ବିପଦ ଶଙ୍କୁଳ ଅବସ୍ଥାରେ ବହୁ ଗ୍ରାମବାସୀ:ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବୀ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗତ ୨୦୧୮ବର୍ଷରେ ଗଜପତି ଜିଲ୍ଲାରେ ଘଟିଥିବା ପ୍ରଳୟଙ୍କାରୀ ତିତିଲି ବାତ୍ୟା କଥା କିଏ ବା ନ ଶୁଣିଛି କିଏ ବା ନ ଜାଣିଛି । ରାଜ୍ୟ ସରକାରଙ୍କଠୁ ଆରମ୍ଭକରି କେନ୍ଦ୍ରସରକାର ଯଥା ଅନେକ ସଂସ୍ଥାମାନ ଏହି ତିତିଲିରେ ପିଡିତଙ୍କୁ ବିଭିନ୍ନ ମାଧ୍ୟମରେ ସହାୟତା ଯୋଗାଇ ଥଇଥାନ ଲାଗି ଯଥେଷ୍ଟ ପ୍ରୟାସ କରିଥିବା ପରିଲକ୍ଷିତ ହୋଇ ଆସିଛି । କିନ୍ତୁ ଏବେ ବି ଅନେକ ଛୋଟ ଛୋଟ ଗାଁ ସବୁ ରହିଛି ଯେଉଁ ଗାଁରେ ସରକାରୀ ସହାୟତା ଠିକ୍ ରେ ପହଞ୍ଚି ନ ଥିବା ବାରମ୍ବାର ଅଭିଯୋଗ ଆଣୁଛନ୍ତି କେତେକ ଗ୍ରାମବାସୀ । ଏପରି କେତେକ ଗାଁ ହେଉଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତର, ନୂଆଗାଁ, ଗଣ୍ଡିଳା, କଲିଙ୍ଗ, ଲାଙ୍ଗାସାହି, ସୁଆବା ଏବଂ ତୁମ୍ବ । ଗ୍ରାମବାସୀଙ୍କ ବିଭିନ୍ନ ପ୍ରକାର ଅଭିଯୋଗ ରହିଛି ତଥା, ଗାଁକୁ ରାସ୍ତା ନଥାଇ ବିପଦଜନକ ଯାତାୟତ, ତିତିଲି ପର ଠାରୁ ଗାଁକୁ ବିଦ୍ୟୁତ ସଂଯୋଗ ନ ହେବା, ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗାଁରେ ଥିବା କୂଅ ଏବଂ ନଳକୂପ ଗୁଡିକ ମରାମତି ନ ହେବା ଫଳରେ ଝରଣା ପାଣି ବ୍ୟବହାର କରି ଅସୁସ୍ଥ ହେବା, କିଛି ଗାଁରେ ତିଆରି ହୋଇଥିବା ପାଇଖାନାର ବିଲ୍ ନ ପାଇବା, ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ କିଛି ଲାଞ୍ଚୁଆ କର୍ମଚାରିଙ୍କୁ ହାତଗୁଞ୍ଜଣା ନଦେଇ ପାରି ନିଜ ବ୍ୟାଙ୍କ ଏକାଉଣ୍ଟ୍ କୁ ଟଙ୍କା ନପାଇବା ଇତ୍ୟାଦି ଅନେକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସେହିପରି ତୁମ୍ବ ଗାଁର ବାସିନ୍ଦାଙ୍କ ଅଭିଯୋଗ ଯେ, ସେମାନେ ବହୁ ଆଗରୁ ଗ୍ରାମ ବିକାଶ ସଂସ୍ଥାଠାରୁ ଲୋନ୍ ଆକାରରେ ଆଣି ଛୋଟିଆ କାମଚଳା ଛାତ ଘର ଖଣ୍ଡେ ଖଣ୍ଡେ କରି ରହିଛନ୍ତି । ହେଲେ ସେଗୁଡିକ ଆଉ ଭଲ ସ୍ଥିତିରେ ନାହିଁ । ତିତିଲି ବନ୍ୟା ପରେ ସରକାରୀ ଆବାସ ଯୋଜନା ମାଧ୍ୟମରେ ଖଣ୍ଡେଘର ପାଇବାକୁ ଅନେକ ଥର ପଞ୍ଚାୟତ ଓ ବ୍ଲକ ସ୍ତରରେ ଅନୁରୋଧ କରି ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ବିଭିନ୍ନ ଗଣ ପ୍ରତିନିଧି ମାନଙ୍କ ଜରିଆରେ ସରକାରଙ୍କୁ ସେମାନଙ୍କର ସମସ୍ତ ସମସ୍ୟାକୁ ସମାଧାନ କରାଇବା ଲାଗି ଅନୁରୋଧ କରିଛନ୍ତି । ତେଣୁ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରି ଗ୍ରାମବାସୀଙ୍କ ସମସ୍ତ ସମସ୍ୟାର ସମାଧାନ କରାଯାଉ ନଚେତ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା