକ୍ଟର ଓ ମେଣ୍ଟନାନ୍ସ ଶ୍ରମିକ ମାନେ ଗତ ଜୁନ ମାସରୁ ହାତ ବାନ୍ଧି ବସିଛନ୍ତି । ଢେଙ୍କାନାଳରେ ୨୦୦ରୁ ଉର୍ଦ୍ଧ୍ଵ ବିଦ୍ୟୁତ ଶ୍ରମିକ ଘୋର ଦୁର୍ଦ୍ଧଶା ମଧ୍ୟରେ ଜୀବନ ଯାପନ କରୁଛନ୍ତି । ନିଯୁକ୍ତି ପାଇଁ ଜିଲ୍ଲା ପ୍ରଶାସନ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଠିକାଦାର ମାଧ୍ୟମରେ ଅନଭିଦ୍ଧ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରିବାକୁ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଶ୍ରମିକ, କର୍ମଚାରୀ ମାନେ ପୁନର୍ବାର ଜିଲ୍ଲା ପ୍ରଶାସନ ଓ ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଆସନ୍ତା ୧୫ ତାରିଖ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ୧୨ତାରିଖ ଠାରୁ ସରକାରଙ୍କ କୋଭିଡ-୧୯ ନିୟମାବଳୀ ଅନୁସରଣ କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଢେଙ୍କାନାଳ ବିଦ୍ୟୁତ ଠିକା କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବା କୁହାଯାଇଛି ।
ରିପୋର୍ଟ : ଶୁଭମ ପାଣି