



ଭୁବନେଶ୍ୱର(ସମୃଦ୍ଧଓଡିଶା) ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସଂଗ୍ରାମମୟ ବୈପ୍ଳବିକ ଭୂମିକା ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ ଓଡ଼ିଶାକୁ ବି୍ରଟିଶ ଶାସନରୁ ମୁକ୍ତ କରି ଜନମାନସରେ ଏକ ନୂତନ କ୍ରାନ୍ତି ଆଣି ଦେଇଥିଲା । ଓଡ଼ିଶାର ମାଟି, ପାଣି, ପବନ ସହ ଓତଃପ୍ରୋତଃ ଭାବେ ଜଡ଼ିତ ମହତାବ ସାରା ରାଜ୍ୟରେ ଏକ ସଚେତନ ବାତାବରଣ ସୃଷ୍ଟି କରିଥିଲେ । ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅର୍ଦ୍ଧଶତାବ୍ଦୀରୁ ଊଦ୍ଧ୍ୱର୍କାଳ ଓଡ଼ିଶା ଓ ଭାରତବର୍ଷର ରାଜନୀତିକୁ ସେ ଆଚ୍ଛନ୍ନ କରି ରଖିଥିଲେ । ସ୍ୱାଧୀନତା ସଂଗ୍ରାମ ବ୍ୟତୀତ ସାହିତ୍ୟ ଓ ସଂସ୍କୃତିର ଅଗ୍ରଗତି ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସେ ସୁପ୍ତ ଓଡ଼ିଆ ଜାତିର ପ୍ରାଣରେ ଅପୂର୍ବ ଜାଗରଣ ସୃଷ୍ଟି କରିଥିଲେ । ଗତକାଲି ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା, କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ବିଧାୟକ ଶ୍ରୀ ବାବୁ ସିଂ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଧାନସଭା ପରିସରରେ ଥିବା ଡ. ମହତାବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ବିଭୂତିନାୟକ, ସୂଚନା ଅଧିକାରୀ