ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଚନ୍ଦ୍ର ଶଗରିଆ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) : କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେବା ପରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।କୁନ୍ଦୁଲି ଗଣଦୁର୍ଷ୍କମ ଓ ଆତ୍ମହତ୍ୟା ଘଟଣାକୁ ନେଇ ସେ ବିଧାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ପୀଡିତା କୁ ଏଯାଏଁ ନ୍ୟାୟ ନମିଳିଥିବାରୁ ସେ ଏଭଳି ନିଷ୍ପତି ନେଉଥିବା ଓ ଦଳିତ ମାନଙ୍କ ଉପରେ  ଅତ୍ୟାଚାର ଏବଂ ସେମାନଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଶଗରିଆ କହିଛନ୍ତି,“ମୋ ବିବେକ ମତେ ଇସ୍ତଫା ଦେବାକୁ କହିଛି। କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେଇ ନପାରି ଥିବାରୁ ମୁଁ ଇସ୍ତଫା ଦେଉଛି।” କିନ୍ତୁ ଏ ସବୁ ଭିତରେ ଆଉ କିଛି ରାଜନୀତି ଥିବା ଚର୍ଚ୍ଚା ହେଉଛି । ଦଳିତ ମାନଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ଡିସେମ୍ବର ୬ରେ ଭୁବନେଶ୍ବରରେ ସମାବେଶ ହେବ ବୋଲି ମଧ୍ୟ ସେ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ କଂଗ୍ରେସ ଦଳିତ ସେଲର ଅଧ୍ୟକ୍ଷ ପଦରୁ ତାଙ୍କୁ ପରିବର୍ତନ କରି ସାଧାରଣ ସମ୍ପାଦକ କରାଯାଇଥିଲା । କିନ୍ତୁ ଶଗରିଆ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜୟପୁର ବିଧାୟକ ତାର ପ୍ରସାଦ ବାହିନୀପତି ଏବଂ ଦଳୀୟ ନେତୃତ୍ୱ ସହିତ ତାଙ୍କର ସମ୍ପର୍କ ଧୀରେ ଧୀରେ ତିକ୍ତ ହୋଇ ଆସୁଥିଲା। ଦଳୀୟ ନିଷ୍ପତ୍ତି ତଥା ନେତୃତ୍ୱ ଙ୍କୁ ନେଇ ଗତ କିଛି ଦିନ ଧରି ଅଣନିଶ୍ବାସୀ ହୋଇପଡିଥିବା ଶଗରିଆ ଖୁବ ଶୀଘ୍ର ଅନ୍ୟ ଏକ ଜାତୀୟ ଦଳ ରେ ଯୋଗ ଦେବା ନେଇ ବିଚାର ବିମର୍ଷ ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ଶଗରିଆ କିଛି ସ୍ପଷ୍ଟ କରିନାହାନ୍ତି ।

ରିପୋର୍ଟ:ଆକାଶ ମିଶ୍ର