ବିନା ଆର୍ଥିକ ସହାୟତାରେ ସରପଞ୍ଚମାନେ କ୍ଵାରେଣ୍ଟାଇନ ସେଣ୍ଟର ଚଳାଇ ଆସୁଥିବା ଅଭିଯୋଗ…

ପଦ୍ମପୁର (ସମୃଦ୍ଧ ଓଡିଶା) ଅନ୍ୟ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଓଡିଶା ଫେରିବାରେ ଲାଗିଛନ୍ତି । ପ୍ରତି ଗ୍ରାମ ପଞ୍ଚାୟତର କ୍ଵାରେଣ୍ଟାଇନ ସେଣ୍ଟରରେ ଶ୍ରମିକମାନେ ଭର୍ତ୍ତି ହେବାର ଲାଗିଛନ୍ତି । ଏହି କ୍ଵାରେଣ୍ଟାଇନ ସେଣ୍ଟର ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ କୌଣସି ଦାୟିତ୍ୱ ଥିବା ବୋଲି ବୁଝା ପଡୁନାହିଁ ବୋଲି ବିଜେପି ବରିଷ୍ଠ ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରକାଶ କରି ଦୁଃଖ ପ୍ରକାଶ କରିଛନ୍ତି । କ୍ଵାରେଣ୍ଟାଇନ ସେଣ୍ଟର ଯେଉଁ ବ୍ୟବସ୍ଥା ଓ ଖାଇବା ମେନୁ ପ୍ରସ୍ତୁତ କରି ରାଜ୍ୟ ସରକାର ଗାଇଡ ଲାଇନ୍ ସହ ନିର୍ଦ୍ଦେଶନାମା ଗ୍ରାମ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଏଥିପାଇଁ ଆଜି ପର୍ଯ୍ୟନ୍ତ ଟଙ୍କା ଟିଏ ମଧ୍ୟ ବ୍ୟବସ୍ଥା କରି ନାହାନ୍ତି ବୋଲି ଅଭିଯୋଗ ହୋଇଛି । ପୁରୋହିତ ଇତି ମଧ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଵାରେଣ୍ଟାଇନ ସେଣ୍ଟର ବ୍ୟବସ୍ଥା ବୁଝିବା ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନଙ୍କ ସହ ଆଲୋଚନା କରିଛନ୍ତି । ଝାରବନ୍ଦ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସରପଞ୍ଚ କଳ୍ପନା ପଣ୍ତା, ଝାରବନ୍ଦ ସରପଞ୍ଚ ଧନମତି ପାଣ୍ତେ, ପାଇକମାଲ ବ୍ଲକ କେଛେଦାଦର ସରପଞ୍ଚ ଦମୟନ୍ତୀ ମିର୍ଦ୍ଧା, ମାଣ୍ତିଆଡିପା ସରପଞ୍ଚ ବାବୁଲାଲ ଧରୁଆ, ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ, ପଦ୍ମପୁର ବ୍ଲକ ସର୍ଗବାହାଲ ସରପଞ୍ଚ ଗୀତାଞ୍ଜଳି ବହିଦାରଙ୍କ ଯୋଗା ଯୋଗ କରାଯିବାରୁ ସେମାନେ କ୍ଵାରେଣ୍ଟାଇନ ସେଣ୍ଟର ପାଇଁ ଆଜି ଯାଏ ଯାହା ଯାହା ବ୍ୟବସ୍ଥା କରାଯାଇଛି ସରପଞ୍ଚ ମାନେ ଦୋକାନୀ ମାନଙ୍କ ଠାରୁ ଧାର ଉଧାର କରି ସାମଗ୍ରୀ ଆଣି କେନ୍ଦ୍ର ଗୁଡିକୁ ଚଳାଇ ଆସୁଛନ୍ତି ବୋଲି କହିଛନ୍ତି । ଏଥିପାଇଁ ପାଖାପାଖି ୩ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ସାରିଲାଣି ବୋଲି ସରପଞ୍ଚ ମାନେ ଅଭିଯୋଗ କରିବା ସହ ସେମାନେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ସରକାର ତୁରନ୍ତ ଅର୍ଥର ବ୍ୟବସ୍ଥା ନ କରିବେ ତେବେ ଆଗକୁ କ୍ଵାରେଣ୍ଟାଇନ ସେଣ୍ଟର ଚଲାଇବା ସମ୍ଭବ ହେବ ନାହିଁ ବୋଲି ଅନେକ ସରପଞ୍ଚ କହିଛନ୍ତି । ଅନ୍ୟପକ୍ଷରେ ସିଏଫ୍ ସି ଏବଂ ଏସ୍ ଏଫ୍ ସି ଅର୍ଥ ଏଥିପାଇଁ ଖର୍ଚ୍ଚ କରିବା ପାଇଁ ସରକାର କହୁଥିବା ବେଳେ ଏହି ପାଣ୍ଠିରୁ ଟଙ୍କା କାଡିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଉନାହିଁ । ଟ୍ରେନରେ ଆସୁଥିବା ଶ୍ରମିକମାନଙ୍କୁ ତାଙ୍କ ଗ୍ରାମ ପଞ୍ଚାୟତ ମାନଙ୍କୁ ପଠାଇବା ପାଇଁ ବ୍ଲକ ମାନଙ୍କରେ ଗାଡିର ବ୍ୟବସ୍ଥା ମଧ୍ୟ ଠିକ୍ ଭାବରେ ହୋଇ ପାରୁ ନାହିଁ ବୋଲି ସମୀକ୍ଷା କରିବା ପରେ ପୁରୋହିତ ପ୍ରକାଶ କରିଛନ୍ତି । ଲକ୍ ଡାଉନ ସମୟରେ ରାସନକାର୍ଡ ନ ଥିବା ଗରିବ ପରିବାର ମାନଙ୍କ ପାଇଁ ଯେଉଁ ରୋଷେଇ ଖାଦ୍ୟର ବ୍ୟବସ୍ଥା ୨ ମାସ ପର୍ଯ୍ୟନ୍ତ କରା ଯାଇଥିଲା ତାହା ମଧ୍ୟ ସ୍ଵୟଂ ସହାୟକ ଗୋଷ୍ଠୀମାନେ ଆଜି ଯାଏଁ ଗୋଟିଏ ବି ଟଙ୍କା ପାଇ ନାହାନ୍ତି । ଓଡିଶା ସରକାର ତୁରନ୍ତ ଏ ଦିଗରେ ଖର୍ଚ୍ଚ ହୋଇଥିବା ଅର୍ଥ ପ୍ରଦାନ କରିବା ପାଇଁ ଓ ଆଗକୁ ଚଳାଇବା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ କ୍ଵାରେଣ୍ଟାଇନ ସେଣ୍ଟର ଚାଲିବା କଷ୍ଟ ସାଧ୍ୟ ହେବ ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ