ବିଭିନ୍ନ ଦାବିରେ ଓ.ଇ.ଆର.ସି. ସମ୍ମୁଖରେ ସମାଜବାଦି ପାର୍ଟି ର ଗଣବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅଘୋଷିତ ବିଜୁଳିକାଟ ବନ୍ଦ କରିବା, ବିଜୁଳି ଦରବୃଦ୍ଧିକୁ ବିରୋଧ, ସେସୁ ବିକ୍ରିରେ ଅନିୟମିୟତାର ତଦନ୍ତ ଚାଷୀମାନଙ୍କୁ ମାଗଣା ବିଜୁଳି ଓ ବିଜୁଳି କମ୍ପାନୀମାନଙ୍କର ଲାଭ କ୍ଷତିର ହିସାବର ସି.ଏ.ଜି. ଅଡିଟ୍ ଦାବିରେ ସମାଜବାଦୀ ପାର୍ଟି ପକ୍ଷରୁ ସ୍ଥାନୀୟ ଶୈଳଶ୍ରୀବିହାରସ୍ଥିତ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓ.ଇ.ଆର.ସି.ର ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା, ଆଇ.ଏ.ଏସ୍.ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏହି ୪ ଜଣିଆ ପ୍ରତିନିଧି ଦଳ ସ୍ମାରକପତ୍ର ପ୍ରଦାନ କରିବା ସହିତ ଚେୟାରମ୍ୟାନଙ୍କ ସହିତ ଉପରୋକ୍ତ ଦାବିନେଇ ଆଲୋଚନା କରିଥିଲେ । ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଦଳ ପକ୍ଷରୁ ଦର୍ଶାଯାଇଛି ଯେ,୧୯୯୪-୯୫ ମସିହାରେ ଆରମ୍ଭ ହୋଇଥିବା ବିଦ୍ୟୁତ୍ ସଂସ୍କାର ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପହଂଚିଛି । ବାରମ୍ବାର ଅଘୋଷିତ ବିଜୁଳିକାଟ ଓ ପରିବହନ ଜନିତ କ୍ଷତି ୩୭ ଶତାଂଶରେ ଆଜିସୁଦ୍ଧା ରହିଛି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ଏକ ପ୍ରତିଶତ ପରିବହନ ଜନିତ କ୍ଷତିକୁ କମାଯାଇପାରିଲେ ବାର୍ଷିକ ୭୫ କୋଟି ଟଙ୍କା ସଂଚୟ କରାଯାଇପାରନ୍ତା । ପରିବହନ ଜନିତ କ୍ଷତିର ଭରଣା କରିବା ପାଇଁ ବିଦ୍ୟୁତ୍ ଆବଂଟନ କମ୍ପାନୀମାନେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ପାଇଁ ଓ.ଇ.ଆର.ସି. ନିକଟରେ ଆବେଦନ କରିଛନ୍ତି । ଯାହାଫଳରେ ୩ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ୭୭ ଲକ୍ଷ ଗ୍ରାହକଙ୍କ ଉପରେ ଲଦି ଦିଆଯିବ । ଏହାଫଳରେ ବିଦ୍ୟୁତ୍ ୟୁନିଟ୍ ପିଛା ଟ.୩.୨୬ ପଇସା କରିବା ପାଇଁ ଗ୍ରୀଡ୍କୋ ଦାବି ରଖିଛି । ଏହାକୁ ସମାଜବାଦୀ ପାର୍ଟି ସମ୍ପୂର୍ଣ୍ଣ ବିରୋଧ କରୁଛି । ଆଗାମୀ ଦିନରେ ବିଜୁଳି କମ୍ପାନୀମାନେ ନିଜର କ୍ଷତି ଭରଣା ପାଇଁ ବିଜୁଳି ଗ୍ରାହକମାନଙ୍କୁ ଶୋଷଣ କରିବା ପାଇଁ ଯେଉଁ ମସୁଧା କରୁଛନ୍ତି ଏହା ବିରୁଦ୍ଧରେ ଜୋର୍ଦାର ଗଣଆନ୍ଦୋଳନ କରାଯିବ ବୋଲି ପାର୍ଟି ପକ୍ଷରୁ ଓ.ଇ.ଆର.ସି.ଙ୍କୁ ସତର୍କ କରାଇ ଦିଆଯାଇଛି । ଏହାବ୍ୟତୀତ ସେସୁର ଟେଣ୍ଡର ପ୍ରକ୍ରିୟାରେ ଦେଖାଦେଇଥିବା ଅନିୟମିତତାର ତଦନ୍ତ କରିବା ପାଇଁ ମଧ୍ୟ ଦଳ ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବେହେରାଙ୍କ ସମେତ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ଏନ୍. ସମ୍ବିତ୍ ଦାସ, ପ୍ରଦୀପ ମିଶ୍ର, ଚାଷୀନେତା ବିଜୟ ବେହେରା ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ହାତରେ ଲଣ୍ଠନ ଓ ଡିବି ଧରି ଦଳର କର୍ମୀମାନେ ଓ.ଇ.ଆର.ସି. ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର