ଛତ୍ରପୁର (ସମୃଦ୍ଧ ଓଡିଶା) ବିଭିନ୍ନ ଦାବି ନେଇ କ୍ୟାଡରମାନଙ୍କ ପକ୍ଷରୁ ବିଡିଓଙ୍କୁ ଗତକାଲି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ଓଡିଶା ଜୀବିକା ମିସନ୍ ଅଧୀନରେ କାର୍ଯ୍ୟରତ ସମସ୍ତ କ୍ୟାଡରମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଉ, ସେହିପରି ଓଡିଶା ଜୀବିକା ମିସନ୍ର କର୍ମକର୍ତ୍ତା, କରୋନା ଯୋଦ୍ଧା ଭାବେ ଆମକୁ ପରିଗଣିତ କରାଯାଉ, କ୍ୟାଡରମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବନ ବୀମା ଓ ସେମାନଙ୍କ ଭବିଷ୍ୟତ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ, ଓଏଲ୍ଏମ୍ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ କୋଭିଡ୍-୧୯ ସମୟରେ ସେବା ଯୋଗାଇ ଥିବାରୁ ସେମାନଙ୍କୁ ସର୍ବସାଧାରଣଙ୍କ ଦୃଷ୍ଟିଗୋଚରକୁ ଅଣାଯାଉ ଏବଂ ଓଏଲ୍ଏମ୍ ଦ୍ୱାରା ସୃଷ୍ଟି ହୋଇଥିବା ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ନିଯୁକ୍ତିରେ କ୍ୟାଡରମାନଙ୍କୁ ଆଗ୍ରାଧିକ ଦିଆଯାଉ ବୋଲି ଦାବି କରାଯାଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବ୍ଲକ କ୍ୟାଡର ସଂଘ ପକ୍ଷରୁ ବିଡିଓ ଅମ୍ବିକା ପ୍ରସାଦଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଏମ୍ବିକେ ଏସ୍.ଜ୍ୟୋତି ରେଡ୍ଡୀ ଓ ପି.ପଦ୍ମା, ବ୍ୟାଙ୍କ ମିତ୍ର ମାଳତୀ ସାହୁ, ସିଆରପି ଗାୟତ୍ରୀ ରେଡ୍ଡୀ, କୃଷି ମିତ୍ର ଆଶା ନାହାକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ଓଡିଶା ଜୀବିକା ମିସନ୍ ଅଧୀନରେ କାର୍ଯ୍ୟ କରୁଥିବା ଏମ୍ବିକେ, ବ୍ୟାଙ୍କ ମିତ୍ର, ସିଆରପି ଓ କୃଷି ମିତ୍ର ପ୍ରମୁଖ କ୍ୟାଡରମାନେ ସରକାରଙ୍କର ସମସ୍ତ କାର୍ଯ୍ୟରେ ସହଯୋଗ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରଙ୍କ ଠାରେ ସେମାନଙ୍କ କୌଣସି ପରିଚୟ ସୃଷ୍ଟି ହୋଇପାରି ନାହିଁ । ଯାହାଙ୍କ ପାଇଁ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ନିସ୍ୱାର୍ଥ ଓ ନିର୍ମଳ ସେବା ଯୋଗାଇ ଆଜି ସରକାରଙ୍କ ଠାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କିନ୍ତୁ କ୍ୟାଡରମାନେ ସରକାରଙ୍କ ଠାରେ ଅପରିଚିତ ହୋଇ ରହିଛନ୍ତି । ବର୍ତ୍ତମାନ କୋଭିଡ୍-୧୯ ବିଶ୍ୱ ମହାମାରୀର କରାଳ ସମୟରେ ମଧ୍ୟ ଜଗତ କଲ୍ୟାଣ ନିମନ୍ତେ ଏହି କ୍ୟାଡରମାନେ ସର୍ବଦା ଉତ୍ସର୍ଗିକୃତ ଭାବେ ନିରିବିଚ୍ଛିନ୍ନ ସେବା ଯୋଗାଇ ଆସିଛନ୍ତି । ଏଣୁ ସରକାର କ୍ୟାଡରମାନଙ୍କ ଦାବିଗୁଡିକ ବିଷୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା