ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନୂଆ ବର୍ଷ ପାଇଁ ଖୁସି ମନଉ ଥିବା ବେଳେ ବ୍ରହ୍ମପୁର ପୌରପରିଷଦ ପକ୍ଷରୁ ଏକ ହୋଟେଲ ଉପରେ ଚଢ଼ାଉ କରାଯାଇଛି । ବିପର୍ଯ୍ୟସ୍ତ ପରିମଳ ପାଇଁ ସତର୍କ କରାଯାଇଥିବା ସହ ଜରିମାନା ଆଦାୟ ହୋଇଛି । ବିଏମସି ପ୍ରଶାସନର ଦାୟିତ୍ୱରେ ଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଏଭଳି ପଦକ୍ଷେପକୁ ନେଇ ବୁଦ୍ଧିଜୀବୀମହଲରେ ସାଧୁବାଦ ଜ୍ଞାପନ କରାଯାଇଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଏମସି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ହୋଟେଲ ନନ୍ଦନ ଇଣ୍ଟର ନ୍ୟାସନାଲରେ ଏହି ଚଢ଼ାଉ ହୋଇଥିଲା । ଏହି ହୋଟେଲର ରୋଷେଇ ଘର, ଆବର୍ଜନା କୁଣ୍ଡ, ଡ୍ରେନେଜ ବ୍ୟବସ୍ଥା ଆଦି ଅନୁଧ୍ୟାନ କରି ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ୭ଦିନ ମଧ୍ୟରେ ପରିମଳରେ ସୁଧାର ଆଣିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।ଏଥିସହ ବିଏମସି ପକ୍ଷରୁ ମାଲିକଙ୍କ ଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପେକ୍ଷରେ ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀ କିଛି ମାସତଳେ ଏକ ହୋଟେଲର ଲାଇସେନ୍ସ ନବୀକରଣ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ସେହି ସ୍ଥାନ ଏପର୍ଯ୍ୟନ୍ତ ଖାଲି ପଡିଥିବା ବେଳେ ସହରରେ ବିଭିନ୍ନ ହୋଟେଲ ଏବଂ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଉପଯୁକ୍ତ ଯାଞ୍ଚ ହେଉ ନ ଥିବା ଅଭିଯୋଗ ହେଉଛି । ଏହାର ସୁଯୋଗ ନେଇ ବିଭିନ୍ନ ସାହି ଗଳିକନ୍ଦିରେ ଛତୁ ଫୁଟିଲା ଭଳି ଖୋଲି ଚାଲିଛି ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଭରା ଉଠା ଦୋକାନ। ଅଧିକାଂଶ ଦୋକାନ ଡ୍ରେନ ଉପରେ ଥିବା ବେଳେ ଅନେକ ଖୋଲା ଡ୍ରେନକୁ ଲାଗି ରହି ଥିବାରୁ ଖାଇବାବେଳେ ଦୁର୍ଗନ୍ଧରେ ନାକ ଭରିଯାଉଥିବା ଅଭିଯୋଗ ହେଉଛି । କେଉଁଠି ଫାଷ୍ଟଫୁଡ ବିକ୍ରି ହେଉଛି ତ ପୁଣି କେଉଁଠି ଜଳଖିଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ । ଏହି ସବୁ ଖାଦ୍ୟ ସାମଗ୍ରୀ ଶରୀର ପ୍ରତି କେତେ ହିତକର ତାହା ପରଖାଯାଉନି । ଗୋଟିଏ ହୋଟେଲ ନୁହେଁ ବହୁ ହୋଟେଲ ମାଲିକ ଖାଦ୍ୟର ମାନ ଏବଂ ପରିମଳକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବେଳେବେଳେ ଗୋଟିଏ ଦୁଇଟି ଦୋକାନରେ ଲୋକ ଦେଖାଣିଆ ଚଢ଼ାଉ କରାଯାଉଥିବା ଅଭିଯୋଗ ହେଉଛି । ତେବେ ନୂଆ ବର୍ଷର ପହିଲାରେ ଜିଲ୍ଲାପାଳ ହୋଟେଲରେ ଚଢ଼ାଉ କରିବା ଦ୍ୱାରା ସାରା ସହରରେ ବ୍ୟବସାୟୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହାକୁ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଥିବା ବେଳେ ମହାନଗରବାସୀଙ୍କ ହିତକୁ ଗୁରୁତ୍ୱ ଦେଇ କେବଳ ଗୋଟିଏ ହୋଟେଲ ନୁହେଁ ଅନ୍ୟାନ୍ୟ ହୋଟେଲ ଏବଂ ରାସ୍ତାକଡ ଦୋକାନ ମାନଙ୍କରେ ମଧ୍ୟ ନିୟମିତ ଚଢ଼ାଉ ହେଲେ ପରିମଳ ଓ ଖାଦ୍ୟର ମାନ ନିୟନ୍ତ୍ରିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା