ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ଶତାୟୁ ଶିକ୍ଷା ଅନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୧୯୬୯ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦିବା ୧୦ ଘଂଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଂସ୍କୃତି ଭବନ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୬୯ ବ୍ୟାଚର ଶତାଧିକ ଛାତ୍ରଛାତ୍ରୀ ସ୍ୱ ପରିବାର ସହ ଯୋଗଦାନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ନନ୍ଦ କିଶୋର ଶତପଥୀ, ପ୍ରଭାକର ଦାସ, କାଶୀନାଥ ମିଶ୍ର, ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଆନନ୍ଦ ଚନ୍ଦ୍ର ମହାରଣା ଓ ପ୍ରଫେସର ଡା. ରବିନାରାୟଣ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚାସିନ ଅତିଥି ଭାବେ ବୃନ୍ଦ ସ୍ୱୀୟ ବକ୍ତବ୍ୟରେ ଶତାୟୁ ଅନୁଷ୍ଠାନ ଓ ୧୯୬୯ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ମଧୁର ସ୍ମୃତିର ରୋମନ୍ଥନ କରିବା ସଙ୍ଗେ ସଙ୍ଗେ ଏହି ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି କଳ୍ପେ ପ୍ରାକ୍ତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ବୃନ୍ଦ ମୋ ସ୍କୁଲ ଅଭିଯାନରେ ସାମିଲ ହେବାପାଇଁ ଆଗେଇ ଆସିବାକୁ ଦୃଢ ଆହ୍ୱାନ ଜଣାଇଥିଲେ । ପ୍ରାଧ୍ୟାପକ ଅଭୟ କୁମାର ପଣ୍ଡା ସଭା ପରିଚାଳନା ଓ ସଂଯୋଜନା କରିଥିଲେ । ଶରତ ପାଣି, ୱଲି ମହମ୍ମଦ, ଗୋପାଳ ପଟ୍ଟନାୟକ ସଭ୍ୟ ସଭ୍ୟାମାନଙ୍କର ପଞ୍ଜିକରଣ କାର୍ଯ୍ୟ କରିଥିଲେ । ସଭା ପ୍ରାରମ୍ଭରେ ଦିବଂଗତ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ପୁରାତନ ଚାତ୍ରଛାତ୍ରୀମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଶାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ମିଶ୍ର ଓ ତାଙ୍କର ସହପାଠୀମାନେ ଶିକ୍ଷକମାନଙ୍କୁ ଫୁଲତୋଳା ଅର୍ପଣ କରି ମଞ୍ଚକୁ ସ୍ୱାଗତ କରିଥିଲେ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶିକ୍ଷାବିତ ବିମଳ ପ୍ରସାଦ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମାତୃ ପ୍ରସାଦ ମିଶ୍ର ମଞ୍ଚାସିନ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ନିଜର ସହ ଧର୍ମୀଣୀମାନଙ୍କ ସହିତ ସ୍ୱ ସ୍ୱ ପରିଚୟ ପ୍ରଦାନ କରିଥିଲେ । ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, ଶ୍ୟାମସୁନ୍ଦର ପଣ୍ଡା, ରମେଶ ପତି, ରମେଶ କୁମାର ମିଶ୍ର ଓ ଗୋପାଳ ପଟ୍ଟନାୟକ ପ୍ରାକ୍ତନ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିରଞ୍ଚି ନାରାୟଣ ପାଣି, ଶିକ୍ଷାବିତ ବିମଳ ନନ୍ଦ, ୱଲି ମହମ୍ମଦ, ରମେଶ ପତି, ସୁଲେମାନ ଖାଁ, ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, କ୍ରୀଡ଼ାବିତ ଶୈଳେନ୍ଦ୍ର ପ୍ରସାଦ ବର୍ମା, ଶରତ ପାଣି, ଆଇନଜୀବୀ ଶ୍ୟାମ ସୁନ୍ଦର ପଣ୍ଡା, ପ୍ରଶାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ମିଶ୍ର, ଶିରୀଶ ମହାପାତ୍ର, ଅକ୍ଷମ କଲ୍ୟାଣ ସମିତିର ସମ୍ପାଦକ ଅକ୍ଷୟ ପାଣିଗ୍ରାହୀ, ଆଇନଜୀବୀ ବିଜୟ କୁମାର ସାହୁ, ଶ୍ୟାମ ସୁନ୍ଦର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସ୍ୱୀୟ ବ୍ୟକ୍ତବରେ ସ୍ୱ ସ୍ୱ ସ୍ମୃତିଚାରଣ କରିଥିଲେ । ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସଂଯୋଜକ ଡା ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟର ମୋ ସ୍କୁଲ ପାଣ୍ଠିକୁ ୨ ଲକ୍ଷ ୫୫ ହଜାର ଟଙ୍କା ବିଭିନ୍ନ ବ୍ୟକ୍ତି ବିଶେଷ ଓ ୧୯୭୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ତରଫରୁ ଅନୁଦାନ ପ୍ରଦାନ କରାଯାଇଛି । ଏହାର ଦୁଇଗୁଣ ସରକାରୀ ଅନୁଦାନକୁ ମିଶାଇ ମୋଟ ୭ ଲକ୍ଷ ୬୫ ହଜାର ଟଙ୍କାର ଅର୍ଥ ରାଶି ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ କରାଯିବାକୁ ସ୍ଥିର କରାଯାଇଛି । ଏହାଛଡା ସିଭି ରମଣ ଇଂଜିନିୟରିଂ କଲେଜ, ଭୁବନେଶ୍ୱର ତରଫରୁ ପ୍ରାୟ ୭ ଲକ୍ଷ ଟଙ୍କାର ସୋଲାର କିଚେନ ପ୍ରକଳ୍ପରେ ୨ଟି ସୌର ଚୁଲା ଓ ସୌର ଆଲୋକ ବ୍ୟବସ୍ଥା ଏହି ବିଦ୍ୟାଳୟରେ ସ୍ଥାପନ କରାଯାଇଛି । ବିଭିନ୍ନ ପୁରାତନ ଚାତ୍ରଛାତ୍ରୀମାନଙ୍କ ତରଫରୁ ଓ ଉତ୍କଳ ଆଜବେଷ୍ଟସସ ପକ୍ଷରୁ ଏକକ ଓ ମିଳିତ ଭାବରେ ମୋଟ ୨୩ ଟି ସିସି କ୍ୟାମେରା ସଂଯୋଗ କରାଯାଇଛି । ଏତଦବ୍ୟତୀତ ୧୦ ଜଣ ବ୍ୟକ୍ତି ବିଶେଷ ଟାଇକୋରଣ୍ଡୋ , ଯୋଗ, ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି ଓ ବିଭିନ୍ନ ଶ୍ରେଣୀ ଓ ବିଭାଗରେ ବିଭିନ୍ନ ସମୟରେ ବିଭିନ୍ନ ବିଷୟରେ ଶିକ୍ଷାଦାନ କାର୍ଯ୍ୟ କରୁଛନ୍ତି । ୧୯୬୯ ବ୍ୟାଚ ତରଫରୁ ଏକକ ଭାବରେ ତଥା ସମ୍ମିଳିତ ଭାବରେ ଅର୍ଥରାଶି ଅନୁଦାନ ଭାବରେ ମୋ ସ୍କୁଲ ଅଭିଯାନରେ ବିନିଯୋଗ କରାଯିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଥିବାରୁ ଏହି ବ୍ୟାଚର ସମସ୍ତ ଛାତ୍ରଛାତ୍ରୀଙ୍ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଶେଷରେ ଆଡ଼ଭୋକେଟ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଉପସାହର ବାଢ଼ିଥିଲେ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
Many Many Thanks for propagation of the news for the greater interest of the society.???