ଛତ୍ରପୁର (ସମୃଦ୍ଧ ଓଡିଶା) ସମସ୍ତ ଚାଷୀ ଓ ଭାଗଚାଷୀଙ୍କ ନାମ ପଞ୍ଜୀକରଣ କରିବା ସହ ୩ ଦଫା ଦାବି ନେଇ ଋଷିକୁଲ୍ୟା ରୟତ ମହାସଭା ଓ ବହୁ ଚାଷି ସଂଗଠନ ଏବଂ ବିଭିନ୍ନ ଚାଷୀନେତାଙ୍କ ନେତୃତ୍ୱରେ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦୀର୍ଘ ୫୦ ବର୍ଷ ହେଲା ଜିଲ୍ଲାରେ ସେଟଲମେଣ୍ଟ ହୋଇନଥିବାରୁ ହଜାର ହଜାର ଚାଷିଙ୍କ ଜମିର ରେକର୍ଡ ତ୍ରୁଟି ରହିଛି । ଚଳିତ ବର୍ଷ ନିୟମ ଅନୁଯାୟୀ ଜମିର ପଟ୍ଟା ନଥିବା ଚାଷୀଙ୍କର ପଞ୍ଜୀକରଣ ହୋଇ ପାରିନାହିଁ । କେତେକ ଚାଷୀ ତାଙ୍କ ଗୋସାଇଁ ବାପାଙ୍କ ନାମରେ ଥିବା ଜମିକୁ ଚାଷ କରୁଛନ୍ତି । ଗୋସାଇଁ ବାପାଙ୍କ ଆଧାର କାର୍ଡ ମିଳିବା ଅସମ୍ଭବ । ଏଣୁ ପୂର୍ବ ବର୍ଷ ଭଳି ସିସ୍ତୁ ରସିଦ୍ ପୁରୁଣା ଜମିର ରେକର୍ଡ (ଜମି ଦସ୍ତାବିଜ) ଅନୁସାରେ ପଞ୍ଜୀକରଣ କରିବା ପାଇଁ ସୁବିଧା କରାଯାଉ । ଭାଗ ଚାଷିମାନେ ହେଉଛନ୍ତି ପ୍ରକୃତ ଚାଷି । ସେମାନେ ନିଜ ପରିବାରର ଶ୍ରମ ଓ ନଗୁତି ଖର୍ଚ୍ଚ ଲଗାଇ ଧାନ ଚାଷ କରିଥାନ୍ତି । ପୂର୍ବରୁ ଧାନକିଣା ଚାଷୀ କମିଟିର ସୁପାରିସରେ ତାଙ୍କ ନାମ ପଞ୍ଜୀକରଣ ହୋଇ ସେମାନଙ୍କ ଧାନବିକ୍ରି ହୋଇପାରୁଥିଲା । ମାତ୍ର ଚଳିତ ବର୍ଷର ନିୟମ ଅନୁଯାୟୀ ଜମି ମାଲିକର ସହମତି, ଆଧାର କାର୍ଡ ଓ ଫୋନ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି । ଏହା କେବେ ସମ୍ଭବ ନୁହେଁ । ଜିଲ୍ଲାରେ ଦୁଇଲକ୍ଷରୁ ଅଧିକ ଭାଗଚାଷି ଧାନ ଚାଷ କରିଥାନ୍ତି । ଏଣୁ ଧାନକିଣା କମିଟିର ସୁପାରିସରେ ଭାଗଚାଷୀଙ୍କ ନାମ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ । ଗଞ୍ଜାମ ଜିଲ୍ଲାରେ ଶହ ଶହ ଏକର ଧାନ ଜମି ବିଭିନ୍ନ ମଠ ଓ ମନ୍ଦିର ନାମରେ ରହିଛି । ସେହି ଜମିକୁ ଗରିବ, ଜମିହୀନ ଚାଷୀମାନେ ଧାନଚାଷ କରି ମନ୍ଦିରକୁ ମହାସୁଲ ଦେଇଥାନ୍ତି । କେତେକ ମନ୍ଦିର ଜମି ଗରିବ ଚାଷିଙ୍କ ନାମରେ ପଞ୍ଜୀକରଣ କରି ସିସ୍ତୁ ଦେଇ ବହୁବର୍ଷ ଧରି ଦଖଲରେ ଅଛନ୍ତି । ତେଣୁ ପଞ୍ଜୀକରଣ କାର୍ଯ୍ୟ ପୂର୍ବଭଳି ଚଳିତ ବର୍ଷ ମଧ୍ୟ ଚାଷୀମାନଙ୍କର ନାମ ପଞ୍ଜୀକରଣ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳଳ ନାହାକ, କଂଗ୍ରେସ ନେତା ଭାଗିରଥୀ ବେହେରା, ରାଜେନ୍ଦ୍ର ଜେନା, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡି, କେ. ମୂୁରଲି ରେଡ୍ଡି, କିଶୋର ଚନ୍ଦ୍ର ପଣ୍ଡା, କେ. ତୁଳସୟା ରାଜୁ, ଭୀମସେନା ବେହରା, କିଶୋର ମାଳି, ଇଶ୍ୱର ମାଳି, କେ.ସୁରି ରେଡ୍ଡି ଓ ପ୍ରଭାତ ପାଣିଗ୍ରାହୀଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ରହିଥିଲେ । ପରେ ଏସଂକ୍ରାନ୍ତରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ ଭେଟି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଛତ୍ରପୁର ଓ ଗଞ୍ଜାମ ବ୍ଲକର ଚାଷୀମାନେ ଦାବି କରିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା