ନିମାପଡ଼ା(ସମୃଦ୍ଧଓଡିଶା)ସାଧାରଣ ନିର୍ବାଚନ ପାଇଁ ନିମାପଡ଼ା ରାଜନିତି ସରଗରମ।ବିଶେଷ କରି ତିନି ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କ ନାମ ଘୋଷଣା ସରିଥିଲେ ମଧ୍ୟ ବିଜୁ ଜନତା ଦଳରେ ହଟଚମଟ ଜାରି ରହିଛି।ଏଠାରେ ବିଜୁ ଜନତା ଦଳର ପ୍ରମୁଖ ଦାବିଦାର ତଥା ତିନି ତିନି ଥର ବିଧାୟକ ହୋଇଥିବା ସମୀର ରଞ୍ଜନ ଦାଶଙ୍କୁ ଦଳ ଟିକେଟ ନଦେଇ ଗତ କିଛି ଦିନ ତଳେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଥିବା ଦିଲ୍ଲିପ ନାୟକଙ୍କ ଉପରେ ଭରଷା କରି ଟିକେଟ ପ୍ରଦାନ କରିଛି।ଏହାର ପ୍ରତିବାଦରେ ବିଧାୟକଙ୍କ ଏକାନ୍ତ ଅନୁଗତ ମାନେ ଦୁଇ ଦୁଇ ଥର ଶକ୍ତି ପ୍ରଦର୍ଶନ ପୂର୍ବକ ଟିକେଟ ପରିବର୍ତ୍ତନ ପାଇଁ ଅନୁରୋଧ କରିସାରିଲେଣି।ମାତ୍ର ରାଜ୍ୟ ସଭାପତି କିଛି ଶୁଣୁନାହାନ୍ତି।ଯାହା ଲାଗୁଛି ରାଜ୍ୟ ସଭାପତି ପ୍ରାର୍ଥୀ ପରିବର୍ତ୍ତନ ମୁଡ଼ରେ ନାହାନ୍ତି।ଓଲଟା ଶୁଣିବାକୁ ମିଳୁଛି ବିଧାୟକଙ୍କୁ କୁଆଡେ ତୃତୀୟ ମହଲାରୁ ଧମକ ଦିଆଯାଉଛି ଯେ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ତାଙ୍କୁ ସମର୍ଥନ କରି ଗଣମାଧ୍ୟମରେ ବିବୃତି ଦିଅ ଓ ତାଙ୍କ ପାଇଁ କାମ କର।ବିଚରା ବିଧାୟକ ଆଉ ଯିବେ କୁଆଡେ। ଆନ୍ତରିକତା ନଥିଲେ ମଧ୍ୟ ବାଧ୍ୟ ହୋଇ ଆସନ୍ତା କାଲି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ ହେବାକୁ ଥିବା ବୈଠକରେ ବିଧାୟକ ଶ୍ରୀ ଦାଶ ପ୍ରାର୍ଥୀ ଶ୍ରୀ ନାୟକଙ୍କ ସପକ୍ଷରେ ଗଣମାଧ୍ୟମରେ ବିବୃତି ଦେବା ସହ ପ୍ରଚାର ମଧ୍ୟ କରିବେ ବୋଲି ଶୁଣିବାକୁ ମିଳୁଛି।ଏଠାରେ ପ୍ରଶ୍ନ ଉଠୁଛି ବିଧାୟକ ସିନା ତୃତୀୟ ମହଲାର ନିର୍ଦ୍ଦେଶରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ।ହେଲେ ଏଠି ପ୍ରାର୍ଥୀଙ୍କୁ ଭୋଟ ଦେବେ ସାଧାରଣ ଭୋଟର ଓ ଭୋଟ କରାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବେ କର୍ମୀ।ସେହି କର୍ମୀମାନେ ତ ଆଉ ତୃତୀୟ ମହଲାର ନିର୍ଦ୍ଦେଶରେ କାମ କରିବେନି ନା!ସେମାନେ ସମୀର ଭାଇନାଙ୍କୁ ଭଲ ପାଆନ୍ତି ବୋଲି ଦୁଇ ଦୁଇ ଥର ତାଙ୍କ ପାଇଁ ଶକ୍ତି ପ୍ରଦର୍ଶନ କରି ଦେଖାଇଛନ୍ତି।ହେଲେ ସେମାନେ ଶ୍ରୀଯୁକ୍ତ ନାୟକଙ୍କୁ କେତେଦୂର ଗ୍ରହଣ କରିବେ ତାହା କେବଳ ସମୟ କହିବ।କାରଣ ଶ୍ରୀଯୁକ୍ତ ନାୟକ ଦଳୀୟ ଟିକେଟ ପାଇବା ପରେ ସେହି କର୍ମୀ ମାନଙ୍କ ପାଖ ମାଡ଼ି ନାହାନ୍ତି ଏ ଯାଏଁ।ବିଭିନ୍ନ ଦଳରୁ ଅର୍ଥ ବିନିମୟରେ ଆମଦାନୀ କରିଥିବା କର୍ମୀଙ୍କୁ ଧରି ବୁଲୁଛନ୍ତି।କାରଣ ଶ୍ରୀଯୁକ୍ତ ନାୟକ ଦଳୀୟ ଟିକେଟ ପାଇବା ପରେ ସେହି କର୍ମୀ ମାନଙ୍କ ପାଖ ମାଡ଼ି ନାହାନ୍ତି ଏ ଯାଏଁ।ବିଭିନ୍ନ ଦଳରୁ ଅର୍ଥ ବିନିମୟରେ ଆମଦାନୀ କରିଥିବା କର୍ମୀଙ୍କୁ ଧରି ବୁଲୁଛନ୍ତି ଶ୍ରୀଯୁକ୍ତ ନାୟକ।ଅପରପକ୍ଷରେ ଟିକେଟ ପରିବର୍ତ୍ତନ ପାଇଁ ଶ୍ରୀଯୁକ୍ତ ଦାଶଙ୍କ ଅନୁଗତ ମାନେ ଦୁଇ ଦୁଇ ଥର ଯେଉଁ ଶକ୍ତି ପ୍ରଦର୍ଶନ କରିଛନ୍ତି ତାହାର କାଉଣ୍ଟର ମଧ୍ୟ କରି ସାରିଛନ୍ତି ଶ୍ରୀଯୁକ୍ତ ନାୟକ।ଅବଶ୍ୟ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଦେଖି ସାରିଲେଣି କାହାର ଦମ୍ କେତେ।ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଦ୍ବିତୀୟ ଶକ୍ତି ପ୍ରଦର୍ଶନ ସମୟରେ ବିଜୁ ଜନତା ଦଳର ସମସ୍ତ ଛାମୁଆଁ ସଂଗଠନ ନେତା ଓ ନିର୍ବାଚିତ ପ୍ରତିନିଧି ମାନେ ସେମାନଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କୁ ପ୍ରଦାନ କରିସାରିଛନ୍ତି।ମାତ୍ର ଶୁଣିବାକୁ ମିଳୁଛି ଯେଉଁ ସମୟରେ ବିଧାୟକ ତୃତୀୟ ମହଲାର ଚାପରେ ଚେପା ହେବେ ଠିକ୍ ସେହି ସମୟରେ ଇସ୍ତଫା ଦେଇଥିବା ସମସ୍ତ କର୍ମୀ କିଛି ନଶୁଣି ଭାରତୀୟ ଜନତା ପାର୍ଟିରେ ମିଶିବେ। ଏବେ ଦେଖିବାକୁ ରହିଲା ନିମାପଡ଼ାରେ ବିଜୁ ଜନତା ଦଳର ସମୀକରଣ କେଉଁ ଆଡକୁ ଗତି କରୁଛି।
ରିପୋର୍ଟ : ରଜତ ମହାପାତ୍ର