

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାତଞ୍ଜଳି ଯୁବ ଭାରତ ରାଜ୍ୟ ସହପ୍ରହରୀ ସୁବ୍ରତ କୁମାର ପୂଜାରୀଙ୍କ ବିବାହ ଅବସରରେ ଗଜପତି ନଗର ଋଷିକୂଲ୍ୟା କଲ୍ୟାଣ ମଣ୍ଡପରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିବାହ ଦିନ ସକାଳେ ଉଭୟ ସୁବ୍ରତ ପୂଜାରୀ ଓ ତାଙ୍କ ସ୍ତ୍ରୀ ଅରିସା ଯୋଶୀ ବ୍ରହ୍ମପୁର ନିକଟସ୍ଥ ଲୋଚାପଡ଼ାରେ ଥିବା ଶ୍ରୀମାନ ନଗରରେ ବିଭିନ୍ନ ଔଷଧୀୟ ବୃକ୍ଷ ଓ ଚାରାରୋପଣ କରିଥିଲେ । ବର ବେଶରେ ସୁବ୍ରତ ପୂଜାରୀ ପ୍ରଥମେ ରକ୍ତଦାନ କରି ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁମୁଖୀ ସମାଜମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରର କୃଷ୍ଣ ଚନ୍ଦ୍ର ଦାସ ଓ ମାନସ ରଞ୍ଜନ ପାତ୍ର ଯୋଗଦେଇଥିବା ବେଳେ ରକ୍ତଦାନ ଶିବିରରେ ଭାରତ ସ୍ୱାଭିମାନ ପ୍ରଭାରୀ କେ. ରବିବାବୁ, ପ୍ରାକ୍ତନ ପ୍ରଭାରୀ ଅଭି ପ୍ରଧାନ, କିଷାନ ପ୍ରଭାରୀ ସୀତାରାମ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼. ଦେବରାଜ ପାଣିଗ୍ରାହୀ, ‘ବିଜୟ କେତନ’ ପତ୍ରିକାର ସମ୍ପାଦକ ନରସିଂହ ପାଢ଼ୀ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମପୁର ବଡ଼ ମେଡିକାଲ କଲେଜର ରକ୍ତଭଣ୍ଡାର ସଂସ୍ଥା ସହଯୋଗରେ ଏହି ରକ୍ତଦାନ ଶିବିରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


